ଅଥରିଟି ମିଟିଂ ପାଇଁ ତରବର କାହିଁକି? ନୂଆ ସରକାର ଗଠନକୁ ଅପେକ୍ଷା ନକରି ଚିଠି ଲେଖାଗଲା

ପୁଣି ବିବାଦରେ ନଗର ଉନ୍ନୟନ ସଚିବ ମାଥିଭାଥନନ୍‌, କାହା ସ୍ବାର୍ଥକୁ ଜଗୁଛି ବିଡିଏ

ଭୁବନେଶ୍ୱର: ପୂର୍ବରୁ ବିଡିଏର ଅଧ୍ୟକ୍ଷ ପଦ ବିଭାଗୀୟ ମନ୍ତ୍ରୀଙ୍କ ହାତରେ ରହୁଥିବା ବେଳେ ଦୀର୍ଘଦିନ ହେବ ଏହା ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ଙ୍କ ହାତରେ ରହିଛି। ଗୋଟିଏ ବିଭାଗରେ ଏତେ ବର୍ଷ ଧରି ବସି ରହିବାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ପୂର୍ବ ସରକାର ତାଙ୍କୁ ହଟାଉ ନଥିଲେ। ଯେଉଁ ବିରୋଧୀ ତାଙ୍କ ବଦଳିକୁ ନେଇ ବିଧାନସଭାରେ ତନାଘନା କରୁଥିଲେ ସେମାନେ ଏବେ ଶାସନରେ ଅଛନ୍ତି। ଏଭଳି ସ୍ଥିତିରେ ତରବରିଆ ଭାବେ ବିଡିଏର ଅଥରିଟି ମିଟିଂ ଡାକି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ମାଥିଭାଥନନ୍‌। ନୂଆ ସରକାର ଶପଥ ନେବା ପୂର୍ବରୁ ସେ ବିଡିଏର ଅଥରିଟି ମିଟିଂ ଡାକିବାକୁ ଏକ ଚିଠି କରିଥିଲେ। ତରବରିଆ ଭାବେ ଏହି ବୈଠକ ଡକାଯିବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଜୁନ୍ ୪ ତାରିଖରେ ଫଳାଫଳ ଆସିବା ପରେ ବିଜେପି ସରକାର ଗଠନ କରିବ ବୋଲି ଜନାଦେଶ ପାଇଲା। ଯେ କୌଣସି ସମୟରେ ବିଜେପି ସରକାର ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବିଡିଏର ଅଥରିଟି ବୈଠକ ଡାକିବାକୁ ଏହାର ଅଧ୍ୟକ୍ଷ ନୂଆ‌ ସରକାର ଓ ନୂଆ ମନ୍ତ୍ରୀ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିଲେନି। ଫଳାଫଳ ବାହାରିବାର ତିନି ଦିନ ପରେ ଅର୍ଥାତ ୭ ତାରିଖରେ ବିଡିଏ ସଚିବ ସବୁ ଉପବିଭାଗକୁ ଚିଠି କରି ୧୫ ଦିନ ଭିତରେ ୧୪୯ତମ ଅଥରିଟି ମିଟିଂ ହେବ ବୋଲି ଜଣାଇଛନ୍ତି। ଏହା ସହ ପୂର୍ବ ବୈଠକର ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହୋଇଛି, ତାହା ଜଣାଇବାକୁ କହିଛନ୍ତି। ଏହି ଚିଠିକୁ ନେଇ ବିବାଦ ଦେଖାଦେଇଛି। ଯେହେତୁ ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଥିଲା, ତେଣୁ ସେହି ସମୟରେ ଏପରି ତରବରିଆ ଭାବେ ଅଥରିଟି ମିଟିଂ ପାଇଁ କାହିଁକି ଚିଠି କରାଗଲା ବୋଲି ପ୍ରଶ୍ନ ଉଠୁଛି। ଅଧ୍ୟକ୍ଷଙ୍କ ବିନା ଅନୁମତିରେ ସଚିବ କଦାପି ଏପରି ଚିଠି ଲେଖି ନଥିବେ। ଅଧ୍ୟକ୍ଷ କିପରି ଏହି ନିଷ୍ପତ୍ତି ନେଲେ, ତାହା ସମସ୍ତଙ୍କୁ ଚକିତ କରିଛି। କ’ଣ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଦରକାର ପଡ଼ିଲା ଯେ, ନୂଆ ସରକାର ଓ ମନ୍ତ୍ରୀଙ୍କୁ ଅପେକ୍ଷା ନକରି ଅଧ୍ୟକ୍ଷ ମାଥିଭାଥନନ୍‌ ଏଭଳି ବୈଠକ ଡାକିଲେ? ଏଥିରେ କାହାର କି ସ୍ବାର୍ଥ ସାଧନ ହେବାର ଥିଲା?

ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି ଆକ୍ଟ(ଓଡିଏ)-୧୯୮୨ ଅନୁସାରେ ଉପାଧ୍ୟକ୍ଷ ଆଇଏଏସ୍‌ ଅଫିସର ରହିବେ ଓ ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ରହିବେ। ବିଡିଏର କୌଣସି ନିଷ୍ପତ୍ତି ବିରୋଧରେ ଯଦି କାହାର କିଛି ଆପତ୍ତି ଥାଏ କିମ୍ବା ବିଡିଏର ନିଷ୍ପତ୍ତି ବିରୋଧରେ ଚାଲେଞ୍ଜ କରିବାକୁ ହୁଏ ତେବେ ଅଧ୍ୟକ୍ଷଙ୍କ ନିକଟରେ ଅପିଲ କରିବ। ସେଥିପାଇଁ ମନ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦ ଦିଆଯାଇଥାଏ। ଏଥିପାଇଁ ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥାଏ। ୨୦୦୫ ମସିହାରେ ଗେଜେଟ୍‌ ବିଜ୍ଞପ୍ତି ମୁତାବକ ତତ୍‌କାଳୀନ ମନ୍ତ୍ରୀ ତଥା ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଅଧ୍ୟକ୍ଷ ରହିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୪ ମସିହାରେ ଭୁବନେଶ୍ବର, କଟକ, କଳିଙ୍ଗନଗର, ପାରାଦୀପ ଓ ପିକେଡିଏର ଅଧ୍ୟକ୍ଷ ଭାବେ ମନ୍ତ୍ରୀଙ୍କୁ କ୍ଷମତାସୀନ କରାଯାଇଥିଲା। କିନ୍ତୁ ଏହି ଆଇନର ଉଲ୍ଲଂଘନ କରାଯାଇ ବିଡିଏର ଅଧ୍ୟକ୍ଷ ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ନିଯୁକ୍ତ ଦିଆଯାଇଥିଲା। ଯାହା ଓଡିଏ ଆକ୍ଟ ଉଲ୍ଲଂଘନ ବୋଲି ଜଣେ ଆଇନଜୀବୀ ଓ ଦୁଇଜଣ ସୂଚନା ଅଧିକାର କର୍ମୀ ସରକାରଙ୍କୁ ଅଭିଯୋଗ କରିଥିଲେ। ମୟୂରଭଞ୍ଜର ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ କରିବା ପରେ ସେ ଏ ଯାବତ୍‌ ବିଡିଏର ସମୀକ୍ଷା କରିନାହାନ୍ତି। ବିଡିଏ ଅଧ୍ୟକ୍ଷ ପଦ ନେଇ ସରକାର ମଧ୍ୟ ନିଷ୍ପତ୍ତି ନେଇ ନାହାନ୍ତି। ଏଭଳି ସ୍ଥିତିରେ ଅଥରିଟି ବୈଠକ ପାଇଁ ତରବରିଆ ନିଷ୍ପତ୍ତି ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି।

ସମ୍ବନ୍ଧିତ ଖବର