ଖୁବ୍‌ଶୀଘ୍ର ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ: ଏଥର ଭଲ ର‍୍ୟାଙ୍କ୍‌ ପାଇବ ତ ଭୁବନେଶ୍ୱର?

ଲୋକଙ୍କ ଭୋଟ ଉପରେ ନିର୍ଭର କରୁଛି ର‍୍ୟାଙ୍କିଙ୍ଗ୍

ଭୁବନେଶ୍ବର : ନିକଟ ଅତୀତରେ କେନ୍ଦ୍ର ସରକାର ସ୍ୱଚ୍ଛ ସର୍ବେକ୍ଷଣର ସପ୍ତମ ସଂସ୍କରଣ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଭୋଟିଂ ବ୍ୟବସ୍ଥା ହେବ। ଯଦିଓ ଏଯାଏ ଭୋଟିଂ ବ୍ୟବସ୍ଥା ଆରମ୍ଭ ହୋଇ ନାହିଁ; ତଥାପି ଏହାକୁ ନେଇ ମହାନଗର ନିଗମରେ କସରତ ଆରମ୍ଭ ହୋଇଯାଇଛି। ସମସ୍ତ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ଜିଓ ଟ୍ୟାଗିଂ କରିବା ସହ ନଭେମ୍ବର ୧ ତାରିଖରୁ ବିଏମ୍‌ସି ଏହି ସବୁ ତଥ୍ୟ ଅପ୍‌ଲୋଡ୍‌ କରିବା ଆରମ୍ଭ କରିଛି। କେଉଁଦିନ କେତେ ଆବର୍ଜନା ସଂଗ୍ରହ ହେଉଛି ତାହା ମଧ୍ୟ ସାପ୍ତାହିକ ଅପ୍‌ଲୋଡ୍‌ ହେଉଛି। ଏ ସବୁ ବାଦ୍‌ ସାଧାରଣ ଲୋକଙ୍କ ଭୋଟ୍‌ ହିଁ ବିଏମ୍‌ସିକୁ ଭଲ ର‍୍ୟାଙ୍କ୍‌ ମିଳିବାରେ ସାହାଯ୍ୟ କରିବ। ଗତ ବର୍ଷ ବ୍ରହ୍ମପୁର ମହାନଗର ନିଗମ ସ୍ବଚ୍ଛ ସର୍ବେକ୍ଷଣରେ ୧ ନମ୍ବର ହୋଇଥିବା ବେଳେ ଭୁବନେଶ୍ବର ଶହେ ର‍୍ୟାଙ୍କ୍‌ ତଳେ ରହିଥିଲା। ଯାହାକୁ ନେଇ ସାରା ରାଜ୍ୟରେ ବିଏମ୍‌ସି ନିନ୍ଦିତ ହୋଇଥିଲା। ଏହା ପରଠାରୁ ବିଏମ୍‌ସି ସ୍ବଚ୍ଛ ସର୍ବେକ୍ଷଣରେ ଭଲ ର‍୍ୟାଙ୍କ୍‌ ପାଇବା ପାଇଁ ଲାଗି ପଡ଼ିଥିଲା। ହେଲେ ଏବେ ପରିସ୍ଥିତି ଯାହା; ସେଥିରେ ଭୁବନେଶ୍ବର ଭଲ ର‍୍ୟାଙ୍କ୍‌ ପାଇବା ନେଇ ସନ୍ଦେହ ଉପୁଜିଛି।

କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଚାଲିଥିବା ଏହି ସର୍ବେକ୍ଷଣ ଆରମ୍ଭ ପୂର୍ବରୁ ବିଏମ୍‌ସି ରାଜଧାନୀ ଭୁବନେଶ୍ବରରେ ସ୍ବଚ୍ଛତା ପାଇଁ ଉଦ୍ୟମ ଜାରି ରଖିଛି। ନିକଟ ଅତୀତରେ ଘରଘର ବୁଲି ବିଏମ୍‌ସି ଇ-ବର୍ଜ୍ୟ ସଂଗ୍ରହ ଆରମ୍ଭ କରିଛି। ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ସଂଖ୍ୟା ମଧ୍ୟ ବଢ଼ାଇଛି। ହେଲେ କେତେକ ସମସ୍ୟା ଏବେ ବିଏମ୍‌ସିର ପିଛା ଛାଡ଼ୁନାହିଁ। ଯେଉଁଥିପାଇଁ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି। ପୂର୍ବରୁ ହୋଇଥିବା ସର୍ବେକ୍ଷଣରେ ବିଏମ୍‌ସି କାଗଜପତ୍ରରେ ସମସ୍ତ ପ୍ରସ୍ତୁତି କରିବା ସହ ଭଲ ମାର୍କ ପାଇଥିଲା। ହେଲେ ଜନସାଧାରଣଙ୍କ ଭୋଟ୍‌ରେ ହିଁ ବିଏମ୍‌ସି ପଛରେ ପଡ଼ି ଯାଇଥିଲା। ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ରେ ଭୁବନେଶ୍ବରକୁ ୯୪ତମ ର‍୍ୟାଙ୍କ୍‌ ମିଳିଥିବା ବେଳେ ୨୦୧୮ରେ ୨୪୩ତମ, ୨୦୧୯ରେ ୨୮୮ତମ, ୨୦୨୦ରେ ୨୩୩ତମ ଓ ୨୦୨୧ରେ ୧୪୮ ତମ ର‍୍ୟାଙ୍କ୍‌ ମିଳିଥିଲା। ଏବେ ଭୁବନେଶ୍ବର ୫୦ ଭିତରେ ରହିବ‌ ବାଲି ଅଧିକାରୀ ଆଶା ବାନ୍ଧିଛନ୍ତି।

ପୂର୍ବରୁ ଆର୍ବଜନା ସଂଗ୍ରହରେ ବିଏମ୍‌ସି ପଛେଇ ଯାଇଥିଲା। ଓଦା ବର୍ଜ୍ୟ, ଶୁଖିଲା ବର୍ଜ୍ୟ ଓ ବିଷାକ୍ତ ବର୍ଜ୍ୟ ପୃଥକ୍‌ ପୃଥକ୍‌ ସଂଗ୍ରହ ହୋଇ ପରିଚାଳନା ହେଉନଥିଲା। କିନ୍ତୁ ଏବେ ବିଏମ୍‌ସି ଏହାକୁ ପୃଥକ୍‌ ପୃଥକ୍‌ ସଂଗ୍ରହ କରୁଛି। ଭୁବନେଶ୍ବର ମଳମୁକ୍ତ ସହର ବୋଲି ଘୋଷଣା ହେବା ସହ ଏବେ ଓଡିଏଫ୍‌ ପ୍ଲସ୍‌ ଶ୍ରେଣୀରେ ରହିଛି। କିନ୍ତୁ ବିଭିନ୍ନ ସମୟରେ ଏଠାରେ ସଫେଇ କର୍ମଚାରୀ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବାରୁ ଆବର୍ଜନା ଗଦା ହୋଇ ରହୁଛି। ଭୁଆଷୁଣିଠାରେ ଏ ଯାବତ୍‌ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କାର୍ଯ୍ୟକ୍ଷମ ହେଇନଥିବାରୁ ସେଠାରେ ପାହାଡ଼ ଭଳି ଆବର୍ଜନା ଗଦା ହେଉଛି। ଅନ୍ୟପଟେ ସହରରେ ଯାନ୍ତ୍ରିକ ସଫେଇ କାର୍ଯ୍ୟକ୍ରମ ଚାଲିଛି। ରାସ୍ତା ସଫା କରିବା ପାଇଁ ଯେଉଁ ଗାଡ଼ି ବ୍ୟବହାର ହେଉଛି; ତାହା ନିର୍ଦ୍ଧ‌ାରିତ ବେଗରେ ନଯାଇ ଦ୍ରୁତ ଗତି‌ରେ ଯାଉଥିବାରୁ ଧୂଳି ସଫା ହେଉନାହିଁ। ସଫା କରିବା ପରିବର୍ତ୍ତେ ଧୂଳି ଉଡ଼ାଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ରହିଥିବାରୁ ଭୋଟିଂରେ ବିଏମ୍‌ସି ପଛରେ ପଡ଼ିବା ଆଶଙ୍କା କରାଯାଉଛି।

ଅନ୍ୟପଟେ କିଭଳି ଭଲ ର‍୍ୟାଙ୍କ୍‌ ମିଳିବ ସେଥିପାଇଁ ଜୋରଦାର ଉଦ୍ୟମ ଚାଲିଥିବା ବିଏମ୍‌ସି କହିଛି। ଯେଉଁ କାଟାଗୋରିରେ ପୂର୍ବ ବର୍ଷଗୁଡ଼ିକରେ ମାର୍କ କମିଥିଲା; ସେହି କ୍ଷେତ୍ରରେ ବ୍ୟାପକ ସୁଧାର ଅଣାଯାଇଛି। ପୂର୍ବରୁ ବର୍ଜ୍ୟ ପରିଚାଳନା ଓ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନ ଥିବାରୁ ବହୁତ ମାର୍କ କଟୁଥିଲା। ଏବେ ସେଥିରେ ଅନେକ ସୁଧାର ହୋଇଥିବାରୁ ଭଲ ର‍୍ୟାଙ୍କ ମିଳିବ ବୋଲି ବିଏମ୍‌ସି ଆଶାବାଦୀ ଅଛି।

ସମ୍ବନ୍ଧିତ ଖବର