ଏଚ୍‌ଆଇଭି ଆକ୍ରାନ୍ତଙ୍କୁ କରୋନା ଟିକା ଦେବାରେ ଅବହେଳା କାହିଁକି?

ସ୍ମାର୍ଟ ଫୋନ୍‌, କୋ-ମର୍ବିଡ ସାର୍ଟିଫିକେଟ୍‌ ପାଇଁ ଟିକା ନେଇପାରୁ ନାହାନ୍ତି ଆକ୍ରାନ୍ତ
କରୋନାରେ ପ୍ରାଣ ହରାଇଛନ୍ତି ଜଣେ ଏଚ୍‌ଆଇଭି ସଂକ୍ରମିତ
ରାଜ୍ୟ ସରକାରଙ୍କୁ ଚିଠି ଦିଆଯାଇଛି: ପ୍ରକଳ୍ପ ନିର୍ଦେଶିକା

ଭୁବନେଶ୍ବର : କରୋନା ଟିକାକରଣରେ ସାମିଲ ହୋଇ ପାରୁନାହାନ୍ତି ଏଚ୍‌ଆଇଭି ସଂକ୍ରମିତ। ଅଧିକାଂଶ ସଂକ୍ରମିତ ଗରିବ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କ ନିକଟରେ ସ୍ମାର୍ଟଫୋନ୍ ନାହିଁ। ଫଳରେ ଟିକା ନେବା ପାଇଁ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣରେ ସାମସ୍ୟା ସୃଷ୍ଟି ହେଉଛି। ତେଣୁ ପ୍ରାଥମିକତା ଭିତ୍ତିରେ ସେମାନଙ୍କୁ ଟିକା ଦେବାକୁ ରାଜ୍ୟରେ ଥିବା ଏଆର୍‌ଟି ସେଣ୍ଟରଗୁଡ଼ିକରେ ଜଟିଳ ରୋଗ ବା କୋ-ମର୍ବିଡ ସାର୍ଟିଫିକେଟ୍ ଜାରି କରିବା ଲାଗି ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା (ନାକୋ) ଚିଠି ଲେଖିଥିଲେ ହେଁ ରାଜ୍ୟରେ ତାହା କାର୍ଯ୍ୟକାରୀ ହୋଇପାରିନି।

ରାଜ୍ୟରେ ଏବେ ୨୨ହଜାରରୁ ଅଧିକ ଏଚ୍‌ଆଇଭି ସଂକ୍ରମିତ ଏଆରଟି କେନ୍ଦ୍ର‌ରୁ ନିଜର ଔଷଧ ନେଉଛନ୍ତି। ଏଥିରେ ୧୮ ବର୍ଷରୁ କମ୍ ୨-୩ ହଜାର ଏଚ୍‌ଆଇଭି ଆକ୍ରାନ୍ତ ଅଛନ୍ତି। ଗତ ଜାନୁଆରି ୧୬ ତାରିଖରୁ ଦେଶ ତଥା ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହେବା ପରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା, ୬୦ବର୍ଷରୁ ଅଧିକ ଓ ପରେ ଜଟିଳ ରୋଗ ଥିବା ୪୫ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ଏବଂ ଗତ ମେ’ ମାସରୁ ୧୮-୪୪ବର୍ଗର ଟିକାକରଣ ଆରମ୍ଭ ହୋଇଛି। ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ନେବା ପାଇଁ ରୋଗ ପ୍ରତିରୋଧକ ଶକ୍ତି କମ୍/ଏଚ୍‌ଆଇଭି ଆକ୍ରାନ୍ତଙ୍କୁ କୋ-ମର୍ବିଡ୍‌ ସାର୍ଟିଫିକେଟ୍‌ ଜରିଆରେ ଟିକା ନେବା ଉପରେ ଗୁରୁତ୍ବ ଦିଆଯାଇଥିଲା। ସିଡି-୪ କିମ୍ବା ଭାଇରାଲ ଲୋଡ୍‌ ଯାହା ଥାଉ ନା କାହିଁକି, ସେମାନଙ୍କୁ ଟିକାକରଣରେ ସାମିଲ କରିବା ଲାଗି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ରାଜ୍ୟରେ ଥିବା ଏଆରଟି କେନ୍ଦ୍ରମାନଙ୍କୁ ‘ନାକୋ’ରୁ ଆସିଥିବା ଚିଠିକୁ ପଠାଇ ଦିଆଯାଇଛି। ହେଲେ ଅଧିକାଂଶ ସଂକ୍ରମିତଙ୍କୁ ଏ ବିଷୟରେ ସୂଚନା ମଧ୍ୟ ଦିଆଯାଇନାହିଁ। ଏପରିକି ଯେଉଁମାନେ ଏଆରଟି କେନ୍ଦ୍ରରେ ନିଜର କୋ-ମର୍ବିଡ ସାର୍ଟିଫିକେଟ୍‌ ପାଇଁ ଯାଉଛନ୍ତି, ସେମାନେ ମଧ୍ୟ ପାଇପାରୁ ନାହାନ୍ତି। ଓସାକ୍ସରୁ କୌଣସି ନିର୍ଦ୍ଦେଶନାମା ଆସି ନଥିବାରୁ ଏଆରଟି ସେଣ୍ଟର ସାର୍ଟିଫିକେଟ୍‌ ଦେବାକୁ ମନା କରୁଥିବା ଅନେକ ଏଚ୍‌ଆଇଭି ଆକ୍ରାନ୍ତ ଅଭିଯୋଗ କରିଛନ୍ତି।

ନିକଟରେ ଭଦ୍ରକ ଜିଲ୍ଲାରେ ଜଣେ ଏଚ୍‌ଆଇଭି ଆକ୍ରାନ୍ତ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଏହାସହ କେତେସଂଖ୍ୟକ ଏଚ୍‌ଆଇଭି ସଂକ୍ରମିତ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାହାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଯେହେତୁ ଏଚ୍‌ଆଇଭି ଆକ୍ରାନ୍ତଙ୍କ କ୍ଷେତ୍ରରେ କମ୍ ରୋଗ ପ୍ରତିରୋଧକ ଶକ୍ତି ରହିଛି, ତେଣୁ ଟିକାକରଣ ଦ୍ବାରା ହିଁ ସେମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ବୋଲି କୁହାଯାଉଛି।

ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ କହିଛନ୍ତି, କୋ-ମର୍ବିଡ ସାର୍ଟିଫିକେଟ୍‌ ନେଇ ଯେଉଁମା‌ନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ଆମକୁ ସୂଚନା ଦିଅନ୍ତୁ। ସେମାନେ ଚାହିଲେ, ଟୋଲ-ଫ୍ରି’ ନମ୍ବରକୁ ଫୋନ କରି ଏ ସଂପର୍କରେ ସୂଚନା ଦେଇପାରିବେ। ପିଏଲଏଚ୍‌ଆଇଭିମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ଲାଗି ରାଜ୍ୟ ସରକାରଙ୍କୁ ଚିଠି ଦିଆଯାଇଛି। ରାଜ୍ୟ ସରକାର ହିଁ ଏହା ଉପରେ ନିଷ୍ପତ୍ତି ନେଇପାରିବେ ବୋଲି ଡା. ସାହୁ କହିଛନ୍ତି।

ଅପରପକ୍ଷରେ ପିଏଲ୍‌ଏଚ୍‌ଆଇଭିମାନଙ୍କୁ କୋ-ମର୍ବିଡ୍‌ ସାର୍ଟିଫିକେଟ୍‌ ପ୍ରଦାନ ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସଂପର୍କରେ ଓସାକ୍ସକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲା। ମାତ୍ର ଓସାକ୍ସ ପକ୍ଷରୁ କୁହାଯାଇଛି ଯେ ଏଆର୍‌ଟି ସେଣ୍ଟରମାନଙ୍କରେ ଟିକାକରଣ ନେଇ କୌଣସି ବ୍ୟବସ୍ଥା ନାହିଁ। ଟିକାକରଣ କେନ୍ଦ୍ରରେ ହିଁ କେବଳ ଟିକା ଦିଆଯାଉଛି। କୋ-ୱିନ୍ ପୋର୍ଟାଲରେ ନିଜର ପଞ୍ଜୀକରଣ କରି ଟିକା ନେଇ ପାରିବେ। ହେଲେ ରାଜ୍ୟରେ ଏଚ୍‌ଆଇଭି ସଂକ୍ରମିତମାନେ କୋ-ମର୍ବିଡ ସାର୍ଟିଫିକେଟରେ ସାମିଲ ହୋଇଛନ୍ତି କି ନାହିଁ, ସେ ସଂପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ତେଣୁ ଓସାକ୍ସର ଅଧିକାରୀ ରାଜ୍ୟ ସରକାରଙ୍କୁ ଦେଇଥିବା ଚିଠି ଓ ଆରଟିଆଇରେ ମିଳିଥିବା ଉତ୍ତର ପରସ୍ପରର ବିରୋଧାଭାସ କରୁଛି।

ଏଚ୍‌ଆଇଭି ସଂକ୍ରମିତ ସଂଗଠନର କର୍ମକର୍ତ୍ତା ଅମରେନ୍ଦ୍ର ବେହେରା କହିଛନ୍ତି, ରାଜ୍ୟରେ ଅଧିକାଂଶ ପିଏଲ୍‌ଏଚ୍‌ଆଇଭିଙ୍କ ଆର୍ଥିକ ଅଭାବ ରହିଛି। ଅଧିକାଂଶ ନିଜର ମାସିକିଆ ଔଷଧ ମଧ୍ୟ ଏଆରଟି ସେଣ୍ଟର୍‌ରୁ ମଧ୍ୟ ନେଇ ପାରୁନାହାନ୍ତି। ଏଭଳି କ୍ଷେତ୍ରରେ ଏଚ୍‌ଆଇଭି ସଂକ୍ରମିତମାନେ ସ୍ମାର୍ଟ ଫୋନ୍ ଧରି ଟିକା ପାଇଁ ନିଜର ପଞ୍ଜୀକରଣ କରିବା ଅସମ୍ଭବ। ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ସୁବିଧା ରହିଛି, ସେମାନଙ୍କୁ କିନ୍ତୁ ଏଆର୍‌ଟି ସେଣ୍ଟରରୁ କୋ-ମର୍ବିଡ ସାର୍ଟିଫିକେଟ୍ ମିଳୁନାହିଁ। ଫଳରେ ସେମାନେ ଟିକା ନେଇ ପାରୁ ନ ଥିବା ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର