ବିଏମ୍‌ସି କମିସନର୍‌ଙ୍କ ଏକ ଚିଠି ଏବେ ଚର୍ଚ୍ଚାରେ। କେବଳ ବିଏମ୍‌ସିରେ ନୁହେଁ, ରାଜ୍ୟ ପାୱାର୍‌ କରିଡର୍‌ରେ ବି ଏହାକୁ ନେଇ ଆଲୋଚନା। ଜନପ୍ରତିନିଧିଙ୍କୁ ଯଥୋଚିତ ସମ୍ମାନ ଦେବାକୁ ବିଏମ୍‌ସିର ଅଧିକାରୀ ଓ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି କମିସନର୍‌। ଜନପ୍ରତିନିଧିଙ୍କ କଥା ନ ଶୁଣିଲେ ଓ ତାଙ୍କ ସହ ସମନ୍ବୟ ଠିକ୍ ନରହିଲେ, ଗଣତାନ୍ତ୍ରିକ ବ୍ୟବସ୍ଥା‌ରେ ପରିଣାମ କ’ଣ ହୁଏ, ତାହା ବି କମିସନର୍‌ ଚେତାଇ ଦେଇଛନ୍ତି। କମିସନର୍‌ ଭଲ କାମଟିଏ କରିଛନ୍ତି। ବର୍ତ୍ତମାନ ସମୟରେ ଜଣେ ଆଇଏଏସ୍‌ ଅଫିସର୍‌ ଜନପ୍ରତିନିଧିଙ୍କୁ ସମ୍ମାନ ଦେବା ପାଇଁ କହିବା କିଛି କମ୍ କଥା ନୁହେଁ।

Advertisment

publive-image

ଏଥିରେ ଆନ୍ତରିକତା କେତେ, ତାହା ପରେ ଜଣାପଡ଼ିବ। କିନ୍ତୁ ବିଏମ୍‌ସିର ଅଧିକାରୀମାନେ ଜନପ୍ରତିନିଧିମାନଙ୍କୁ କାହିଁକି ମାନିବେ ବୋଲି କିଛି ଲୋକ ପ୍ରଶ୍ନ କରୁଛନ୍ତି। ଏମିତି ପ୍ରଶ୍ନ ଆସିବା ବି ସ୍ବାଭାବିକ। କାରଣ ତଳ ପାହ୍ୟାର ଅଧିକାରୀମାନେ ନିଜ ବରିଷ୍ଠମାନଙ୍କଠାରୁ ପ୍ରଶାସନିକ ବ୍ୟବହାର ଶିଖନ୍ତି। ଏବେ ତ ବିଭିନ୍ନ ବିଭାଗର ସଚିବମାନେ ବିଧାୟକଙ୍କୁ ମାନୁନାହାନ୍ତି। ନିଜେ ବିଧାୟକମାନେ ବିଧାନସଭାରେ ବାରମ୍ବାର ଆପତ୍ତି ଉଠାଉଛନ୍ତି। ଗର୍ଜନ ତର୍ଜନ କରୁଛନ୍ତି। ଅସନ୍ତୋ‌ଷ ଝାଡ଼ୁଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ନେଇ ବାଚସ୍ପତି ବୈଠକ କରୁଛନ୍ତି।

କିନ୍ତୁ ଫଳ ଶୂନ। ରାଜ୍ୟ ସ୍ତରରେ ବହୁ ସଚିବ ଓ ଜିଲ୍ଲା ସ୍ତରରେ ବହୁ ଜିଲ୍ଲାପାଳ ଯେମିତି ରାଣ ଖାଇଛନ୍ତି ଜନପ୍ରତିନିଧିମାନଙ୍କୁ ମାନିବେ ନାହିଁ। ନମାନିଲେ କିଏ କ’ଣ ସେମାନଙ୍କର କରିଦେବ‌ ଯେ? ତେଣୁ ବରିଷ୍ଠ ଆଇଏଏସ୍‌ମାନେ ଜନପ୍ରତିନିଧିଙ୍କୁ ନମାନି ଯେଉଁ ଅଲୋଡ଼ା ଉଦାହରଣ ସୃଷ୍ଟି କରୁଛନ୍ତି, ସେହି ରାସ୍ତାରେ କନିଷ୍ଠମାନେ ବି ଯାଉଛନ୍ତି। ଏଥିରେ ନୂଆ କିଛି ନାହିଁ। ଯେମିତି ମନ୍ତ୍ରୀ, ବିଧାୟକଙ୍କ କଥା ନଶୁଣିଲେ ସଚିବଙ୍କର କିଛି ହେବାର ନାହିଁ, ସେମିତି କର୍ପୋରେଟର୍‌ଙ୍କ କଥା ନଶୁଣିଲେ ବିଏମ୍‌ସି ଅଧିକାରୀମାନଙ୍କର ବି କିଛି ହେବାର ନାହିଁ। ତେଣୁ ଉପର ଠିକ୍ ନହେଲେ କମିସନର୍‌ ଶହେ ଚିଠି ଲେଖିଲେ ବି ତାହା ଡଷ୍ଟବିନ୍‌ରେ ପଡ଼ିବା ଥୟ।

- ଅମିତାଭ