ଭୁବନେଶ୍ବର: ଭରତପୁର ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ପରକୀୟା ପ୍ରୀତିକୁ ନେଇ ସାଗର ପ୍ରଧାନ ପତ୍ନୀ ମାମାଙ୍କୁ କେବଳ ସନ୍ଦେହ କରୁନଥିଲା। ଗତ ମାସକ ମଧ୍ୟରେ ତାଙ୍କୁ ତିନି ତିନି ଥର ଅନ୍ୟ ଯୁବକଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ଧରିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ସାଗରଙ୍କ ବାରଣ ସତ୍ତ୍ବେ ମାମା ଅଟକି ନଥିଲେ। ସ୍ବାମୀ କାମକୁ ବାହାରିଯିବା ପରେ ମାମା ଲୁଚି ଲୁଚି ଅନ୍ୟ ଯୁବକଙ୍କ ସହ କଥାବାର୍ତ୍ତା ହେଉଥିଲେ। ଜେରା ବେଳେ ସାଗର କ୍ଷୋଭର ସହ ପତ୍ନୀଙ୍କ ବିରୋଧରେ ଏମିତି ବିଷ ଓଗାଳିଛି। ଯାହାକୁ ନେଇ ସେ ମାନସିକ ଚାପରେ ରହୁଥିବା କହିଛି। ହତ୍ୟାକାଣ୍ଡ ଦିନ ମଧ୍ୟ ସମାନ କଥା ଘଟିଥିଲା। ମଙ୍ଗଳବାର ୪ଟା ସମୟରେ ସାଗର କାମ ସାରି ଘରକୁ ଫେରିବା ବେଳକୁ ମାମା ଭିଡିଓ କଲ୍‌ରେ ଜଣେ ଯୁବକଙ୍କ ସହ କଥା ହେଉଥିଲେ। ଏହାକୁ ସେ ହଜମ କରିପାରିନଥିଲେ। ରାଗିଯାଇ ଗାଳିମନ୍ଦ କରିବା ସହ ଶକ୍ତ ଚାପୁଡ଼ା ମାରିଥିଲେ। ମାମା ବି ରାଗିଯାଇ ପାଖରେ ଥିବା ଏକ ପନିକି ଆଣି ପାଲଟା ଆକ୍ରମଣ କରିଥିଲେ। ପତ୍ନୀଙ୍କ ଚରିତ୍ରକୁ ନେଇ ରାଗରେ ରକ୍ତ ଚାଉଳ ଚୋବାଉଥିବାଉଥିବା ବେଳେ ସେ ପନିକିରେ ଆକ୍ରମଣ କରିବା ତାଙ୍କୁ ମାନସିକ ଭାବେ ଅହୁରି ଆଘାତ ଦଇଥିଲା। ଆଉ ସବୁଦିନ ପାଇଁ କଣ୍ଟା ସଫା କରିବାକୁ ନିଷ୍ପତ୍ତି ନେଇଥିଲା। ସେଠାରେ ହିଁ ତଣ୍ଟିଚିପି ହତ୍ୟା କରିଥିଲା। ଜେରା ବେଳେ ସେ ପୁଲିସ ସମ୍ମୁଖରେ ସମସ୍ତ କଥା ସ୍ବୀକାର କରିଛି। ଏହି ହତ୍ୟାକାଣ୍ଡ ସମୟରେ ତାଙ୍କର ଦେଢ଼ ବର୍ଷର ପୁଅ ଘରେ ନଥିଲା। ସେ କିଛି ଦିନ ହେବ ସାଗରର ମା’ଙ୍କ ପାଖରେ ବ୍ରହ୍ମପୁରରେ ରହୁଥିଲା।

Advertisment

କେବଳ ଏତିକି ନୁହେଁ ତାର କେବେ ମାମାଙ୍କ ସହ ଭେଟ‌ ହୋଇଥିଲା? କେମିତି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା? ଜେରା ବେଳେ ସବୁ ମାନିଛି। ସେ କହିଛି ଯେ ୪ବର୍ଷ ତଳେ ଅର୍ଥାତ ୨୦୧୯ ମସିହାରେ ସେ କଟକରେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସେଠାରେ ମାମାଙ୍କ ସହ ଭେଟ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ମାମାଙ୍କ ପରିବାର ଲୋକ ଉଭୟଙ୍କ ବିବାହ ସପକ୍ଷରେ ନଥିଲେ। ଯାହାକୁ ନେଇ ଉଭୟ ଦ୍ବନ୍ଦ୍ବରେ ପଡ଼ିଥିଲେ। ଶେଷରେ ସାଗର ମାମାଙ୍କୁ ଉଠାଇନେଇଥିଲା। ପରେ ସେମାନେ ପୁରୀ ଶ୍ରୀମନ୍ଦିରରେ ବିବାହ କରିଥିଲେ। ଏହାପରେ ‌ଉଭୟ ବ୍ରହ୍ମପୁର ଯାଇ ସେଠାରେ ୪ବର୍ଷ ଧରି ଘରଭଡ଼ା ନେଇ ରହିଥିଲେ। ହେଲେ ସେଠାରେ ମାମାଙ୍କ ଜଣେ ଯୁବକଙ୍କ ସହ ସମ୍ପର୍କ ନେଇ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିଲା। ବ୍ରହ୍ମପୁର ଛାଡ଼ିଦେଲେ ସବୁକିଛି ଠିକ୍‌‌ ହୋଇଯିବ ଭା‌ବି ଦେଢ଼ମାସ ତଳେ ସାଗର ପତ୍ନୀ ଓ ଦେଢ଼ ବର୍ଷର ଶିଶୁ ପୁତ୍ରକୁ ନେଇ ରାଜଧାନୀ ଚାଲିଆସିଥିଲା। ହେଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ହେବା ପରିବର୍ତ୍ତେ ଆହୁରି ବିଗିଡ଼ିଥିଲା। ଶେଷରେ ସାଗର ଚରମ ନଷ୍ପତ୍ତି ନେଇ ମାମାଙ୍କୁ ହତ୍ୟା କରିଥିଲେ। ପଚରା ଉଚରା ପରେ ପୁଲିସ ଆଜି ସାଗରକୁ କୋର୍ଟ ଚାଲାଣ କରିଛି। ସେହିପରି ମାମାଙ୍କ ମାମୁଁ ସୁଶାନ୍ତ ଦାସ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ହସ୍ତାନ୍ତର କରାଯାଇଥିବା ଜୋନ୍‌-୩ ଏସିପି ପ୍ରଦୀପ ରାଉତ କହିଛନ୍ତି।