ଭୁବନେଶ୍ବରରେ ହେବ ଟିଜି ପୁନର୍ବାସ ଗୃହ

ଭୁବନେଶ୍ୱର : ରାଜଧାନୀରେ ଭିକ୍ଷାବୃତ୍ତି କରି ଚଳୁଥିବା କିନ୍ନର(ଟିଜି)ଙ୍କ ଲାଗି ପୁନର୍ବାସ ଗୃହ ନିର୍ମାଣ ହେବ। ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଏଦିଗରେ ପଦକ୍ଷେପ ନେଇଛି। ନିର୍ମାଣ ହେବାକୁ ଥିବା ୫୦ ଶଯ୍ୟା ବିଶିଷ୍ଟ ଗୃହର ପରିଚାଳନା ତଥା ସେବା ପ୍ରଦାନ ଲାଗି ଖୁବ୍‌ଶୀଘ୍ର ଏକ ଏଜେନ୍ସିକୁ ଚୟନ କରାଯିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।

କମିସନର ଶ୍ରୀ ଚୌଧରୀ କହିଛନ୍ତି ଯେ ପୂର୍ବରୁ ମହିଳା, ଶିଶୁ, ସହରର ଶାରୀରିକ ତଥା ମାନସିକସ୍ତରରେ ଅସୁବିଧା ଭୋଗୁଥିବା ତଥା ବୃଦ୍ଧ ଭିକାରୀଙ୍କ ପାଇଁ ୩ଟି ସ୍ବତନ୍ତ୍ର ଗୃହ ଅନୁମୋଦନ ହୋଇଥିଲା। ଏହି ତିନୋଟି ଗୃହର ଶହେ ଶଯ୍ୟା ବିଶିଷ୍ଟ ଘର ପାଇଁ ଏଜେନ୍ସି ଚୟନ ଶେଷ ହୋଇଛି। ସହରକୁ ଭିକାରୀମୁକ୍ତ କରିବାକୁ ଏକାଧିକ ପଦକ୍ଷେପ ନିଆଯାଉଛି। ବିଏମ୍‌ସି ସମେତ କମିସନରେଟ୍‌ ପୁଲିସ ଓ ସାମାଜିକ ସଙ୍ଗଠନଗୁଡ଼ିକ ବିଭିନ୍ନ ସ୍ଥାନରୁ ଭିକାରୀମାନଙ୍କୁ ଉଦ୍ଧାର କରିଛନ୍ତି। ରାସ୍ତାପାର୍ଶ୍ୱରେ ଭିକାରୀଙ୍କୁ ନିଷେଧ କରାଯାଇଥିବା ବେଳେ ରାମ ମନ୍ଦିର ନିକଟ ଏବେ ଭିକାରୀ ମୁକ୍ତ ହୋଇଛି। କିନ୍ନରମାନେ ଏକ ସ୍ବତନ୍ତ୍ର ବର୍ଗ ହୋଇଥିବାରୁ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକଳାପ ଯଥା ଟ୍ୟାକ୍ସ ସଂଗ୍ରହ, ପାର୍କିଂ ସ୍ଥାନ ପରିଚାଳନା ଭଳି ବିଭିନ୍ନ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର