ମେଣ୍ଢାଶାଳ : ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ସ୍ବାମୀ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। ମେଣ୍ଢାଶାଳ ପଞ୍ଚାୟତ ଗିରିଙ୍ଗାପୁଟ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଆକମ୍ରଣରେ ସ୍ବାମୀ ବିଜୟ କୁମାର ନାୟକ (୪୫) ଗୁରୁତର ଆହତ ହୋଇଥିବା ବେଳେ ସ୍ତ୍ରୀ ଟିକି ନାୟକ (୪୦) ତଳେ ପଡ଼ିଯାଇ ଆହତ ହୋଇଛନ୍ତି। ବିଜୟଙ୍କୁ ଉଦ୍ଧାର କରି ଗ୍ରାମବାସୀ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

Advertisment

ଘଟଣାରୁ ପ୍ରକାଶ ଯେ ଗିରିଙ୍ଗାପୁଟ ଗ୍ରାମର ଆଦିବାସୀ ସାହିର ବିଜୟ କୁମାର ନାୟକ ପାଣି ଜୋର ଉପରେ ପନିପରିବା ଚାଷ କରିଛନ୍ତି। ଆଜି ସ୍ୱାମୀ ଓ ସ୍ତ୍ରୀ ଦୁହେଁ ବାରିରୁ ବାଇଗଣ ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ଟିକିଙ୍କୁ ବାର୍‌ହା ଆକ୍ରମଣ କରିବା ପାଇଁ ଆସୁଥିବା ଦେଖି ବିଜୟ ଅଟକାଇବାକୁ ଉଦ୍ୟମ କରିଥିଲେ। ଫଳରେ ବାର୍‌ହାଟି ବିଜୟଙ୍କୁ ଆକ୍ରମଣ କରିଥିଲା। ସେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଟିକି ପାଟି କରି ଲୋକଙ୍କୁ ଡାକ ପକାଇଥିଲେ। ପାଟି ଶୁଣି କାଳନ୍ଦୀ ନାୟକ, ଭଜମନ ସ୍ୱାଇଁ, ତୋଫାନ ନାୟକ ପହଞ୍ଚି ବାର୍‌ହାକୁ ଘଉଡ଼ାଇ ଥିଲେ। ବାର୍‌ହାଟି ଡେରାସ ଜଙ୍ଗଲକୁ ଚାଲିଯାଇଥିଲା। ଉପସ୍ଥିତ ଲୋକେ ଘଟଣାସ୍ଥଳରୁ ବିଜୟଙ୍କୁ ଉଦ୍ଧାର କରି ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥି‌ଲେ।