ଭୁବନେଶ୍ବର : ଯେଉଁ ଜଙ୍ଗଲରେ ଦିନେ ହାତୀ ପଲ ଜଳକ୍ରୀଡ଼ା କରୁଥିଲେ ଆଜି ସେଠାରେ ମାଟି ଫାଟି ଆଁ। ଜଳାଶୟ ଭିତରେ ପାଣି ଟୋପାଏ ନାହିଁ। ଯୁଆଡ଼େ ଚାହିଁଲେ ଖାଲି ଟାଙ୍ଗରା ଭୂଇଁ। ଏଭଳି ପରିବେଶ ଦେଖିବାକୁ ମିଳୁଛି ଭରତପୁର ଜଙ୍ଗଲରେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ‌ରେ ରାଜଧାନୀବାସୀ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ଜଙ୍ଗଲରେ ଥିବା ହାତୀ ପଲ ଏବେ ପାଣି ମୁନ୍ଦାଏ ପାଇଁ ଆଉଟୁ ପାଉଟୁ ହେଉଛନ୍ତି। ଏ ଜଳାଶୟରୁ ସେ ଜଳାଶୟ ଘୂରି ବୁଲୁଛନ୍ତି। ମାତ୍ର ଜଙ୍ଗଲ ଭିତରେ କେଉଁଠି ବି ସେମାନଙ୍କୁ ପାଣି ମିଳୁ ନଥିବାର ଦୃଶ୍ୟ ଆଜି ସାମ୍ନାକୁ ଆସିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଶୁଖିଲା ପଡ଼ିଥିବା ଜଙ୍ଗଲ ଭିତର ଜଳାଶୟରେ ପାଣି ଉପଲବ୍ଧ କରାଇବାକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ନିର୍ଦ୍ଦେଶ ଦେବାର ଦିନକ ପରେ ଆଜି ରାଜଧାନୀ ଉପକଣ୍ଠରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ପାଖାପାଖି ବର୍ଷେ ହେଲା ଏକ ୧୬ ଟିକିଆ ହାତୀ ପଲ ଭରତପୁର ଜଙ୍ଗଲରେ ଡେରା ପକାଇ ରହିଛନ୍ତି। ସେମାନଙ୍କୁ ଏଠାରେ ପର୍ଯ୍ୟାପ୍ତ ଖାଦ୍ୟ ମିଳିବା ସହ ପିଇବା ଲାଗି ପାଣି ମିଳୁଥିଲା। ବିଶେଷକରି ଏଠାରେ ଥିବା ବାଉଁଶ ଗଛ ସେମାନଙ୍କୁ ଜଙ୍ଗଲରେ ବାନ୍ଧି କରି ରଖିଛି। ସମସ୍ତ ପ୍ରତିକୂଳ ପରିସ୍ଥିତି‌‌ରେ ବି ସେମାନେ ଜଙ୍ଗଲ ଛାଡ଼ି ଯାଇ ନାହାନ୍ତି। ମାତ୍ର ଏବେ ସେମାନଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଛି। ସପ୍ତାହେ ହେବ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଥିବା ବେଳେ ଦୀର୍ଘ ଦିନ ହେଲା ପର୍ଯ୍ୟାପ୍ତ ବର୍ଷା ହୋଇ ନାହିଁ। ପରିଣାମ ସ୍ବରୂପ ଭରତପୁର ଜଙ୍ଗଲରେ ଥିବା ଜଳାଶୟଗୁଡ଼ିକ ଶୁଖିଲା ପଡ଼ିଛି। ଭରତପୁର ଜଙ୍ଗଲ ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟର ଏକ ଅଂଶ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିକଳ୍ପ ପାଣି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ହାତୀଗୁଡ଼ିକ ପାଣି ପାଇଁ ରେଣ୍ଟାଲ କଲୋନିରୁ କଳିଙ୍ଗ ଷ୍ଟୁଡିଓ ଛକ ରାସ୍ତାର ଡାହାଣ ପାର୍ଶ୍ବ ଜଙ୍ଗଲରେ ଥିବା ଜଳାଶ୍ରୟରେ ଆଉଟୁପାଉଟୁ ହେଉଥିବା ନଜରକୁ ଆସିଛି। ପାଖାପାଖି ୨୦ ମିନିଟ୍‌ ଧରି ହାତୀ ପଲ ଜଳାଶ୍ରୟ ଭିତରେ ପାଣି ଖୋଜି ନିରାଶ ହୋଇ ଫେରିଥିଲେ।

କେବଳ ହାତୀ ନୁହନ୍ତି। ଭରତପୁର ଜଙ୍ଗଲରେ ଥିବା ହରିଣ, ମୟୂର ଏବେ ପାଣି ପାଇଁ ଜନବସତି ମଧ୍ୟକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ଗୋଟିଏ ହରିଣ ପାଣି ଆଶାରେ ସକାଳ ୮ଟାରେ ଭରତପୁର ଜଙ୍ଗଲ ବାହାରକୁ ଚାଲି ଆସିଥିଲା। ଭରତପୁର ଥାନାଠାରୁ ଅଳ୍ପ ଦୂରରେ ହରିଣଟି ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଏହାର କିଛି ସମୟ ପରେ ବନ ବିଭାଗର ୪ଟି ଗାଡ଼ି ପହଞ୍ଚି ହରିଣକୁ ଉଦ୍ଧାର କରି ପୁଣିଥରେ ଜଙ୍ଗଲରେ ଛାଡ଼ିଥିଲେ। ପାଣି ‌ସନ୍ଧାନରେ ଉକ୍ତ ଜଙ୍ଗଲରୁ ହରିଣ ଓ ମୟୂର ଚୁନୁକୋଳି ବସ୍ତିକୁ ପଶି ଆସୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ସେମାନଙ୍କର କୌଣସି କ୍ଷତି ହୋଇ ନ ଥିଲା।