ଭୁବନେଶ୍ବର: ବହୁ ଚର୍ଚ୍ଚିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ ନାଁରେ ଆସିଛି ଆଉ ଏକ ସଂଗିନ୍‌ ଅଭିଯୋଗ। ବୈକୁଣ୍ଠଧାମ ଆଶ୍ରମରେ ତାଙ୍କ ପତ୍ନୀ ହଜିଯାଇଛନ୍ତି ବୋଲି କେନ୍ଦୁଝରର ଜଣେ ଯୁବକ ଆଜି ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ୪ବର୍ଷରୁ ଅଧିକ କାଳ ହେଲା ତାଙ୍କ ଉଚ୍ଚଶିକ୍ଷିତା ସ୍ତ୍ରୀଙ୍କୁ ଆଶ୍ରମର ମୁଖ୍ୟ ପଣ୍ଡିତ କାଶୀନାଥ ମିଶ୍ର ଓ ଅନ୍ୟମାନେ କବ୍‌ଜା କରି କେଉଁଠି ଲୁଚାଇ ରଖିଛନ୍ତି ବୋଲି ଅଭିଯୋଗକାରୀ ଜିତେନ୍‌ ଗିରି କହିଛନ୍ତି। କେବଳ ସେତିକି ନୁହେଁ, ଏହି ଆଶ୍ରମରେ କିଭଳି ମହିଳାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା ଏବଂ କିଭଳି ଏଠାକୁ ବିଦେଶୀ ପାଣ୍ଠି ଆସୁଥିଲା, ସେନେଇ ମଧ୍ୟ ଜିତେନ୍‌ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଅନୈତିକ କାରବାରରେ ରାଜଧାନୀର କିଛି କଲେଜ ଛାତ୍ରୀଙ୍କ ସହିତ ବେଙ୍ଗାଲୁରୁ ଓ ହରିୟାଣାର ଦଲାଲମାନେ ସାମିଲ ଅଛନ୍ତି ବୋଲି ମଧ୍ୟ ସେ କହିଛନ୍ତି। ଆଜି ବୈକୁଣ୍ଠଧାମକୁ ନେଇ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜଧାନୀରେ ସରଗରମ ଚର୍ଚ୍ଚା ଲାଗିରହିଛି।

Advertisment

ଜିତେନ୍‌ଙ୍କ ଅଭିଯୋଗ ଅନୁସାରେ ଆଚାର୍ଯ୍ୟବିହାରରେ ରହି ତାଙ୍କ ପତ୍ନୀ ଶର୍ମିଳା(ଛଦ୍ମନାମ) ରାଜଧାନୀର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଏମ୍‌ଫିଲ୍‌ କରୁଥିଲେ। ସେତେବେଳେ ଜିତେନ୍‌ ମୟୂରଭଞ୍ଜରେ ରହୁଥିଲେ। ସେମାନେ ଭଲ ପାଇ ବାହାହେଇଥିଲେ ଏବଂ  ଶର୍ମିଳାଙ୍କ ପିଏଚ୍‌ଡି ଡିଗ୍ରି ପାଇଁ ସେ ଭୁବନେଶ୍ବରରେ ସବୁ ବ୍ୟବସ୍ଥା କରିଦେଇଥିଲେ। ଏହା ଭିତରେ ଶିବାନୀ ନାମକ ଜଣେ ଛାତ୍ରୀ ତାଙ୍କୁ ବୈକୁଣ୍ଠଧାମ ଆଶ୍ରମ ନେଇଥିଲା। ବାବା କାଶୀନାଥଙ୍କ ଶରଣ ନେଲେ ସବୁ ସମସ୍ୟାର ଅନ୍ତ ହୋଇଯିବ ବୋଲି ଶିବାନୀ ତାଙ୍କୁ ବୁଝାଇଥିଲା। କିଛି ଦିନ ପରେ ଶର୍ମିଳା ଆଚାର୍ଯ୍ୟବିହାର ଭଡ଼ାଘରୁ ଖଣ୍ଡଗିରିକୁ ଚାଲିଯାଇଥିଲେ। ସେଠାରେ ଆଶ୍ରମର ଜଣେ ଭକ୍ତ ପଦ୍ମଲୋଚନ ବେହେରା ରହିବା ପାଇଁ ବନ୍ଦୋବସ୍ତ କରିଦେଇଥିଲେ। ଜିତେନ୍‌ଙ୍କ କହିବା କଥା ଏହାପରଠୁ ଶର୍ମିଳାଙ୍କ ହାବଭାବ ବଦଳି ଯାଇଥିଲା। ଆଶ୍ରମକୁ ଆସୁଥିବା ବେଙ୍ଗାଲୁରୁର କ୍ରିଷ୍ଣାନନ୍ଦ ପ୍ରଭୁ, ହରିୟାଣାର ମହିଳା ଭିକ୍କି ମା’ଙ୍କ ଭଳି ଚରିତ୍ରମାନେ ଶର୍ମିଳାଙ୍କ ମୁଣ୍ଡକୁ ବିଗାଡ଼ି ଦେଇଥିଲେ। ଏକଦା ଶର୍ମିଳା ତାଙ୍କୁ କହିଥିଲେ କି ସେ ବହୁତ ଦୂରକୁ ଚାଲିଯାଇଛନ୍ତି ଏବଂ ଆଉ ପଛକୁ ଫେରିପାରିବେ ନାହିଁ। କାରଣ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହା ଜାଣିବା ପରେ ଜିତେନ୍‌ ସିଧାସଳଖ କାଶୀନାଥଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଶର୍ମିଳାଙ୍କୁ ଫେରିପାଇବାକୁ ହେଲେ ତାଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କାଶୀନାଥ ଧମକ ଦେଇଥିଲା। ଏହାପରଠୁ ଶର୍ମିଳା ଉଭାନ ହୋଇଯାଇଥିଲେ। ଜିତେନ୍‌ ଯେତେ ଖୋଜିଲେ ବି ପାଇଲେ ନାହିଁ। ହଠାତ୍ ଶର୍ମିଳା ତାଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇଥିବା ଜିତେନ୍‌ କହିଛନ୍ତି। ଛାଡ଼ପତ୍ର ପାଇଁ ଏକ ଆଇନଗତ ପ୍ରକ୍ରିୟା ଥିବା ସତ୍ତ୍ବେ ଶର୍ମିଳା ବୈକୁଣ୍ଠଧାମ ଚକ୍ରବ୍ୟୂହରେ ଫସି ଏକତରଫା ଭାବେ ପଠାଇଛନ୍ତି। ତେଣୁ ପୁଲିସ ଏହି ମାମଲାର ଉପଯୁକ୍ତ ଖୋଳତାଡ଼ କଲେ, ବୈକୁଣ୍ଠଧାମରେ ଥିବା ନର୍କକୁଣ୍ଡର ପର୍ଦ୍ଦାଫାସ ହୋଇପାରିବ ବୋଲି ଜିତେନ୍‌ କହିଛନ୍ତି।