ଖଣ୍ଡଗିରି: ପତ୍ନୀଙ୍କୁ ରାସ୍ତା ଉପରୁ ଜୋର୍ଜବରଦସ୍ତ ଉଠାଇନେବାକୁ ଫାର୍ସା ଦେଖାଇ ଭୟଭୀତ କରୁଥିଲେ। ଏତିକିବେଳେ ପୁଲିସ ପହଞ୍ଚି ମହିଳାଙ୍କ ସ୍ବାମୀଙ୍କୁ କାବୁ କରିବାକୁ ଉଦ୍ୟମ କଲା। ମାତ୍ର ରାଗରେ ପାଗଳପ୍ରାୟ ହୋଇଯାଇଥିବା ସ୍ବାମୀ, ପୁଲିସକୁ ଏସିଡ୍ ମାଡ଼ କରିବାକୁ ଧମକଦେଲା। ପାଖାପାଖି ଅଧଘଣ୍ଟା କାଳ ପୁଲିସ ଓ ମହିଳାଙ୍କ ସ୍ବାମୀ ମଧ୍ୟରେ ଚାଲିଲା ଛକାପଞ୍ଝା। ଶେଷରେ ବହୁ କଷ୍ଟରେ ପୁଲିସ ତାଙ୍କୁ ଗିରଫ କଲା। ଗତକାଲି ଅପରାହ୍ଣରେ ଖଣ୍ଡଗିରି କୋଳଥିଆ ରାସ୍ତାରେ ଦେଖିବାକୁ ମିଳିଥିଲା ଦାମ୍ପତ୍ୟ କଳିକୁ ନେଇ ଏମିତି ଏକ ଅଭାବନୀୟ ଦୃଶ୍ୟ। ଅଭିଯୁକ୍ତ ହେଲେ ବାଣପୁର ତହସିଲ୍ କାର୍ଯ୍ୟାଳୟର କିରାଣି ଜିତେନ୍ଦ୍ର କୁମାର ବାରିକ (୫୮)। ଖଣ୍ଡଗିରି ଥାନା ପୁଲିସ ତାଙ୍କ ପାଖରୁ ଗୋଟିଏ ଫାର୍ସା, ଛୋଟବଡ଼ ୪ଟି ଛୁରି ଓ ଏକ ଏସିଡ୍ ଭର୍ତ୍ତି ବୋତଲ ଜବତ କରିଛି।
ଅଭିଯୁକ୍ତ ଜିତେନ୍ଦ୍ରଙ୍କ ପତ୍ନୀ ମିନତି ବାରିକ ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ମନୋମାଳିନ୍ୟ କାରଣରୁ ପ୍ରାୟ ୧୨ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ରହୁଛନ୍ତି। ମିନତି ଦୁଇ ପୁଅଙ୍କୁ ସାଙ୍ଗରେ ଧରି ଆଇଗିଣିଆ ଅଞ୍ଚଳରେ ଏକ ଭଡ଼ାଘରେ ରହୁଛନ୍ତି। ଜିତେନ୍ଦ୍ର ବିଭିନ୍ନ ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ଆସି ମିନତିଙ୍କୁ ମାରଧର କରୁଥିଲେ। ଗତକାଲି ଅପରାହ୍ଣରେ ମିନତି ସ୍କୁଲରୁ ଘରକୁ ଫେରୁଥିଲେ। ଏହି ସମୟରେ ଜିତେନ୍ଦ୍ର ଏକ କାର୍ରେ ଆସି ତାଙ୍କୁ ରାସ୍ତାରେ ଅଟକାଇଥିଲା। ମିନତିଙ୍କୁ ସାଙ୍ଗରେ ନେବାକୁ ଜିଦ୍ କରିଥିଲା। ମାତ୍ର ମିନତି ପ୍ରତିବାଦ କରିଥିଲେ। ଉତ୍କ୍ଷିପ୍ତ ହୋଇ ଜିତେନ୍ଦ୍ର କାର୍ରୁ ଫାର୍ସା ବାହାର କରି ମିନତିଙ୍କୁ ହାଣିଦେବ ବୋଲି ଧମକ ଦେଇଥିଲା। ଭୟରେ ମିନତି ପୁଅକୁ ଫୋନ୍ କରିଥିଲେ ଏବଂ ପୁଅ ଫୋନ୍ କରି ପିସିଆର୍କୁ ଜଣାଇଥିଲା। ଜିତେନ୍ଦ୍ର ଜୋର୍ କରି ମିନତିଙ୍କୁ ଟାଣିଟାଣି କାର୍ ଭିତରକୁ ନେବାକୁ ଉଦ୍ୟମ କରୁଥିବା ବେଳେ ପିସିଆର୍ ପହଞ୍ଚିଯାଇଥିଲା। ପୁଲିସ ଘେରିଯିବା ଦେଖି ଜିତେନ୍ଦ୍ର କାର୍ରୁ ଏସିଡ୍ ବୋତଲ ବାହାର କରି ଫୋପାଡ଼ିବ ବୋଲି ଧମକ ଦେଇଥିଲା। ଏସିଡ୍ ବୋତଲ ଦେଖି ଭୟରେ ପୁଲିସ କର୍ମଚାରୀମାନେ ପଛଘୁଞ୍ଚା ଦେଇଥିଲେ। ପରେ ପୁଲିସ କୌଶଳ କରି ଜିତେନ୍ଦ୍ରକୁ କାବୁ କରିଥିଲା।
Advertisment

Sambad is now on WhatsApp
Join and get latest news updates delivered to you via WhatsApp