ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ଦନ୍ତା

ବନ୍ଦ ରହିଲା ପ୍ରାଣୀ ଉଦ୍ୟାନ, ପର୍ଯ୍ୟଟକ ହତାଶ

ବାରଙ୍ଗ: ପୁଣି ନନ୍ଦନକାନନ ଭିତରକୁ ପଶି ଆସିଛନ୍ତି ଦୁଇ ଜଙ୍ଗଲୀ ଦନ୍ତା ହାତୀ। ଦୁଇଟିଯାକ ଯୁବ ହାତୀ ବୋଲି ଜଣାପଡ଼ିଛି। ମଙ୍ଗଳବାର ବିଳମ୍ବିତ ରାତି‌ରେ ହାତୀଶାଳ ପଛ ପାଖ ପାଚେରି ଭାଙ୍ଗି ଭିତରକୁ ପଶିବା ପରେ ସେମାନେ ଜେବ୍ରା ଖୁଆଡ଼ ନିକଟରେ ପହଞ୍ଚିଯାଇଛନ୍ତି। ପର୍ଯ୍ୟଟକମାନଙ୍କ ଭ୍ରମଣ ପାଇଁ ଥିବା ମୁଖ୍ୟ ରାସ୍ତାର ତିନିମୁହାଁଣି ଛକ ନିକଟ ବଣବୁଦା ଭିତରେ ଡେରା ପକାଇଛନ୍ତି। ସେମାନେ ଏମିତି ଜାଗାରେ ଅଟକି ରହିଛନ୍ତି ଯେ ଘଉଡ଼ାଇବା ବିପଜ୍ଜନକ ହେବା ଆଶଙ୍କା ରହିଛି। ତେଣୁ ବାଧ୍ୟ ହୋଇ ବୁଧବାର ସକାଳୁ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ବନ୍ଦ କରାଯାଇଥିଲା।

ଶହଶହ ପର୍ଯ୍ୟଟକ ଆଜି ହତାଶ ହୋଇ ଫେରିଥିଲେ। ହାତୀମାନଙ୍କୁ ସୁରକ୍ଷିତ ଭାବେ ଘଉଡ଼ାଇବାକୁ କର୍ମଚାରୀମାନେ ରାତି ପର୍ଯ୍ୟନ୍ତ ଅପେକ୍ଷା କରିରହିଲେ। ନନ୍ଦନକାନନ କର୍ମଚାରୀଙ୍କ ସହ ଚନ୍ଦକା ବନ କର୍ମଚାରୀମାନେ ବୁଧବାର ଦିନ ତମାମ୍‌ ଦୁଇ ହାତୀଙ୍କୁ ଜଗି ରହିଥିଲେ। ସୌଭାଗ୍ୟକୁ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ହାତୀ ନନ୍ଦନକାନନ ଭିତରେ କିଛି କ୍ଷୟକ୍ଷତି କରିନଥିବା ଜଣାପଡ଼ିଛି।

ମଙ୍ଗଳବାର ବିଳମ୍ୱିତ ରାତିରେ ଚନ୍ଦକା ଅଭୟାରଣ୍ୟରୁ ୨ଟି ଦନ୍ତା ହାତୀ ନନ୍ଦନକାନନ ହାତୀ ଶାଳ ପଛ ପାଖ ପାଚେରି ଭାଙ୍ଗି ଭିତରକୁ ପଶିଥିଲେ। ପାଟ୍ରୋଲିଂ କରୁଥିବା ନନ୍ଦନକାନନ କର୍ମଚାରୀମାନେ ଏହା ଜାଣିପାରିଥିଲେ ମଧ୍ୟ ସେମାନଙ୍କୁ ଅଟକାଇବା ବା ପଛକୁ ହଟାଇବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ସେମାନେ ଲାଇଟ୍‌ ପକାଇ ଦନ୍ତା ଦ୍ବୟଙ୍କୁ ଅଟକାଇବାକୁ ଉଦ୍ୟମ କଲେ ବି ସେମାନେ ଲାଇଟ୍‌କୁ ଖାତିର ନକରି ଆଗକୁ ଆଗକୁ ମାଡ଼ି ଚାଲିଥିଲେ। ତେବେ ସେମାନେ କର୍ତ୍ତୃପକ୍ଷଙ୍କ ଖବର ଜଣାଇବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖି ଜଗି ରହିଲେ।

ପୂର୍ବରୁ ଅନେକଥର ଏମିତି ଜଙ୍ଗଲୀ ହାତୀମାନେ ନନ୍ଦନକାନନ ଭିତରକୁ ପଶିଥିଲେ ବି ସେମାନେ ହାତୀ ଶାଳକୁ ଲାଗି ରହିଥିବା ହିମିରା ଟାଙ୍ଗୀ ଜଙ୍ଗଲରେ ହିଁ ଅଟକି ରହୁଥିଲେ। କିନ୍ତୁ ଏହି ଯୁବ ଦନ୍ତା ହାତୀ ଦ୍ବୟ ଆଗକୁ ବଢ଼ିଚାଲିଥିଲେ। ହିମିରା ବଣରୁ ବାହାରି ସେମାନେ କଂସେଇଖାନା ଦେଇ ନନ୍ଦନକାନନ ଭିତର ମୁଖ୍ୟରାସ୍ତାକୁ ଚାଲି ଆସିଥିଲେ। ସେଠାରୁ ଜିରାଫ ଖୁଆଡ଼ ଓ ଧଳାବାଘ ସଫାରି ପାଖ ରାସ୍ତାକୁ ଲାଗିଥିବା ଜେବ୍ରା ଖୁଆଡ଼ ପାଖକୁ ଚାଲି ଆସିଥିଲେ। ସେଠାରେ ଥିବା ବଣୁଆ ଅଞ୍ଚଳରେ ଅଟକିଥିଲେ।

ଏହି ଜାଗାଟି ପର୍ଯ୍ୟଟକଙ୍କ ଭ୍ରମଣ ରାସ୍ତାର ତିନିକୋଣିଆ ଛକ। ହାତୀଦ୍ବୟ ସକାଳ ସୁଦ୍ଧା ସେଇଠି ଅଟକି ରହିଲେ ଓ ସେଠାରୁ କୁଆଡ଼େ ଗଲେ ନାହିଁ। ସେତେବେଳକୁ ନନ୍ଦନକାନନର ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ। ମାତ୍ର ଦନ୍ତା ଦ୍ବୟଙ୍କୁ ଘଉଡ଼ାଇବା ସମ୍ଭବ ହେଲା ନାହିଁ। ତିନିମୁହାଁଣି ଛକର ଗୋଟିଏ ପାଖରେ ଜିରାଫ ଖୁଆଡ଼, ଅନ୍ୟ ପାଖରେ ଗୟଳ, ସମ୍ବର, ମଣିପୁରୀ ହରିଣ ଖୁଆଡ଼ ଓ ପଛ ପାଖରେ ବାଘ ଖୁଆଡ଼। ତେଣୁ ଘଉଡ଼ାଇବା ବେଳେ ବଣୁଆ ହାତୀ ଦ୍ବୟ କୌଣସି ଖୁଆଡ଼କୁ ଧସେଇ ପଶିବାର ଆଶଙ୍କା ଥିଲା। ତେଣୁ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ ଏବାବଦରେ ଘୋଷଣା କଲେ।

ସନ୍ଧ୍ୟା ହେବା ପରେ ସେମାନଙ୍କୁ ଭିତରୁ ନିରାପଦରେ ଘଉଡ଼ାଇବାକୁ ଉଦ୍ୟମ କରିବାକୁ ଅପେକ୍ଷା କରାଗଲା। ଶେଷ ଖବର ଅନୁସାରେ ହାତୀଦ୍ବୟ ଫେରନ୍ତା ବାଟ ଧରିଥିଲେ ବି ମୁଖ୍ୟରାସ୍ତାରୁ ଯାଇନଥିଲେ। ଗୁରୁବାର ଭୋର୍ ସୁଦ୍ଧା ସେମାନଙ୍କୁ ଚନ୍ଦକା ଜଙ୍ଗଲକୁ ଫେରାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ଥିବା ଜଣାଇଛନ୍ତି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ବି ଦୃଢ଼ ପାଚେରି ଓ ଟ୍ରେଞ୍ଚ ଖନନ କରି ସ୍ଥାୟୀ ସମାଧାନ କରାଯାଉନାହିଁ ବୋଲି ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର