ୱାଇଫାଇ କାମରେ ଲାଗୁନି, ମୋ ବସ୍‌ରେ ବି ଇଣ୍ଟରନେଟ୍ ସେବା ଉପଲବ୍ଧ ହେଉନଥିବା ଅଭିଯୋଗ

ଭୁବନେଶ୍ବର: ଭୁବନେଶ୍ବର ମି ୱାଇଫାଇ ଯୋଜନାରେ ରାଜଧାନୀରେ ୱାଇଫାଇ ସେବା ଆରମ୍ଭ ହୋଇଛି। କିନ୍ତୁ ଏହା ଲୋକଙ୍କ କାମରେ ଲାଗୁନି। ଭୁବନେଶ୍ବର ମି ୱାଇଫା‌ଇ ବ୍ୟବହାର କରି ବିଭିନ୍ନ ୱେବସାଇଟ୍ ଖୋଲିଲେ ସହଜରେ ଖୋଲୁନାହିଁ। ଏପରିକି ମୋବାଇଲ୍ ବ୍ୟବହାରକାରୀଙ୍କୁ କିଛି ସମୟ ପାଇଁ ମୋବାଇଲ୍‌କୁ ହାତରେ କିଛି ସମୟ ପାଇଁ ଉପରକୁ ଉଠାଇକି ରଖିଲେ ହିଁ ବିଭିନ୍ନ ସାଇଟ୍ ଖୋଲୁଛି। ହାତ ତଳକୁ କଲେ ପୁଣି ଧିମେଇ ଯାଉଛି। ୱାଇଫାଇ ସେବା ପୂରା ଧିମେଇ ଯାଇଥିବାରୁ ଏହାକୁ ବ୍ୟବହାର କରିବା ନେଇ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ବି ଦେଖାଯାଉନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୫ତାରିଖରେ ଭୁବନେଶ୍ବର ମି ୱାଇଫାଇ ସେବାର ଉଦ୍‌ଘାଟନ କରିବା ସମୟରେ କୁହାଯାଇଥିଲା ଯେ, ଲୋକଙ୍କୁ ପ୍ରତିଦିନ ଅଧଘଣ୍ଟା ମାଗଣାରେ ଇଣ୍ଟରନେଟ୍ ବ୍ୟବହାର କରିବାର ସୁଯୋଗ ମିଳିବ। ଏଥିରେ ପ୍ରତି ଗ୍ରାହକଙ୍କୁ ୨୫୦ଏମ୍‌ବି ଇଣ୍ଟ‌ରନେଟ୍ ମାଗଣାରେ ଉପଲବ୍ଧ ହେବ। ଯେଉଁଠି ଲୋକ ସହଜରେ ୧୦ଏମ୍‌ବି ଡାଟା ବ୍ୟବହାର କରିପାରୁନାହାନ୍ତି ସେଠାରେ ୨୫୦ଏମ୍‌ବି କେମିତି ବ୍ୟବହାର କରିବେ ସେନେଇ ପ୍ରଶ୍ନ ଉଠିଲାଣି। ମୁଖ୍ୟମନ୍ତ୍ରୀ ୱାଇଫାଇ ସେବାର ଉଦ୍‌ଘାଟନ ‌ସମୟରେ କହିଥିଲେ ଯେ, ଏହି ମାଗଣା ୱାଇଫାଇ ସେବା ଯୁବିପିଢ଼ିଙ୍କ ଜ୍ଞାନ ଆହରଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଯେଉଁଠି ଇଣ୍ଟରନେଟ୍ ଖୋଲୁନି ସେଠାରେ ଏହା କିପରି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ତାହା ପ୍ରଶ୍ନ ଉଠିଲାଣି। କେବଳ ଏତିକି ନୁହେଁ ରାଜଧାନୀରେ ମୋ ବସ୍‌ ଯୋଜନାରେ ଚାଲିଥିବା ୧୦୦ରୁ ଅଧିକ ସିଟି ବସ୍‌ରେ ବି ମାଗଣାରେ ୱାଇଫାଇ ସେବା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା ହୋଇଛି। ହେଲେ ଏହା ବି ଠିକ୍ ଭାବେ କାମ କରୁନି। ଏସି ବସ୍‌ରେ କିଛି ମାତ୍ରାରେ ୱାଇଫାଇ ଚାଲୁଥିବାବେଳେ ନନ୍‌ଏସି ବସ୍‌ରେ ଏହା ଆଦୌ କାମ କରୁନଥିବା ଅଭିଯୋଗ ହେଲାଣି। ଏନେଇ ରାଜଧାନୀବାସୀ ଭୁବନେଶ୍ବର ଅପରେସନ୍ ସେଣ୍ଟରର ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରୁଥିଲେ ହେଁ ଏହାର ସମାଧାନ ହେଉନି। ଫଳରେ ଲୋକ ମୋ ବସ୍‌ରେ ଯିବାକୁ ବି ଅମଙ୍ଗ ହେଲେଣି। ମାଗଣା ୱାଇଫାଇ ସେବା ଆରମ୍ଭ କରିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ରାଜଧାନୀରେ ୧୦୦ଟି ହଟ୍‌ସ୍ପଟ୍ କାର୍ଯ୍ୟକ୍ଷମ ଥିବାବେଳେ ଏଥିରେ ୨୭୫ଟି ଆସେସ୍‌ ପଏଣ୍ଟ ରହିଛି। ୨ଏମ୍‌ବିପିଏସ୍ ସ୍ପିଡରେ ଲୋକଙ୍କୁ ଇଣ୍ଟରନେଟ୍ ଉପଲବ୍ଧ ହେଉଛି। କେତେକ ସ୍ଥାନରେ ୱେବସାଇଟ୍ ଖୋଲିବାରେ ସମସ୍ୟା ହେଉଥିବା ନେଇ ଅଭିଯୋଗ ଆସିଛି। ଏହାକୁ ଖୁବ୍ ଶୀଘ୍ର ସମାଧାନ କରୁଛୁ। ହକି ବିଶ୍ବକପ୍‌ ପୂର୍ବରୁ ୧୦୦ଟି ଯାକ ହଟ୍‌ସ୍ପଟ୍ ଅଧୀନରେ ଧାର୍ଯ୍ୟ ସ୍ପିଡ୍‌ରେ ଇଣ୍ଟରନେଟ୍ ଉପଲବ୍ଧ ହେବ। ଏନେଇ ବୈଷୟିକ ଟିମ୍ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର