କ୍ୟାପିଟାଲ ହସ୍ପିଟାଲରେ ନୂତନ ଦରରେ ଖାଦ୍ୟ ମିଳିବନି

ଦସ୍ତାବିଜ ଦାଖଲ କରିପାରିଲାନି ସଂସ୍ଥା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କୁ ନୂତନ ଦରରେ ହୋଇଥିବା ଖାଦ୍ୟ ନିକଟରେ ମିଳିପାରିବ ନାହିଁ। ଏହି ଖାଦ୍ୟ ଯୋଗାଇବା ପାଇଁ ଚୟନ ହୋଇଥିବା ସଂସ୍ଥା ଠିକ୍ ସମୟରେ ଆବଶ୍ୟକ ଦସ୍ତାବିଜ୍ ଦେଇ ନପାରିବାରୁ ଏହା ଖାରଜ ହୋଇଯାଇଛି। ପୁଣିଥରେ ଏ ନେଇ ଟେଣ୍ଡର୍‌ ହୋଇପାରେ ବୋଲି ସୂଚନା ମିଳିଛି। ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ପୂର୍ବରୁ ଧାର୍ଯ୍ୟ ହୋଇଥିବା ଦରରେ ପରିବର୍ତ୍ତନ କରିଥିଲେ। ପୂର୍ବରୁ ଜଣେ ରୋଗୀ ପାଇଁ ଦୈନିକ ଖାଦ୍ୟ ଦର ୪୨ଟଙ୍କା ୫୦ ପଇସା ରହିଥିଲା। ସରକାର ଏହି ଦରକୁ ବୃଦ୍ଧି କରିବା ସହିତ ନୂତନ ଦର ହୋଇଥିଲା ୭୫, ୮୫ ଓ ୯୫ ଟଙ୍କା। ସାଧାରଣ ଖାଦ୍ୟ ପାଇଁ ୮୫ ଟଙ୍କା, ତରଳ ଶିଶୁ ଖାଦ୍ୟ ପାଇଁ ୭୫ ଟଙ୍କା ଏବଂ ଜଟିଳ ରୋଗୀଙ୍କ ପାଇଁ ୯୫ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଟେଣ୍ଡର କରାଯାଇଥିବା ବେଳେ ଏଥିପାଇଁ ୭ ଜଣ ସଂସ୍ଥା ଆବେଦନ କରିଥିଲେ। ଶେଷରେ ଗୋଟିଏ ସଂସ୍ଥା ରୋଗୀମାନଙ୍କୁ ଖାଦ୍ୟ ଯୋଗାଇବା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ତାହା ଶେଷ ମୁହୂର୍ତ‌ରେ ବାତିଲ ହୋଇଯାଇଛି। କ୍ୟାପିଟାଲ ହସ୍ପିଟାଲରେ ୫ଶହରୁ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ସୁବିଧା ରହିଛି।

ସମ୍ବନ୍ଧିତ ଖବର