ବାଣୀବିହାରକୁ ଅଣଛାତ୍ର ପ୍ରବେଶ ଯାଞ୍ଚ ଏମିତି… ସିସିଟିଭି ଅଚଳ

୧ ଓ ୨ ନମ୍ବର ହଷ୍ଟେଲରେ ଚଢ଼ଉ ନ କରିବାକୁ ଛାତ୍ରନେତାଙ୍କ ଚାପ, ଅଣଛାତ୍ରଙ୍କୁ କେମିତି ଚିହ୍ନଟ କରିବେ ଅଧୀକ୍ଷକ?

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ୭ ନମ୍ବର ହଷ୍ଟେଲ ଉପରେ ଚଢ଼ଉ କରାଗଲା। ଅଣଛାତ୍ରଙ୍କୁ ବି ତଡ଼ାଗଲା। ମଦ, ସିଗାରେଟ୍‌, ଚରସ, ହୁକା, କଣ୍ତୋମ ଆଦି ଜବତ ହେଲା। ହେଲେ ବାକି ହଷ୍ଟେଲଗୁଡ଼ିକ ଉପରେ ଚଢ଼ଉ ଲାଗି କର୍ତ୍ତୃପକ୍ଷଙ୍କ ହାତ ଯାଉନି। ଏକ ଦଶନ୍ଧି ଧରି ଦୁଇଜଣ ଛାତ୍ରନେତାଙ୍କ କବ୍‌ଜାରେ ୧ ଓ ୨ନମ୍ବର ଛାତ୍ରାବାସର ଅର୍ଧାଧିକ ରୁମ୍‌ ରହିଥିଲେ ମଧ୍ୟ ତାହା ଉପରେ ଚଢ଼ଉ କରାଯାଉ ନାହିଁ। ଏପରିକି ଗତ ୫ବର୍ଷ ମଧ୍ୟରେ ଉକ୍ତ ଦୁଇଟି ‌ହଷ୍ଟେଲ ଉପରେ ଚଢ଼ଉ ଲାଗି ୮ଥର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପିଜି କାଉନସିଲ୍‌ ଅଧ୍ୟକ୍ଷଓ କୁଳସଚିବମାନେ ପଦବିରେ ବସିବା କ୍ଷଣି ଚଢ଼ଉ ପାଇଁ ସଜବାଜ ହୋଇଥାନ୍ତି। ଅଧୀକ୍ଷକଙ୍କୁ ଧରି ହଷ୍ଟେଲ ନିକଟରେ ପହଞ୍ଚନ୍ତି। ହେଲେ ଆଉ ଆଗକୁ ବଢ଼ିପାରନ୍ତି ନାହିଁ। ଅଣଛାତ୍ରଙ୍କୁ ତଡ଼ିବେ କ’ଣ ହଷ୍ଟେଲ ଆଗରୁ ହିଁ ପ୍ରବେଶ କରିପାରନ୍ତି ନାହିଁ।

ଏହି ଦୁଇ ହଷ୍ଟେଲର ସୁରକ୍ଷା କଥା ନ କହିବା ଭଲ। କେବଳ ଛାତ୍ର ସଂସଦ ନିର୍ବାଚନ ସମୟରେ ଏହି ହଷ୍ଟେଲଗୁଡ଼ିକ ଆଗରେ ପୁଲିସ ପଇଁତରା ରହିଥାଏ। ନ ହେଲେ ସବୁବେଳେ ହଷ୍ଟେଲର ଆଗ ପଛ ସବୁ ମେଲା। କିଏ କେତେବେଳେ ଆସିଲା ଗଲା, ତାହାର ଖବର କାହା ପାଖରେ ନାହିଁ। କୌଣସି ସୁରକ୍ଷା କର୍ମୀ ଏହି ଦୁଇ ହଷ୍ଟେଲ ପ୍ରବେଶ ଦ୍ବାରରେ ତିଷ୍ଠି ପାରି ନାହାନ୍ତି। ଅଣଛାତ୍ରଙ୍କୁ ବିରୋଧ କରି ସୁରକ୍ଷା କର୍ମୀମାନେ ଛାତ୍ରନେତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଯେ ବାଣୀବିହାରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇବା ପାଇଁ ୨୦୧୭ରେ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଇଥିଲା। ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ୭ଟି ଯାକ ଛାତ୍ରାବାସ ଓ ଛାତ୍ରୀନିବାସର ପ୍ରବେଶ ପଥରେ ଦୁଇଟି ଲେଖାଏ ସିସିଟିଭି ଲାଗିଥିଲା। କ୍ୟାମ୍ପସର ମୁଖ୍ୟ ପ୍ରବେଶ ପଥରେ ଦୁଇଟି ସିସିଟିଭି କ୍ୟାମେରା ଲାଗିଥିଲା। ବାକି ଦୁଇଟି ପ୍ରବେଶ ପଥରେ ଗୋଟିଏ ଲେଖାଏ କ୍ୟାମେରା ଲଗା ଯାଇଥିଲା। ଏବେ କିନ୍ତୁ ସବୁ କିଛି ବଦଳି ଯାଇଛି। ନା ମୁଖ୍ୟ ପ୍ରବେଶ ପଥ ସିସିଟିଭି କାମ କରୁଛି ନା‌ ଛାତ୍ରାବାସ ପ୍ରବେଶ ପଥରେ ସିସିଟିଭି ଅଛି। ଏବେ ସବୁ ଅଚଳ। ଅବଶ୍ୟ ଛାତ୍ରୀ ନିବା‌ସଗୁଡ଼ିକରେ ଲାଗିଥିବା ସିସିଟିଭିଗୁଡ଼ିକ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ୭ ନମ୍ବର ହଷ୍ଟେଲ ଚଢ଼ଉ ପରେ ବିଶ୍ବବିଦ୍ୟାଳୟ କୁଳସଚିବ ହଷ୍ଟେଲ ସୁପରିନ୍‌ଟେଣ୍ଡେଣ୍ଟମାନଙ୍କଠାରୁ ରିପୋର୍ଟ ମାଗିଛନ୍ତି। କେଉଁ ହଷ୍ଟେଲରେ କେତେ ଅଣଛାତ୍ର ରହୁଛନ୍ତି, ତାହାର ତାଲିକା ୪୮ ଘଣ୍ଟା ଭିତରେ ଦେବାକୁ କହିଛନ୍ତି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ଅଣଛାତ୍ର କିଭଳି ଚିହ୍ନଟ କରି‌ବେ ଛାତ୍ରାବାସ ଅଧୀକ୍ଷକ? ରାତିରେ ଚଢ଼ଉ କରି ଅଣଛାତ୍ରଙ୍କୁ ଖୋଜି ପାରିବେ ତ? ୧୦ ବର୍ଷ ହେଲା ଯେଉଁ ଦୁଇ ଜଣ ପୂର୍ବତନ ଛାତ୍ର ସଂସଦ ସଭାପତି ହଷ୍ଟେଲରେ ରୁମ୍‌ ମାଡ଼ି ବସିଛନ୍ତି ସେମାନଙ୍କୁ ହଟାଇ ପାରିବେ ତ? ନା‌ ପୂର୍ବରୁ କୁଳସଚିବ ଥିବା ଜଣେ ଓଏଏସ୍‌ ଅଧିକାରୀଙ୍କ ସମୟରେ ଯେଉଁଭଳି ସ୍ଥିତି ଉପୁଜିଥିଲା, ସେମିତି ହେବ। ସେତେବେଳେ ବି ସମାନ ଢଙ୍ଗରେ କୁଳସଚିବ ଜଣକ ଏକ ଓ ଦୁଇ ନମ୍ବର ହଷ୍ଟେଲରୁ ଅଣଛାତ୍ରଙ୍କୁ କାଢ଼ିବାକୁ ପ୍ରୟାସ କରିଥିଲେ। ଚଢ଼ଉ ବି କରିଥିଲେ। ପରିଣାମସ୍ବରୂପ ଛାତ୍ରଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା। କୁଳସଚିବଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଗଲା। ଶେଷରେ ପରିସ୍ଥିତି ଏମିତି ହେଲା ଯେ ଓଏଏସ୍‌ ଅଧିକାରୀଙ୍କର ରାତାରାତି ବଦଳି ହୋଇଯାଇଥିଲା।

ପାଚେରି ବୁଲାଇ ପାରିଲେନି
ଦୀର୍ଘ ବର୍ଷ ହେଲା ଭାଙ୍ଗି ପଡ଼ିଛି ବାଣୀବିହାର କ୍ୟାମ୍ପସ ପାଚେରି। ଏହାର ସୁଯୋଗ ନେଇ ବସ୍ତିବାସିନ୍ଦାମା‌ନେ କ୍ୟାମ୍ପସ ଭିତରକୁ ପ୍ରବେଶ କଲେଣି। ଘର ନିର୍ମାଣ କରିଛନ୍ତି। ସେଠାକୁ ବିଜୁଳି ସଂଯୋଗ, ପାଣି ପାଇପ ବିଛା ଯାଇଛି। ପାଚେରି ନଥିବାରୁ ଛାତ୍ରାବାସଗୁଡ଼ିକୁ ଲାଗି ରହିଥିବା ପଥରବନ୍ଧ ବସ୍ତି ଏବେ ଧୀରେ ଧୀ‌ରେ ଛାତ୍ରାବାସ ନିକଟରେ ପହଞ୍ଚି ଗଲେଣି। କ୍ୟାମ୍ପସ୍‌ର ଏକ ଓ ଦୁଇ ନମ୍ବର ଛାତ୍ରାବାସକୁ ଲାଗି ବସ୍ତିବାସିନ୍ଦା ରହୁଛନ୍ତି। ପ୍ରତିଦିନ ହଷ୍ଟେଲ ପଛ ପାର୍ଶ୍ବରେ ଅସାମାଜିକଙ୍କ ଆଡ଼ା ଜମୁଥିଲେ ମଧ୍ୟ ରୋକାଯାଇ ପାରୁନି। ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କଠାରୁ ଆରମ୍ଭ କରି କୁଳପତି, କୁଳସଚିବ, କୁଳାଧିପତିଙ୍କ କାର୍ଯ୍ୟାଳୟର ଅଧିକାରୀମାନେ କ୍ୟାମ୍ପସରେ ପାଚେରିର ସ୍ଥିତି ଦେଖି ଯାଉଛନ୍ତି। ଖୁବ୍‌ଶୀଘ୍ର ପାଚେରି ବୁଲିବ ବୋଲି କହୁଛନ୍ତି। ହେଲେ କାର୍ଯ୍ୟ ଆଗେଇ ପାରୁନି। ଏପରିକି ବର୍ତମାନର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କାର୍ଯ୍ୟରେ ଯୋଗଦେବା ପରେ ପାଚେରି ବୁଲାଇବାକୁ ପ୍ରାଥମିକତା ଦେବେ ବୋଲି କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କିଛି ବି ହୋଇପାରିନି। ପାଚେରି ମରାମତି ହେବା ଦୂରର କଥା। ଏବେ ସୁଦ୍ଧା ଇଟା ଖଣ୍ଡେ ବି ଯୋଡ଼ା ହୋଇପାରି ନାହିଁ।

ସମ୍ବନ୍ଧିତ ଖବର