ଜାଗା ମିସନ୍‌ରେ ହିତାଧିକାରୀ ଚୟନରେ ବ୍ୟାପକ ଦୁର୍ନୀତି : କଂଗ୍ରେସ

ଭୁବନେଶ୍ବର: ଜାଗା ମିସନ‌ରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଛି। ରାଜ୍ୟ ସରକାର ସ୍ବଚ୍ଛତାର ଡିଣ୍ଡିମ ପିଟୁଥିବା ବେଳେ ବିଏମ୍‌ସିର ଗୋଟିଏ ବସ୍ତିରୁ ମିଳିଥିବା ତଥ୍ୟ ରାଜଧାନୀରେ ହିତାଧିକାରୀ ଚୟନରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିବା‌ରେ ସଫଳ ହୋଇଛି। ଚନ୍ଦକା, ଦାସପୁର ମୌଜା, ଅନ୍ଧାରୁଆ, ଡୁମୁଡୁମା ଫେଜ-୫, ଖଣ୍ଡଗିରି ବାରିରେ ଜମି, କୋଠା ଓ କାର ଥିବା ଲୋକ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଯଦି ରାଜ୍ୟ ସରକାର ପ୍ରକୃତରେ ସହରାଞ୍ଚଳର ଗରିବ ଲୋକଙ୍କ ଜମି ଅଧିକାର ଦେବା ପାଇଁ ଚିନ୍ତା କରୁଛନ୍ତି ତାହାଲେ ଏହି ତାଲିକାକୁ ଖାରଜ କରି ଆଉ ଥରେ ନିରପେକ୍ଷ ଭାବେ ହିତାଧିକାରୀ ଚୟନ କରିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଲେ, ବିଏମ୍‌ସି ପକ୍ଷରୁ ୱାର୍ଡ-୨୫ ବେହେରା ବସ୍ତିର ‘ଜାଗା ମିସନ୍’ ହିତାଧିକାରୀ ତାଲିକା ଚଳିତମାସ ୬ତାରିଖରେ ପ୍ରକାଶ କରିଥିଲେ। ହେଲେ ହିତାଧିକାରୀ ତାଲିକାରେ ଘରବାଡ଼ି, କୋଠା, କାର, ଟ୍ୟାକ୍ସି ଓ ଦୋକାନ ଥିବା ଲୋକଙ୍କୁ ସ୍ଥାନ ଦିଆଯାଇଛି। ଗୋଟିଏ ପରିବାରକୁ ଜମି ଯୋଗାଇବା ପରିବର୍ତେ ସ୍ବାମୀ, ସ୍ତ୍ରୀ, ପୁଅ ଓ ଝିଅଙ୍କୁ ଅଲଗା ଅଲଗା କରି ହିତାଧିକାରୀ ତାଲିକାରେ ସାମିଲ କରାଯାଇଛି। ବିଜେଡି କର୍ମୀ ଓ ସ୍ଥାନୀୟ ନେତୃତ୍ବ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ମାତ୍ର ବସ୍ତିରେ ୨୫-୩୦ବର୍ଷ ଧରି ରହୁଥିବା ଲୋକଙ୍କ ନାଁକୁ କାଟି ଦିଆଯାଇଛି। ଏହି ତାଲିକାକୁ କିଏ ଓ କାହିଁକି ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବସ୍ତିରେ ପ୍ରକାଶ ନ କରି ଚାପି ରଖିଥିଲେ ତାହା ଏବେ ପ୍ରଶ୍ନବାଚୀ ପାଲଟିଛି। ୧୧ ତାରିଖ ସଂଧ୍ୟା ବେଳେ ଏହି ତାଲିକା ବସ୍ତିରେ ଲଗାଯାଇଛି। ୨ଦିନ ସମୟ ଭିତରେ ଅଭିଯୋଗ କରିବା ଲାଗି କୁହାଯାଇଥିଲା। ଏହି ୨ଦିନ ଭିତରେ ଗୋଟିଏ ଦିନ ରବିବାର ରହିଛି। ତେଣୁ ଗୋଟିଏ ଦିନରେ ଲୋକମାନେ କିଭଳି ଅଭିଯୋଗ କରିବେ ? ତରବରିଆଭାବେ ଭୁଲ୍ ତାଲିକା ପ୍ରକାଶ କରି ଦଳୀୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚକ୍ରାନ୍ତ କରାଯାଇଛି।

ଜମି, କୋଠା, କାର ଥିବା ଲୋକ ତାଲିକାରେ ସ୍ଥାନ ପାଇଛନ୍ତି
ଭୁଲ୍‌ ହିତାଧିକାରୀ ଚୟନରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ?

ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ୨୦୧୭ ମସିହା ସୁଦ୍ଧା ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟର ସହରାଞ୍ଚଳର ୧୮ଲକ୍ଷରୁ ଅଧିକ ଲୋକ ବସ୍ତିରେ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ୨୦୨୩ ମସିହା ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ବସ୍ତିମୁକ୍ତ କରିବା ପାଇଁ ପ୍ରକାଶ କରିଥିଲେ। ମାତ୍ର ପ୍ରକୃତ ହିତାଧିକାରୀ ଚୟନ କରିବା ପରିବର୍ତେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ତାଲିକାରେ ସ୍ଥାନ ଦିଆଯାଇଛି। ଦୁର୍ନୀତିରେ ବୁଡ଼ି ରହିଥିବା ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ମିଳିତ ମେଣ୍ଟରେ ଏ ସରକାର ଚାଲିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ମୁଖପାତ୍ର ରଜନୀ ମହାନ୍ତି, ଅଶୋକ ଦାସ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର