ନୂଆପଲ୍ଲୀରେ କମ୍ପୋଷ୍ଟ୍‌ ପ୍ଲାଣ୍ଟ୍‌ ହେବ ତ!

ରାଜନୈତିକ ପତିଆରା ପାଇଁ ବଳିପଡ଼ୁଛି ଲୋକଙ୍କ ସ୍ବାର୍ଥ

ଭୁବନେଶ୍ବର : ନେତା ହେବାର ନିଶା ଏମିତି ଘାରିଛି ଯେ ଲୋକଙ୍କ ସ୍ବାର୍ଥକୁ ବି ଜଳାଞ୍ଜଳି ଦେବାକୁ ପଛାଉ ନାହାନ୍ତି। ନିଜ ଅଞ୍ଚଳରେ ଦବଦବା ଜାହିର୍ କରିବା ତଥା ରାଜନୈତିକ ସ୍ବାର୍ଥ ହାସଲ ଉଦ୍ଦେଶ୍ୟରେ ବିଭିନ୍ନ ଉନ୍ନୟନମୂଳକ କାମ ଉପରେ ପ୍ରତିବନ୍ଧକ ସାଜୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ଲୋକଙ୍କ ଭୋଟ୍ ବଳରେ ଏମାନେ ନିର୍ବାଚନ ଲଢ଼ୁଛନ୍ତି, ସେମାନଙ୍କ ବିକାଶ ଓ ସ୍ଥାନୀୟ ଅଞ୍ଚଳକୁ ଆସୁଥିବା ଉନ୍ନୟନମୂଳକ ପ୍ରକଳ୍ପକୁ ଅଟକାଇ ରଖୁଛନ୍ତି। ବିଭିନ୍ନ ଗୋଷ୍ଠୀ ମଧ୍ୟରେ ରାଜନୈତିକ ବିବାଦ ଥିବାରୁ ଭିତ୍ତିହୀନ କାରଣ ଦର୍ଶାଇ କାମ ଅଟକାଉଛନ୍ତି। ଏମିତି ଏକ ପ୍ରକଳ୍ପ ଅଟକି ରହିଛି ନୂଆପଲ୍ଲୀସ୍ଥିତ ବିଏମସିର ୩୭ନଂ ଵାର୍ଡରେ। ଏଠାରେ ଥିବା ବିବାଦୀୟ ହଜକୁ କେନ୍ଦ୍ର କରି ପୂର୍ବରୁ କୋଟିକୋଟି ଟଙ୍କା ଫେରିଥିବା ବେଳେ ଏବେ ଵାଟର୍ ପାର୍କ ପାଇଁ ଆସିଥିବା ସାଢ଼େ ତିନି କୋଟିରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇ ନ ପାରି ପଡ଼ି ରହିଛି। ସେହିଭଳି ପୂର୍ବରୁ ଏହି ବିବାଦୀୟ ଜମି ଉପରେ କମ୍ପୋଷ୍ଟ ପ୍ଲାଣ୍ଟ (ଏମ୍‌ସିସି) ପ୍ରକଳ୍ପ ପାଇଁ ଆସିଥିବା ଟଙ୍କା ମଧ୍ୟ କାମ ନ ହୋଇ ଫେରିଯାଇଛି। ଆଉ ଏବେ ଏଥିପାଇଁ ନୂଆ ଜାଗା ଚିହ୍ନଟ ହୋଇଥିବା ବେଳେ ସେଠି ମଧ୍ୟ ଏହା କରାଇ ନ ଦେବା ପାଇଁ ଚକ୍ରାନ୍ତ ଚାଲିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଭୁବନେଶ୍ବରରେ ତିଆରି ହେବାକୁ ଥିବା ୪୨ଟି କମ୍ପୋ‌ଷ୍ଟ ପ୍ଲାଣ୍ଟ୍ ପାଇଁ ପ୍ରାୟ ୬୦ କୋଟି ଟଙ୍କାର ଟେଣ୍ଡର୍ ହୋଇଛି। ସେଥିମଧ୍ୟରୁ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୧୩ଟି ଜାଗାରେ ୨୧ଟି ତିଆରି ହେବାକୁ ଚିହ୍ନଟ ହୋଇଛି। ଵାର୍ଡ ନଂ ୫୧, ୪୭ ଓ ୪୮ରେ କମ୍ପୋ‌ଷ୍ଟ ପ୍ଲାଣ୍ଟ୍ ତିଆରି ସରିଥିବାବେଳେ ଆହୁରି ୧୮ଟି ତିଆରି ହେବାକୁ ବାକି ରହିଛି। ସେଥିମଧ୍ୟରୁ ନୂଆପଲ୍ଲୀରେ ଥିବା ୩୭, ୩୮ ଓ ୩୯ ନଂ ଵାର୍ଡ ପାଇଁ ୩୭ ନଂ ଵାର୍ଡରେ ଥିବା ହଜରେ କମ୍ପୋ‌ଷ୍ଟ ପ୍ଲାଣ୍ଟ୍ ତିଆରି ପାଇଁ ଚିହ୍ନଟ କରାଯାଇଥିଲା। ସଂପ୍ରତି ହାଲ୍‌ରେ ହଜର ୪ ଏକର ଜାଗା ଥିବା ବେଳେ ସାବକରେ ୭ ଏକର ଜାଗାରେ ଥିବାରୁ ଏହାକୁ ନେଇ କୋର୍ଟରେ କେସ୍ ଚାଲିଛି। ହେଲେ ଏହାକୁ ନେଇ ବିଡିଏ ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିଷ୍କର୍ସ ବାହାରି ନଥିବାରୁ ଆଉ ଏକ ନୂତନ ଜାଗା ଚିହ୍ନଟ କରାଯାଇଛି। ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏଠାରେ ଦୁଇଟି କମ୍ପୋ‌ଷ୍ଟ ପ୍ଲାଣ୍ଟ୍ ତିଆରି ହେବାକୁ ଯୋଜନା କରାଯାଇଛି। ମାତ୍ର ଏହାର ଚାରିପାଖରେ ଜନବସତି ଥିବାରୁ ଏଠାରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକଙ୍କ ପାଇଁ ସେହି ପୁରୁଣା ଜାଗାରେ ହଜ ତିଆରି କରିବାକୁ ଯୋଜନା କରାଯାଇଛି। ତେବେ ବାସ୍ତବ ସ୍ଥିତି ଉପରେ ନଜର ପକାଇଲେ ସତ କିଛି ଭିନ୍ନ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଗୋଟେ ଗୋଷ୍ଠୀ ହଜରେ ଉନ୍ନତିମୂଳକ କାମକୁ ଅଟକାଇ ନିଜର ପତିଆରା ଜାହିର୍ କରୁଥିବା ବେଳେ ଅପର ଗୋଷ୍ଠୀ ସଂପ୍ରତି ଚିହ୍ନଟ ହୋଇଥିବା ନୂତନ ଜାଗାରେ ଭୋଟର୍‌ଙ୍କୁ ହାତରେ ରଖିବା ପାଇଁ କମ୍ପୋ‌ଷ୍ଟ ପ୍ଲାଣ୍ଟ୍ କରାଇ ନ ଦେବାକୁ ଯୋଜନା କରିଛନ୍ତି। ନିଜ ନିଜ ଭୋଟର୍‌ ହାତରୁ ଖସିଯିବା ଭୟରେ ଉଭୟ ଗୋଷ୍ଠୀ କମ୍ପୋ‌ଷ୍ଟ ପ୍ଲାଣ୍ଟ୍ କରାଇ ଦେଉନଥିବାରୁ ସିଧାସଳଖ ସେହି ଭୋଟର୍‌ମାନେ ବିଭିନ୍ନ ଉନ୍ନୟନମୂଳକ ଯୋଜନାରୁ ବଞ୍ଚିତ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର