ପୂର୍ତ୍ତ ବିଭାଗ ବାବୁଙ୍କ ସାଇ ମନ୍ଦିର ପାଚେରି ମୋହ, କାହା ଚାପରେ ଚୁପ୍‌?

ଗୋଟିଏ ଡିଭିଜନରେ ଦୁଇଟି ନିୟମ, କେଉଁଠି ମନ୍ଦିର ଭାଙ୍ଗୁଛନ୍ତି, ତ ଆଉ କେଉଁଠି ପାଚେରିକୁ ସୁରକ୍ଷା

ଚନ୍ଦ୍ରଶେଖରପୁର: ରାଜଧାନୀର ବିକାଶ ଲାଗି ୫୦ରୁ ଅଧିକ ଛୋଟ ବଡ଼ ମନ୍ଦିର ଭଙ୍ଗା ସରିଲାଣି। କେଉଁଠି ଶିବଙ୍କ ମନ୍ଦିର ଭଙ୍ଗା ଯାଉଛି ତ ଆଉ କେଉଁଠି ଆଖଣ୍ଡଳମଣି ମନ୍ଦିର ମାଟିରେ ମିଶିଛି। ମନ୍ଦିରମାଳିନୀ ପୁରୁଣା ଭୁବନେଶ୍ୱରରେ ଅନେକ ମନ୍ଦିର ଭାଙ୍ଗିଛି। ଆଉ କିଛି ଉପରେ ଜେସିବି ଚଢ଼ାଇବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଶୈଳଶ୍ରୀବିହାର ସାଇ ମନ୍ଦିର ପାଚେରି ଭାଙ୍ଗିବାକୁ ସରକାରୀ ବାବୁଙ୍କ ହାତ ଯାଉନି କାହିଁକି? ଏହି ମନ୍ଦିର ପାଚେରିକୁ ସୁରକ୍ଷା ଦେବା ଲାଗି ଡ୍ରେନ ଦିଗ ମୋଡ଼ି ଦେଇଥିବା ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କିଛି ଦିନ କାମ ବନ୍ଦ ରହିଥିଲା। ଏବେ ପୁଣି ଥରେ ଡ୍ରେନ କାମ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ନିୟମକୁ ଜଳାଞ୍ଜଳି ଦେଇ ସରକାରୀ ବାବୁମାନେ ବେଆଇନ ନିର୍ମାଣକୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ତ୍ତ ବିଭାଗ ଅଧୀନ ଆର ଆଣ୍ଡ ବି ଡିଭିଜନ-୩ରେ ଏହି ରାସ୍ତା କାମ ଜାରି ରହିଛି। ଡିଭିଜନର ଅଧିକାରୀମାନେ ମନ୍ଦିର ପାଚେରିକୁ ସୁରକ୍ଷା ଦେବାକୁ ଯାଇ ଡ୍ରେନର ଦିଗ ବଦଳାଇ ଦେଉଛନ୍ତି। ହେଲେ କିଛି ଦିନ ତଳେ ଏହି ଡିଭିଜନ ଅଧୀନରେ ମଞ୍ଚେଶ୍ୱର ନିକଟରେ ରାସ୍ତା ନିର୍ମାଣ ଲାଗି ଏକ ମନ୍ଦିରକୁ ମାଟିରେ ମିଶାଇ ଦେଇଥିଲେ। ଯଦି ସେଠାରେ ମନ୍ଦିର ମାଟିରେ ମିଶିଲା ତେବେ ଏଠାରେ ପାଚେରି ଭାଙ୍ଗିବାକୁ ସାହସ ପାଉନି କାହିଁକି? ନା କୌଣସି ଅଦୃଶ୍ୟ ଚାପରେ ଆସି ପୂର୍ତ୍ତ ବିଭାଗ ଅଧିକାରୀମାନେ ମନ୍ଦିର ପାଚେରିକୁ ସୁରକ୍ଷା ଦେଉଛନ୍ତି।
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଜଣେ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଡିଭିଜନ ଏଦିଗରେ ପଦକ୍ଷେପ ନେବା କଥା। ହେଲେ ସେମାନେ ଚୁପ୍‌ ବସିଛନ୍ତି। ସେଠାରେ ରାସ୍ତାକୁ ସଙ୍କୁଚିତ କରାଯାଇ ଡ୍ରେନ ଦିଗ ବଦଳା ଯାଉଥିବା ଖବର ଆମ ପାଖରେ ଅଛି। ହେଲେ ଆମେ କିଛି କରିପାରିବୁ ନାହିଁ। ଆର ଆଣ୍ଡ ବି ଡିଭିଜନ-୩ ଉପରେ ସବୁ କିଛି ନିର୍ଭର କରେ। ସରକାରୀ ଜାଗାକୁ ମାଡ଼ି ଏହା ନିର୍ମାଣ ହୋଇଛି ଏଥିରେ ସନ୍ଦେହ ନାହିଁ। ଡିଭିଜନ ପକ୍ଷରୁ ଯଦି ଚିଠି ଆସିବ ତେବେ ଆମେ ପାଚେରି ଭାଙ୍ଗିବୁ। ସେଠାରେ ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ମନ୍ଦିର ନିକଟରେ ରାସ୍ତାର ଓସାରକୁ କାହିଁକି ୩୦ ଫୁଟ କମ କଲେ ସେମାନେ କହିପାରିବେ।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାସ୍ତା ଠିକ ଭାବେ ନିର୍ମାଣ କରିବା, ଡ୍ରେନ ଦିଗ ନ ବଦଳାଇବା, ସାଇ ମନ୍ଦିର ପାଚେରି ଭାଙ୍ଗିବା ଦାବିରେ କିଛି ବ୍ୟକ୍ତି ଆର ଆଣ୍ଡ ବି ଡିଭିଜନ ଅଧିକାରୀଙ୍କୁ ଭେଟିଥିଲେ। ତେବେ ଅଧିକାରୀଙ୍କ ଉତ୍ତର ଥିଲା ସାଇ ମନ୍ଦିର ପାଚେରି ଭାଙ୍ଗିବାକୁ କହୁଛନ୍ତି ଭଗବାନ ସହିବେନି। କେତେ ସୁନ୍ଦର ତୋରଣ ହୋଇଛି। ଏହାକୁ ଭାଙ୍ଗିବାକୁ କାହା ହାତ ଯିବ? ବରଂ ଆମେ ବିକଳ୍ପ ବ୍ୟବସ୍ଥା କରୁଛୁ। କାହାର କିଛି କ୍ଷତି ହେବନି। ସରକାରୀ ଅଧିକାରୀଙ୍କ ଏଭଳି ଉତ୍ତର ଶୁଣି ଅଭିଯୋଗ କରିବାକୁ ଯାଇଥିବା ବ୍ୟକ୍ତିମାନେ ତାଜୁବ ହୋଇଯାଇଥିଲେ। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ରାସ୍ତା, ଡ୍ରେନ ନିର୍ମାଣ ଲାଗି ଯଦି ସରକାରୀ ଜମିରେ ଗଢ଼ି ଉଠିଥିବା ମନ୍ଦିର, ପାଚେରି କିମ୍ବା ଯେକୋୖଣସି ନିର୍ମାଣ ଭଙ୍ଗା ଯାଇପାରିବ। ଏମିତି କି ଘରୋଇ ଆବ‌ାସିକ ସ୍ଥଳୀ ବି ଭାଙ୍ଗିବାରେ କୌଣସି ଅସୁବିଧା ନାହିଁ। ତେବେ ଏଠାରେ ପୂର୍ତ୍ତ ବିଭାଗ ବାବୁଙ୍କୁ ମନ୍ଦିର ତୋରଣ ଏତେ ଭଲ ଲାଗୁଛି ଯେ ଡ୍ରେନ ଦିଗ ବଦଳାଇ ଦେଉଛନ୍ତି। ହେଲେ ତୋରାଣରେ ହାତ ମାରୁ ନାହାନ୍ତି।

ସ୍ଥାନୀୟ ବାସିନ୍ଦା ସୁନାକର ରଣା କହିଛନ୍ତି, ମନ୍ଦିର ପାଚେରି ଭଙ୍ଗା ନଗଲେ ଆଗକୁ ଅଧିକ ସମସ୍ୟା ହେବ। ଏହି ରାସ୍ତା ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବିକଳ୍ପ ହେବାକୁ ଯାଉଛି। ରାସ୍ତା କାମ ଶେଷ ହେବାପରେ ଏପଟେ ପ୍ରବଳ ଗହଳି ହେବ। ଘରୁ ପଦାକୁ ବାହାରି ହେବନି। ତେଣୁ ଭବିଷ୍ୟତକୁ ନଜରରେ ରଖି ଏବେଠାରୁ ରାସ୍ତା ନିର୍ମାଣ କରାଯାଉ। ବସ୍ତିବାସିନ୍ଦା ଅଭିରାମ ମୁର୍ମୁଙ୍କ କହିବାନୁଯାୟୀ ଆମେ କୋଉଠି ଚେନାଏ ଜାଗା ମାଡ଼ି ବସିଲେ ରାତାରାତି ଭାଙ୍ଗି ଦେଉଛନ୍ତି। ଏଠାରେ ମନ୍ଦିର ତ ଦୂରରେ ଥାଉ ପାଚେରି ଭାଙ୍ଗିବାକୁ ହାତ ଯାଉନି। କାହା ଚାପରେ ସରକାରୀ ବାବୁମାନେ ଚୁପ୍‌ ବସିଛନ୍ତି ତାହା ସମସ୍ତେ ଜାଣନ୍ତି। ହେଲେ କେହି ମୁହଁ ଖୋଲୁ ନାହାନ୍ତି। ବଡ଼ ବଡ଼ିଆଙ୍କୁ ସବୁ ମାଫ। ଅନ୍ୟପକ୍ଷରେ ରାସ୍ତା ଓ ଡ୍ରେନ ନିର୍ମାଣରେ ସ୍ୱଚ୍ଛତା ରହୁ ନ ଥିବା ଅଭିଯୋଗ ବି ଉଠିଲାଣି। ଏନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର