ନନ୍ଦନକାନନରେ ୩ ଜଙ୍ଗଲୀ ହାତୀ

କଦଳୀ ଖାଇଲେ, ଗଛ ଡାଳ ଭାଙ୍ଗିଲେ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଘେରି ରହିଥିବା ସୁରକ୍ଷା ପାଚେରିକୁ ଭାଙ୍ଗି ଚନ୍ଦକା ଜଙ୍ଗଲର ୩ ହାତୀ ଆଜି ପରିସରକୁ ପଶି ଆସିଥିଲେ। ନନ୍ଦନକାନନ ପଛପାର୍ଶ୍ବରେ ଥିବା ୧୦ ନମ୍ବର ଫାଟକ ନିକଟକୁ ଆସି ସେଠାରେ କଦଳୀ ଗଛ ଭାଙ୍ଗି ଖାଇବା ସହ ଅନ୍ୟ ଗଛର ଡାଳ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ୩ଟି ବୟସ୍କା ମାଈ ହାତୀ ଦାରୁଠେଙ୍ଗ ରାସ୍ତା ଦେଇ ହମିରା ଟାଙ୍ଗୀ ପାଖ ୮ଫୁଟ ଲମ୍ବର ନନ୍ଦନକାନନ ପାଚେରି ଭାଙ୍ଗି ରବିବାର ରାତିରେ ଭିତରକୁ ପଶିଥିଲେ। ସକାଳେ ନନ୍ଦନକାନନର କାର୍ଯ୍ୟରତ କର୍ମଚାରୀମାନେ ଏ ସଂପର୍କରେ ଜାଣିବାକୁ ପାଇଥିଲେ। ସନ୍ଧ୍ୟା ବେଳେ ୧୦ ନମ୍ବର ଫାଟକ ନିକଟରେ ଜଗି ରହିଥିବା ବେଳେ ହାତୀମାନଙ୍କୁ ଠାବ କରିଥିଲେ। ସନ୍ଧ୍ୟାରେ ହାତୀମାନେ ଆସିଥିବା ବାଟ ଦେଇ ଜଙ୍ଗଲ ଭିତରକୁ ଫେରି ଯାଇଥିଲେ। ଯିବା ଭିତରେ ପରିସରକୁ ଲାଗିଥିବା ପାଚେରିର ଆଉ କିଛି ଅଂଶ ଭାଙ୍ଗି ଦେଇଥିଲେ। ଏହା ପୂର୍ବରୁ ଗତ ୨୦୧୫ ମସିହାରେ ମଧ୍ୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପାଚେରି ଭାଙ୍ଗି ମାକନା ହାତୀ ଅନୁପ୍ରବେଶ କରିଥିଲା। ପୁଣି ଚଳିତ ସପ୍ତାହରେ ନନ୍ଦନକାନନ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ମଧ୍ୟ ମାକନା ପ୍ରବେଶ କରିଥିଲା। ଗତ ୩ ବର୍ଷରେ ଅନେକ ଥର ମାକନା ପାଚେରି ଭାଙ୍ଗି ନନ୍ଦନକାନନକୁ ପଶି ଆସିଥିବା ବେଳେ ଏକକାଳୀନ ୩ଟି ମାଈ ହାତୀ ପାଚେରି ଭାଙ୍ଗି ପ୍ରବେଶ କରିବା କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ପୁରୁଣା ପାଚେରିକୁ ବାରମ୍ବାର ଭାଙ୍ଗି ହାତୀମାନେ ଭିତରକୁ ଚାଲି ଆସୁଥିବାରୁ ଏହି ପାଚେରି ନନ୍ଦନକାନନକୁ କିଭଳି ସୁରକ୍ଷା ଦେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର