କରୋନା କଷ୍ଟ! ଗର୍ଭନଷ୍ଟକୁ ନା କରିବାରୁ… ସ୍ତ୍ରୀକୁ ହସ୍ପିଟାଲ୍‌ରେ ଛାଡ଼ି ସ୍ବାମୀ ଛୁ’

ବାଲିଅନ୍ତା: ଦ୍ବିତୀୟ ଗର୍ଭ ନଷ୍ଟ କରିବାକୁ ମନା କରିବାରୁ ସ୍ବାମୀ ରାଗରେ ସ୍ତ୍ରୀଙ୍କୁ ହସ୍ପିଟାଲରେ ଛାଡ଼ି ଛୁ’ ମାରିବା ଘଟଣା ବାଲିଅନ୍ତାରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଆଜି ବାଲିଅନ୍ତା‌ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି। ବାଲିଅନ୍ତା ଥାନା ପୁଲିସ ସହିଦନଗର ଥାନା ପୁଲିସ ସହଯୋଗରେ ପଥରବନ୍ଧ ବେହେରା ସାହିରେ ରହୁଥିବା ସ୍ବାମୀ ସହ ଯୋଗାଯୋଗ କରି ପଚରାଉଚରା ଚଳାଇଛି। ସ୍ବାମୀଙ୍କ ରାଗର କାରଣ ବାବଦରେ ପୁଲିସ ପ୍ରାଥମିକ ତଦନ୍ତରୁ କିଛି ସୁରାକ୍‌ ପାଇଥିଲେ ବି ସ୍ପଷ୍ଟ କରିନାହିଁ। ତେବେ ମହାମାରୀ କରୋନା ସଂକଟ ସମୟରେ ଆଉ ଏକ ପିଲା ଜନ୍ମର ବୋଝକୁ ସହି ନ ପାରିବାର ଭୟରେ ସ୍ବାମୀ ଏଭଳି କାଣ୍ଡ କରିଥିବା ଆଲୋଚନା ହେଉଛି।

News Nation

ମହିଳାଜଣକ ଗର୍ଭବତୀ ହେବା ପରେ ଗତ କିଛି ଦିନ ହେଲା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା। ପୂର୍ବରୁ ସେମାନଙ୍କର ଏକ ପୁତ୍ର ସନ୍ତାନ ଥିବାରୁ ସ୍ବାମୀ ଏବେ ଆଉ ଏକ ସନ୍ତାନ ଜନ୍ମ ସପକ୍ଷରେ ନଥିଲେ। ତେଣୁ ଉକ୍ତ ଗର୍ଭକୁ ନଷ୍ଟ କରିବାକୁ ସେ ସ୍ତ୍ରୀଙ୍କ ଉପରେ ଚାପ ପକାଉଥିଲେ। ମାତ୍ର ସ୍ତ୍ରୀ ରାଜି ହେଉନଥିଲେ। ଗତକାଲି ସେମାନେ ନିୟମିତ ଯାଞ୍ଚ ପାଇଁ ହାଇଟେକ୍‌ ହସ୍ପିଟାଲ୍‌କୁ ଯାଇଥିଲେ। ଗର୍ଭନଷ୍ଟକୁ ନେଇ ହସ୍ପିଟାଲ ଯିବା ରାସ୍ତାରେ ପୁଣି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମାତ୍ର ସ୍ତ୍ରୀ ମୋଟେ ରାଜି ହୋଇନଥିଲେ। ତେଣୁ ରାଗରେ ସ୍ବାମୀ ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ସ୍ତ୍ରୀଙ୍କୁ ଛାଡ଼ି କେଉଁଆଡ଼େ ପଳାଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ବିଚାରି ସ୍ତ୍ରୀ ନିଜ ବାପଘର ବେଣୁପୁରକୁ ବଡ଼ କଷ୍ଟରେ ଚାଲି ଚାଲି ଯାଇଥିଲେ। ପରେ ସେ ଯେତେ ଚେଷ୍ଟା କଲେ ମଧ୍ୟ ସ୍ବାମୀଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ଦିନ ଯାଇ ରାତି ହୋଇଥିଲେ ମଧ୍ୟ ହସ୍ପିଟାଲରେ ଛାଡ଼ି ପଳାଇଥିବା ସ୍ବାମୀ ଆଉ ସ୍ତ୍ରୀଙ୍କୁ ଖୋଜି ନଥିଲେ। ତେଣୁ ଆଜି ସେ ବାଧ୍ୟ ‌ହୋଇ ତାଙ୍କ ବାପାଙ୍କ ସହ ବାଲିଅନ୍ତା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର