ଭୁବନେଶ୍ୱର: ଓଡ଼ିଶା ଡିଜାଇନ୍ ପରିଷଦ (ଓଡିସି) ପକ୍ଷରୁ ଗତ ୩ ତାରିଖରେ ‘ଓଡ଼ିଶା ପାଇଁ ଡିଜାଇନ୍ ଶିକ୍ଷା କାହିଁକି ଗୁରୁତ୍ବପୂର୍ଣ୍ଣ’ ଶୀର୍ଷକ ଏକ ଜାତୀୟସ୍ତରୀୟ ୱେବିନାର୍ ଆୟୋଜିତ ହୋଇଯାଇଛି। ଏଥିରେ ସାଂସଦ ଡ. ଅମର ପଟ୍ଟନାୟକ, ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ର ପୂର୍ବତନ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ବ୍ୟାସ, ବମ୍ବେ ଆଇଆଇଟିର ପ୍ରଫେସର୍ ଜିଭି ଶ୍ରୀକୁମାର, ଓଡ଼ିଶା ଡିଜାଇନ୍ ପରିଷଦର ପ୍ରତିଷ୍ଠାତା ପ୍ରଫେସର୍ ପରେଶ ଚୌଧୁରୀ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ।
ସାଂସଦ ଡ. ପଟ୍ଟନାୟକ ଓଡ଼ିଶାରେ ଡିଜାଇନ୍ ଶିକ୍ଷାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ଓ ଏ ବାବଦରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଶାର ସାମାଜିକ-ସାଂସ୍କୃତିକ ବିକାଶରେ ଡିଜାଇନ୍ ଶିକ୍ଷାର ଗୁରୁତ୍ବ ଉପରେ ପ୍ରଫେସର୍ ବ୍ୟାସ ମତ ରଖିଥିଲେ। ସେ କହିଥିଲେ, ମହାମାରୀ କରୋନା ଯୋଗୁଁ ଓଡ଼ିଶାର ବହୁ ଲୋକ ସେମାନଙ୍କ ପାରମ୍ପରିକ ବୃତ୍ତି ଛାଡ଼ି ରୋଜଗାର ଆଶାରେ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। କିନ୍ତୁ ଡିଜାଇନ୍ ଶିକ୍ଷା ଦ୍ବାରା ଦେଶାନ୍ତରକୁ ରୋକା ଯାଇପାରିବ। ପାରମ୍ପରିକ ବୃତ୍ତିକୁ ନେଇ ଲୋକେ ଆତ୍ମନିର୍ଭର ହୋଇପାରିବେ ବୋଲି ପ୍ରଫେସର୍ ବ୍ୟାସ କହିଥିଲେ। ପ୍ରଫେସର୍ ଶ୍ରୀକୁମାର କହିଥିଲେ, ବାସ୍ତବ ଜୀବନର ଅନେକ ଜଟିଳ ସମସ୍ୟାର ସମାଧାନ ଡିଜାଇନ୍ ଶିକ୍ଷା ଦ୍ବାରା ସମ୍ଭବ। ଏହାଦ୍ବାରା ଲୋକଙ୍କ ଜୀବନଧାରଣ ମାନରେ ମଧ୍ୟ ଉନ୍ନତି ଆସିପାରିବ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡିସିର ପ୍ରତିଷ୍ଠାତା ପ୍ରଫେସର୍ ଚୌଧୁରୀ କହିଥିଲେ, ଓଡ଼ିଶାରେ ଡିଜାଇନ୍ ପରିଷଦ ପ୍ରତିଷ୍ଠା ଏକ ସ୍ବପ୍ନ ଥିଲା। ତେବେ ଅନ୍ୟ ଧନ୍ଦାମୂଳକ ପାଠ୍ୟକ୍ରମ ପରି ଏହି ଶିକ୍ଷାକୁ ଆମ ଶିକ୍ଷା ବ୍ୟବସ୍ଥାରେ କରାଯାଇପାରିଲେ ଓଡ଼ିଶା ଏକ ଡିଜାଇନ୍ ହବ୍ ଭାବେ ପରିଗଣିତ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।