ଜେଲ୍ ଗଲା ପତ୍ନୀହନ୍ତା ବଙ୍କୁ, ନିଶା ପାଇଁ ଟଙ୍କା ମାଗି ପତ୍ନୀଙ୍କ ସହ ନିୟମିତ ଝଗଡ଼ା କରୁଥିଲା

ରାତି ୩ଟା ୩୦ରେ ଛୁରି ଭୁସି ହତ୍ୟା କରିଥିଲା, ଝିଅ କାନ୍ଦିବାରୁ ବେକ କାଟିଦେଲା

ଭୁବନେଶ୍ବର: ଗୁରୁବାର ଘାଟିକିଆସ୍ଥିତ ଜେବି ଦାଶ କଲୋନିରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ଭରତପୁର ଥାନା ପୁଲିସ ଆଜି ପତ୍ନୀହନ୍ତା ସଞ୍ଜିତ ଦାଶ ଓରଫ୍ ବଙ୍କୁକୁ ଗିରଫ କରିଛି। ପତ୍ନୀ ସରସ୍ବତୀଙ୍କୁ ନିଶା ପାଇଁ ଟଙ୍କା ମାଗି ପାଇବାରେ ବିଫଳ ହେବାରୁ ତାଙ୍କୁ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି। ବଙ୍କୁ ହତ୍ୟା କରିଥିବା ସ୍ବୀକାର କରିବା ପରେ ଭରତପୁର ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାନୁଯାୟୀ, ଗୁରୁବାର ଦିନ ସକାଳେ ନିଶା ଖାଇବାକୁ ନେଇ ବଙ୍କୁ ସହିତ ପତ୍ନୀ ସରସ୍ବତୀଙ୍କର ବଚସା ହୋଇଥିଲା। ଏହା ପରେ ରାତିରେ ବଙ୍କୁ ଘରେ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳେ ବଙ୍କୁ ଶୋଇବା ଘରୁ ଉଠି ଆସି ଡାଇନିଂରେ ବସିଥିଲେ। ଅନ୍ୟ ଏକ ଘରେ ପତ୍ନୀ ଶୋଇଥିବା ବେଳେ ସେ ବଙ୍କୁକୁ ଦେଖି ଘରେ ଯାଇ ଶୋଇବାକୁ କହିଥିଲେ। ଏତିକି କଥାରେ ବଙ୍କୁ ରାଗିଯାଇ ପତ୍ନୀ ସରସ୍ବତୀଙ୍କ ସହ ଝଗଡ଼ା କରିଥିଲେ। ଏହା ପରେ ଦିନରେ ନିଶା ପାଇଁ ହୋଇଥିବା ଝଗଡ଼ାକୁ ନେଇ ପତ୍ନୀଙ୍କୁ ମାଡ଼ ମାରିଥିଲେ। ଡାଇନିଂ ଟେବୁଲ୍‌ରେ ରଖାଯାଇଥିବା ଛୁରି ଆଣି ସରସ୍ବତୀଙ୍କ ପିଠି ପଛପଟୁ ଆକ୍ରମଣ କରିଥିଲେ। ପିଠିକୁ ଆକ୍ରମଣ କରିବା ପରେ ତାଙ୍କ ପେଟକୁ ଛୁରି ମାରିବାକୁ ଉଦ୍ୟମ କରିଥିଲେ। ସରସ୍ବତୀ ପ୍ରତିରୋଧ କରିବା ସମୟରେ ବଙ୍କୁଙ୍କ ବାମ ହାତରେ ମଧ୍ୟ ଛୁରି ବାଜିଥିଲା। ବଙ୍କୁର ହାତ କଟିଯିବାରୁ ଅଧିକ ଉତ୍‌କ୍ଷିପ୍ତ ହୋଇ ସରସ୍ବତୀଙ୍କୁ ଘର ଭିତରେ ଗୋଡ଼େଇ ଗୋଡ଼େଇ ପେଟକୁ ଛୁରି ଭୁସିଥିଲେ। ଫଳରେ ସରସ୍ବତୀଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା ଏବଂ ସେ ସେହି ସମୟରେ ହିଁ ମୃତ୍ୟୁ ବରଣ କରିଥିଲେ।

ଅପରପଟେ ବଡ଼ଝିଅ ପରୀ ସକାଳ ପ୍ରାୟ ୭ଟା ବେଳେ ଉଠି ମା’କୁ ଖୋଜି ଭିତର ଘରକୁ ଯିବା ବେଳକୁ ମୃତାବସ୍ଥାରେ ଦେଖିଥିଲେ। ସେ ବଡ଼ପାଟିରେ କାନ୍ଦିବା ବେଳକୁ ବଙ୍କୁ ପାଟି ନ କରିବାକୁ କହି ପ୍ରଥମେ ତା’ ବେକରେ ଛୁରି ଲଗାଇ କାଟିଥିଲା। ଏହା ପରେ ତା’ ଥୋଡ଼ି ଓ ଗାଲକୁ ମଧ୍ୟ ଛୁରିରେ କାଟି ପକାଇଥିଲା। କିଛି ସମୟ ପରେ ନିଜ ଭୁଲ୍‌ ବୁଝିପାରି ଝିଅକୁ ପାଣି ମଧ୍ୟ ପିଇବାକୁ ଦେଇ ଖଟରେ ଚୁପ୍ କରି ବସାଇଥିଲା। ଦିନ ୧୧ଟା ୩୦ରେ ମା’ କନକଲତା ଫୋନ୍ କରିବା ପରେ ଘରୁ ବାହାରି ଯାଇ ହତ୍ୟାକାଣ୍ଡ ସଂପର୍କର ଜଣାଇଥିଲା। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବଙ୍କୁକୁ ନିକଟସ୍ଥ ମଦ କାଉଣ୍ଟରରୁ ଗିରଫ କରିଥିଲା। ପରିବାର ଲୋକଙ୍କ ବୟାନ୍ ଅନୁଯାୟୀ, ବଙ୍କୁ ନିଜେ ବେକାର ଥିବା ବେଳେ ନିଶାପାଣି ଖର୍ଚ୍ଚ ଉଠାଇବା ପାଇଁ ନିୟମିତ ବ୍ୟବଧାନରେ ପତ୍ନୀ ସହିତ ଝଗଡ଼ା କରୁଥିଲା। ପତ୍ନୀ ଘରୋଇ ମେଡିକାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ଏଟିଏମ୍‌କୁ ମଧ୍ୟ ଛଡ଼ାଇ ନେଇ ରଖିଥିଲା। ଏପରିକି ବିଭିନ୍ନ ସମୟରେ ଘରେ ଭାଇମାନଙ୍କ ଗାଡ଼ି ମଧ୍ୟ ବିକ୍ରି କରିଥିବା ସେମାନେ କହିଛନ୍ତି। ନିକଟରେ ପରିବାର ଲୋକେ ଜମି ବିକ୍ରି କରିଥିବା ବେଳେ ବଙ୍କୁ ଭାଗରେ ଅଢ଼େଇ ଲକ୍ଷ ଟଙ୍କା ପଡ଼ିଥିଲା। ସବୁ ଟଙ୍କାକୁ ମାତ୍ର କିଛିଦିନ ମଧ୍ୟରେ ସେ ଉଡ଼ାଇଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର