ପ୍ରେସ୍ ଲେଖାଥିବା ବାଇକ୍‌ରେ ଜଙ୍ଗଲୀ ମାଂସ ଚାଲାଣ, ଫାର୍ମ ହାଉସ୍‌ରେ ଜମୁଛି ଭୋଜି

ବାରଙ୍ଗ : ଚନ୍ଦକା ଅଭୟାରଣ୍ୟରେ ମାଂସ ପାଇଁ ବନ୍ୟପ୍ରାଣୀ ଶିକାର ନିୟମିତ ଚାଲିଛି। ବନ ବିଭାଗ ଓ ପୁଲିସ ପକ୍ଷରୁ ଧରପଗଡ଼ ଚାଲିଥିଲେ ହେଁ ବନ୍ୟପ୍ରାଣୀ ଶିକାର ହ୍ରାସ ପାଉନାହିଁ। ତେବେ ଏହା ପଛରେ କେବଳ ଶିକାରୀ ଦାୟୀ ନୁହନ୍ତି, ବରଂ ବହୁ ବଡ଼ବଡ଼ିଆଙ୍କ ଜଙ୍ଗଲୀ ମାଂସ ଖାଇବା ସଉକ ଶିକାରୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି। ଏବେ ଜଣେ ନକଲି ସାମ୍ବାଦିକ ଜଙ୍ଗଲୀ ମାଂସ ଚାଲାଣ କରୁଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବାଇକ୍‌ରେ ପ୍ରେସ୍ ଲେଖି ନିଜକୁ ସାମ୍ବାଦିକ କହୁଥିବା ଏହି ଯୁବକ ଚନ୍ଦକା ଅଞ୍ଚଳର ଜଣେ ଜଣାଶୁଣା ଜଙ୍ଗଲୀ ମାଂସ ଚାଲାଣକାରୀ ବୋଲି ଜୋର୍‌ଦାର୍‌ ଚର୍ଚ୍ଚା ହେଉଥିଲେ ମଧ୍ୟ ବନ ବିଭାଗ କିମ୍ବା ପୁଲିସ ତାଙ୍କ ଉପରେ ନଜର ନାହିଁ।

ରାଜଧାନୀ ଉପକଣ୍ଠରେ ଥିବା କିଛି ଫାର୍ମ ହାଉସ୍‌ରେ ସେ ବିଲ୍‌ଡର ଓ ଠିକାଦାରଙ୍କୁ ନେଇ ଜଙ୍ଗଲୀ ମାଂସ ଭୋଜିରେ ଆପ୍ୟାୟିତ କରୁଥିବା ଆଲୋଚନା ହେଉଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ପ୍ରେସ୍‌ ଲେଖା ଥିବା ଏହି ବାଇକ୍‌ଟି ଚନ୍ଦକା ଅଞ୍ଚଳର ଶିକାରୀମାନଙ୍କ ସହ ନିୟମିତ ଯୋଗାଯୋଗରେ ରହୁଛି। ନିୟମିତ ବ୍ୟବଧାନରେ ତାଙ୍କୁ ସକାଳୁ ସକାଳୁ ଶିକାରୀଙ୍କ ଘର ନିକଟରେ ଡେରା ପକାଉଥିବା ଦେଖିବାକୁ ମିଳୁଛି। ଶିକାରୀଙ୍କଠାରୁ ମାଂସ ନେଇ ସେ ସ୍ଥାନୀୟ ଫାର୍ମ ହାଉସ୍‌କୁ ଯାଉଥିବା ବେଳେ ବହୁ ସମୟରେ ରାଜଧାନୀକୁ ମାଂସ ଚାଲାଣ କରୁଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ କିଛି ଅସାମାଜିକ ଯୁବକଙ୍କ ସହ ତାଙ୍କ ମିଳାମିଶା ଥିବାରୁ କେହି ତାଙ୍କ ବିରୋଧରେ ମୁହଁ ଖୋଲୁନାହାନ୍ତି। ପ୍ରେସ୍‌ ବାହାନାରେ ସେ ପୁଲିସ ଓ ବନ ବିଭାଗ ଅଧିକାରୀଙ୍କ ନିକଟତର ବୋଲି କହୁଥିବାରୁ ସାଧାରଣ ଲୋକେ ତାଙ୍କ ବିରୋଧରେ କହିବାକୁ ସାହସ କରୁନାହାନ୍ତି। ବନ ବିଭାଗ କିମ୍ବା ପୁଲିସ ତାଙ୍କୁ ପିଛା କଲେ, ଏକ ବଡ଼ଧରଣର ଶିକାର ରୢାକେଟ୍‌ର ପର୍ଦ୍ଦାଫାସ୍‌ ହୋଇପାରନ୍ତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର