ପତ୍ନୀହନ୍ତା ସ୍ବାମୀକୁ ୧୦ବର୍ଷ କାରାଦଣ୍ଡ

ଭୁବନେଶ୍ବର: ଜଣେ ମହିଳାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ମାମଲାରେ ଆଜି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ୧୦ ବର୍ଷ ପରେ ଆସିଥିବା ଏହି ରାୟରେ କୋର୍ଟ ପତ୍ନୀହନ୍ତା ସ୍ବାମୀକୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଜରିମାନା ଅନାଦାୟ ହେଲେ ଆସାମୀକୁ ଅଧିକ ୬ମାସ ‌କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ନିର୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ଦୋଷୀ ସାବ୍ୟସ୍ତ ହୋଇଥିବା ଆସାମୀ ଟୁଟୁ ଗୁଣି ଚନ୍ଦ୍ରଶେଖରପୁର ଥାନା ନୀଳମାଧବ ବସ୍ତିରେ ପତ୍ନୀ ରଞ୍ଜୁଲତା ନାୟକ ଓ ଛୋଟ ଶିଶୁ କନ୍ୟା‌ ସହ ରହୁଥିଲା। ବିଭିନ୍ନ ସମୟରେ ପତି ପତ୍ନୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା। ଟୁଟୁ ସବୁବେଳେ ରଞ୍ଜୁଙ୍କୁ ମାନସିକ ଓ ଶାରିରୀକ ନର୍ଯ୍ୟାତନା ଦେଇଆସୁଥିଲା। ଗତ ୨୦୧୨ ଜୁଲାଇ ୪ ତାରିଖ ବିଳମ୍ବିତ ରାତିରେ ଟୁଟୁ ରଞ୍ଜୁଙ୍କ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲା। ରଞ୍ଜୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍‌ପିଟାଲ୍ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ରଞ୍ଜୁଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଏହି ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଟୁଟୁଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା। ଅତିରିକ୍ତ ଜିଲ୍ଲା ଦୌରାଜଜ ମିନାକ୍ଷୀ ଦାସ ଏହି ମାମଲାର ଶୁଣାଣୀ କରି ଅଭିଯୁକ୍ତ ସ୍ବାମୀ ଟୁଟୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସୁରେଶ ଚନ୍ଦ୍ର ବାରିକଙ୍କ ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର