କାହିଁକି ଚକାଚକ୍ ହେଉନି ରାଜଧାନୀ ରାସ୍ତା? କୋଟିକୋଟି ଖର୍ଚ୍ଚ ହେଉଛି, କିନ୍ତୁ ଦଦରା

ଯନ୍ତ୍ରୀଙ୍କ ଅବହେଳାରୁ ରାସ୍ତା ବିପଦସଂକୁଳ ପାଲଟୁଛି
ମରାମତି ବେଳେ ଗାଇଡଲାଇନ୍ ମାନୁନାହାନ୍ତି

ଭୁବନେଶ୍ବର : ରାଜଧାନୀରେ ପୂର୍ତ୍ତ ବିଭାଗ ଅଧୀନରେ ପ୍ରାୟ ୫୦୦ କିମିର ରାସ୍ତା ଅଛି। ବର୍ଷକୁ ରାସ୍ତା ମରାମତି, ନିର୍ମାଣ ବାବଦକୁ ପ୍ରାୟ ୨୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଅଧିକାଂଶ ରାସ୍ତା ବର୍ଷକୁ ଅତି କମ୍‌ରେ ଥରେ ମରାମତି ହେଉଛି। କିଛି କିଛି ରାସ୍ତା ତ ବର୍ଷକୁ ଦୁଇଥର ମରାମତି ହେଉଛି। ହେଲେ ବିଡ଼ମ୍ବନାର ବିଷୟ କୌଣସି ଗୋଟିଏ ବି ରାସ୍ତା ଉନ୍ନତମାନର ନୁହେଁ। ଖାଲି ପିଚୁ ଉପରେ ପିଚୁ ମଡ଼ା ଯାଉଛି। ଏମିତି ପିଚୁ ପକାଯାଉଛି ଯେ ଗୋଟିଏ ବି ରାସ୍ତା ଚକାଚକ୍ ଦିଶୁନି। ବରଂ ରାସ୍ତା ମରାମତି ହେବା ପରେ ଏହା ଲୋକଙ୍କ ପାଇଁ ଅଧିକ ବିପଦସଙ୍କୁଳ ପାଲଟି ଯାଉଛି।

ରାଜଧାନୀରେ ପ୍ରାୟ ସମସ୍ତ ପ୍ରମୁଖ ରାସ୍ତାରେ ପୁରୁଣା ପିଚୁ ଉପରେ ନୂଆ ପିଚୁ ପଡ଼ୁଛି। ହେଲେ ରାସ୍ତା ମଝିରେ ଏହା ଏମିତି ପଡ଼ୁଛି ଯେ, ପୁରୁଣା ରାସ୍ତାଠାରୁ ନୂଆ ରାସ୍ତା ୩ରୁ ୪ଇଞ୍ଚ ଉଚ୍ଚା ହୋଇଯାଉଛି। ଏହା ଉପରେ ଦୁଇ ଚକିଆ କି ତିନି ଚକିଆ ଯାନ ଚଢ଼ିଗଲେ ଚକ ଖସିଯାଉଛି। ଯଦି ଚାଳକ ଅନ୍ୟମନସ୍କତାବଶତଃ ଗାଡ଼ିର ହ୍ୟାଣ୍ଡେଲକୁ ଶକ୍ତ କରି ଧରିନଥିବେ ତେବେ ରାସ୍ତା ଉପରେ ଦୁର୍ଘଟଣାର ଶିକାର ହେବା ଥୟ। ଯାହା ଏବେ ରାଜଧାନୀରେ ଦୁର୍ଘଟଣା ବଢ଼ିବାର ପ୍ରମୁଖ କାରଣ ସାଜିଛି। କେବଳ ରାଜଧାନୀ ନୁହେଁ; ସାରା ରାଜ୍ୟରେ ଅବସ୍ଥା ଏମିତି। ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ଏ ବିଷୟରେ ଜାଣୁଥିଲେ ହେଁ କିଛି ବି ପଦକ୍ଷେପ ନେଉନଥିବାରୁ ଦୀର୍ଘ ବର୍ଷ ହେଲା ଏହି ସମସ୍ୟା ବଢ଼ି ଚାଲିଛି।

ମାର୍ଚ୍ଚ ଶେଷ ସୁଦ୍ଧା ବିଭାଗର ବଜେଟ୍‌ ଅର୍ଥ ଖର୍ଚ୍ଚ କରିବା ପାଇଁ ଏବେ ଅଧିକାଂଶ ଅଞ୍ଚଳରେ ପିଚୁ ରାସ୍ତା ମରାମତି ହେଉଛି। ରାତାରାତି ରାସ୍ତାକୁ ନୂଆ ରୂପ ଦିଆଯାଉଛି। ‌କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳାରୁ ଏବେ ନିର୍ମାଣ ବା ମରାମତି ହେଉଥିବା ରାସ୍ତା ଯେପରି ଢଙ୍ଗରେ ହେବା କଥା ତାହା ହେଉନି। ଏବେ ଯେଉଁ ରାସ୍ତା ନିର୍ମାଣ ହେଉଛି ଅକ୍ଟୋବର ମାସରେ ପୁଣି ସେହି ରାସ୍ତା ମରାମତି ପାଇଁ ବାଟ ଖୋଲା ରଖାଯାଉଛି। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ଯେଉଁ ଡିଜାଇନ୍‌ରେ ପିଚୁ ରାସ୍ତା ନିର୍ମାଣ ହେଉଛି ତାହା ପୂରା ତ୍ରୁଟିପୂର୍ଣ୍ଣ। ନିୟମ ଅନୁଯାୟୀ, ରାସ୍ତାକୁ ଖୋଳି ନୂଆ ରାସ୍ତା ନିର୍ମାଣ କରିବା କଥା। କିନ୍ତୁ ପିଚୁ ଉପରେ ପିଚୁ ପରସ୍ତ ପଡ଼ି ଚାଲିଛି। ‌ବହୁ ସ୍ଥାନରେ ରାସ୍ତା ଭଲ ଅଛି କିନ୍ତୁ ଯନ୍ତ୍ରୀମାନେ ବଜେଟ୍‌ ଅର୍ଥ କରିବାକୁ ଯାଇ ତାହା ଉପରେ ପିଚୁ ପକାଇ ଚାଲିଛନ୍ତି। ଯେଉଁଠି ରାସ୍ତା ଖରାପ ଅଛି ତାହା ବର୍ଷ ବର୍ଷ ଧରି ଖରାପ ରହୁଛି। ଯେତେବେଳେ ପିଚୁ ରାସ୍ତା ମରାମତି ହେଉଛି ଯଦି ପୂରା ରାସ୍ତାକୁ ମରାମତି କରାଯାଆନ୍ତା ତେବେ ରାସ୍ତା ଜଲ୍‌ଦି ଖରାପ ହୁଅନ୍ତାନି। ହେଲେ ରାସ୍ତା ମଝିରେ କେବଳ ପିଚୁ ପକାଯାଉଥିବାରୁ କିଛି ମାସ ପରେ ଯେଉଁ ରାସ୍ତାରେ ପିଚୁ ପଡ଼ୁନି ତାହା ଖରାପ ହେଉଛି। ପରେ ତାହାକୁ ନିର୍ମାଣ କଲା ବେଳକୁ ସେ ରାସ୍ତା ପୁରୁଣା ରାସ୍ତା ଠାରୁ ଉଚ୍ଚା ହୋଇଯାଉଛି। ସରକାର ବି ପୂରା ରାସ୍ତାକୁ ଏକ ସଙ୍ଗେ ମରାମତି କରିବାକୁ ଅର୍ଥ ଖର୍ଚ୍ଚ କରିପାରିବେନି। ତେଣୁ ଏହିଭଳି ସ୍ଥିତି ଉପୁଜିଛି। ଏହାର ସମାଧାନ ପାଇଁ ବର୍ଷକୁ ଥରଟିଏ ରାସ୍ତା ନିର୍ମାଣ ହେବା ଦରକାର। ଏହାଦ୍ବାରା ରାସ୍ତା ଦୀର୍ଘସ୍ଥାୟୀ ହେବ ଏବଂ ଚକାଚକ୍ ଦିଶିବ।

ସେହିପରି ଅନ୍ୟ ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପିଚୁ ରାସ୍ତା ନିର୍ମାଣ ‌ବେଳେ କିଛି ଗାଇଡଲାଇନ୍ ମାନିବାକୁ ପଡ଼ିଥାଏ। ନୂଆ ରାସ୍ତା ହେଉଥିଲେ ରାସ୍ତାକୁ ଖୋଳିବା ପରେ ୨ଇଞ୍ଚର ବିଏମ୍‌(ବିଟୁମିନସ୍ ମ୍ୟାକାଡମ୍) ପଡ଼େ। ଅର୍ଥାତ୍‌ ଖୋଳା ହୋଇଥିବା ରାସ୍ତା ଉପରେ କେବଳ ପିଚୁ ଛିଞ୍ଚାଯିବା ପରେ ୫୦ଏମ୍‌ଏମ୍‌ ଚିପ୍‌ସ ଓ ପିଚୁର ମିଶ୍ରଣ ପଡ଼ିଥାଏ। ଏହାକୁ ଭଲ ଭାବେ ରୋଲିଂ କରିବା ପରେ ୧ଇଞ୍ଚର ଏସ୍‌ଡିବିସି (ସେମି ଡେନ୍ସ ବିଟୁମିନସ କଙ୍କ୍ରିଟ୍‌) ପଡ଼େ। ଏଥିରେ ୨୫ଏମ୍‌ଏମ୍‌ ବଜୁରିକୁ ପିଚୁରେ ମିଶାଇ ପକାଯାଏ। ଯାହା ରାସ୍ତାକୁ ଚିକ୍କଣ କରେ। କିନ୍ତୁ ଠିକାଦାରମାନେ ପିଚୁ ଦାମ୍‌ ଅଧିକ ରହୁଥିବାରୁ ପିଚୁ ଭାଗ କମ୍‌ କରିଦେଉଛନ୍ତି। ଫଳରେ ଭୁବନେଶ୍ବରରେ କୌଣସି ରାସ୍ତା ଚକାଚକ୍ ‌ଦିଶୁନି। କମ୍‌ ଦିନରେ ନଷ୍ଟ ହୋଇଯାଉଛି।

ଏହାବାଦ୍‌ ଭୁବନେଶ୍ବରେ ରାସ୍ତା କାମ ମୁଖ୍ୟତଃ ରାତିରେ ହେଉଛି। ଫଳରେ ବହୁ ସ୍ଥାନକୁ ଯନ୍ତ୍ରୀମାନେ ଯାଉନାହାନ୍ତି। ରାତିରେ ପିଚୁ, ବିଏମ୍‌, ଏସ୍‌ଡିବିସି ଆସୁଥିବାରୁ ଏଥିରେ କେ‌ତେ ଭାଗ ପିଚୁ, ବିଏମ୍‌ କି ଏସ୍‌ଡିବିସି ଆସୁଛି ତାହା ଜଣାପଡ଼ୁନି। ରାସ୍ତା ଉପରେ ଯେତିକି ଏସ୍‌ଡିବିସି ପକାଇବା କଥା ପଡ଼ୁନି। ଏସ୍‌ଡିବିସି ବଦଳରେ ବିଏମ୍‌ ପକାଇ ଦିଆଯାଉଛି। ଏହାକୁ ଯେମିତି ରୋଲିଂ କରିବା କଥା କରାଯାଉନି। ଏପରିକି ବଜୁରି ଭାଗ ଅଧିକ ରହୁଥିବାରୁ ରାସ୍ତା ନିର୍ମାଣର ଅଳ୍ପ ଦିନ ପରେ ବଜୁରି ଉଠିଯାଉଛି।

ସେହିପରି ଯେତେବେଳେ ରାସ୍ତା ମଝିରେ ପିଚୁ ପକାଇ ନୂଆ ରାସ୍ତା କରାଯାଉଛି ଏହାକୁ ପୁରୁଣା ରାସ୍ତା ସହ ମିଶାଇବା ଦରକାର। ନୂଆ ରାସ୍ତାର ପାର୍ଶ୍ବ ଉପରେ ଅଧିକ ରୋଲିଂ କରିବା ସହ ଗଡ଼ାଣିଆ କଲେ ଏହା ଉଚ୍ଚା ରହିବନି କି ଗାଡ଼ିର ଚକା ଖସିବନି। ‌କିନ୍ତୁ ଆମ ଯନ୍ତ୍ରୀମାନେ ଏହାକୁ ଧ୍ୟାନ ଦେଉନାହାନ୍ତି। ଠିକାଦାର ସଦାବେଳେ ଅଧିକ ଲାଭ ଖୋଜିବେ, କିନ୍ତୁ ସେମାନଙ୍କୁ ଜଗିବା କାମ ଯନ୍ତ୍ରୀଙ୍କର। ଏହା ହେଉନଥିବାରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କଲେ ବି ରାସ୍ତା ସୁନ୍ଦର ଦେଖାଯାଉନି କି ଦୀର୍ଘସ୍ଥାୟୀ ହେଉନି। ଏନେଇ ବିଭାଗର ଉଚ୍ଚ ଅଧିକାରୀମାନେ ତତ୍ପରତା ଦେଖାଇବା ଦରକାର ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର