ଆଉ ଟିକା ଅଭାବ ହେବନି, ଯୁବବର୍ଗଙ୍କୁ ଦିନକୁ ୨୦ହଜାରରୁ ଅଧିକ ଟିକା

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଆଶ୍ବସ୍ତି ଆଣିଲା

ଭୁବନେଶ୍ବର : ରାଜଧାନୀରେ ଯୁବବର୍ଗଙ୍କୁ ଟିକା ଅଭାବ ହେଉଥିବାରୁ ଗତ କିଛି ଦିନ ହେଲା ଟିକାକରଣ ଅବ୍ୟବସ୍ଥିତ ହୋଇଯାଇଥିଲା। ଯୁବବର୍ଗଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖି ରାଜ୍ୟ ସରକାର ‌ଆଜି କେନ୍ଦ୍ର ସରକାରଙ୍କ କୋଟାର ଟିକା ଦେବା ଆରମ୍ଭ କରିଥିଲେ। ହେଲେ ଏହା କେତେ ଦିନ ଯିବ, କେମିତି ଦିଆଯିବ, ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଟିକାକରଣ ସରିଗଲେ କେମିତି ଯୁବବର୍ଗଙ୍କୁ ଟିକା ଦିଆଯିବ ସେ ଚିନ୍ତା ବିଏମ୍‌ସିକୁ ଘାରିଥିଲା। ଆଜି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କେନ୍ଦ୍ର ସରକାର ଟିକା ଯୋଗାଇ‌ବେ ବୋଲି ଘୋଷଣା କରିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଆଶ୍ବସ୍ତ ହୋଇଛନ୍ତି। ଅନ୍ତତଃ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଯେତିକି ଟିକା ଅଛି ‌ସେଥିରୁ ଅଧିକାଂଶ ଯୁବବର୍ଗଙ୍କୂ ଦେବାକୁ ଏବେ ଯୋଜନା ହୋଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରବିବାର ଆମକୁ କେନ୍ଦ୍ର ସରକାରଙ୍କ କୋଟାରୁ ୩୫ହଜାର ଟିକା ମିଳିଥିଲା। ପୂର୍ବରୁ ଆମ ପାଖରେ ଥିବା ୨୦୮୦ଟି ଟିକାକୁ ମିଶାଇ ଆମେ ଜୁନ୍‌ ୧୨ତାରିଖ ଯାଏ ଯୋଜନା କରିଛୁ। ଆଜି ବିଭିନ୍ନ କେନ୍ଦ୍ରରେ ସୂଚାରୁ ରୂପେ ଟିକାକରଣ ହୋଇଛି। ଆଗକୁ ଯେପରି ଟିକାକରଣରେ କୌଣସି ସମସ୍ୟା ହେବନି ସେଥିପାଇଁ ଆମେ ପୁଣି ୨ଲକ୍ଷ ଡୋଜ୍‌ ଟିକା ଆଣିଛୁ। ଏବେ ଯୁବବର୍ଗଙ୍କୁ ଅଧିକରୁ ଅଧିକ ଟିକା ଦେବୁ। ଦିନକୁ ପ୍ରାୟ ୨୦ହଜାର ଯୁବବର୍ଗଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକା ଦେବାକୁ ଯୋଜନା କରିଛୁ।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ସ୍ବାସ୍ଥ୍ୟ କର୍ମୀଙ୍କୁ ଶତପ୍ରତିଶତ ଟିକାକରଣ ସରିଲାଣି। ପ୍ରଥମ ଓ ଦ୍ବିତୀୟ ଡୋଜ୍ ସେମାନେ ନେଇସାରିଲେଣି। ଆଗଧାଡ଼ିର କର୍ମୀଙ୍କ ମଧ୍ୟରୁ ପ୍ରାୟ ୭୫% ଦ୍ବିତୀୟ ଡୋଜ୍‌ ଟିକା ନେଇସାରିଲେଣି। ୪୫ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ୬୫% ଲୋକ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ପ୍ରାୟ ୧,୭୫,୦୦୦ ଲୋକ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ଅପେକ୍ଷାରେ ଅଛନ୍ତି। ଏହି ସବୁ ବର୍ଗର ଟିକାକରଣ ପାଇଁ ଏବେ ୨ଲକ୍ଷ ୮ହଜାର ୧୩୦ ଡୋଜ୍ ଟିକା ରଖାଯାଇଛି। କେନ୍ଦ୍ର ସରକାରଙ୍କ କୋଟାରୁ ପ୍ରାୟ ୨ଲକ୍ଷ ଡୋଜ୍ ଆଣି ୧୮ରୁ ୪୪ବର୍ଷର ଲୋକଙ୍କ ପାଇଁ ରଖାଯାଇଛି। ଏଥିପାଇଁ ଏବେ ୨ଲକ୍ଷ ୩୦ହଜାର ୬୧୦ ଡୋଜ୍‌ ଟିକା ଅଛି। ୧୮ରୁ ୪୪ବର୍ଷ ବର୍ଗରେ ପ୍ରାୟ ୧ଲକ୍ଷ ୭୫ ହଜାର ଲୋକ ପ୍ରଥମ ଡୋଜ୍‌ ଟିକା ନେଇଥିବାବେଳେ ସେମାନଙ୍କୁ ଆଜିଠାରୁ ଅବଧି ଭିତରେ ଦ୍ବିତୀୟ ଡୋଜ୍‌ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେବି ପ୍ରାୟ ୩ଲକ୍ଷ ୪୦ହଜାର ଲୋକ ପ୍ରଥମ ଡୋଜ୍ ନେବାକୁ ବାକି ଅଛନ୍ତି। ଆଗାମୀ ପର୍ଯ୍ୟାୟରେ ଟିକା ମିଳିବା ପର୍ଯ୍ୟନ୍ତ ଏବେ ଥିବା ୨ଲକ୍ଷ ୩୦ହଜାର ୬୧୦ ଡୋଜ୍‌ ଟିକାକୁ ଦିଆଯିବ। ସମସ୍ତଙ୍କୁ ଯେପରି ଠିକ୍ ସମୟରେ ଟିକା ମିଳିବ ସେ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ବିଏମ୍‌ସି କର୍ତ୍ତୃପକ୍ଷ ଭୁବନେଶ୍ବରରେ ୫ଲକ୍ଷ ୧୭ହଜାର ଯୁବ ବର୍ଗ, ୩ଲକ୍ଷ ୨୫ହଜାର ୨୨୦ଜଣ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର