ଭୁବନେଶ୍ୱର: ଦୀର୍ଘ ଦିନ ହେବ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ଥିବା ବିଏମ୍‌ସି ହସ୍‌ପିଟାଲ୍‌ର ଅବସ୍ଥା ସୁଧୁରିବାକୁ ଯାଉଛି। ବିଏମ୍‌ସି ଏଠାରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ସମେତ ଚର୍ମରୋଗ, ଅସ୍ଥିଶଲ୍ୟ ଓ ନିଶ୍ଚେତକ ବିଶେଷଜ୍ଞ ନିଯୁକ୍ତି ଦେବାକୁ ଯାଉଛି। ଏହା ସହିତ ମେଡିକାଲ ଅଫିସର ଓ ଦନ୍ତ ଚିକିତ୍ସକ ମଧ୍ୟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରେ ଏଥିପାଇଁ ପରୀକ୍ଷା ହେବାକୁ ଯାଉଛି। ତେବେ ଏ ସବୁ ନିଯୁକ୍ତି ସମ୍ପୂର୍ଣ୍ଣ ଅସ୍ଥାୟୀ ବୋଲି ବିଏମ୍‌ସି କହିଛି। ଏହି ନିଯୁକ୍ତି ଫଳରେ ହସ୍‌ପିଟାଲ୍‌ର ଦକ୍ଷତା ବଢ଼ିବ। ବି‌ଶେଷଜ୍ଞଙ୍କ ଅଭାବରୁ ଏଠାରୁ ରୋଗୀ ଫେରିଯିବା ସହ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଯେଉଁ ଚାପ ବଢ଼ୁଥିଲା ତାହା ମଧ୍ୟ କମିବ ବୋଲି ବିଏମ୍‌ସି କହିଛି। ଏଣେ କିନ୍ତୁ ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ ଅଚଳ ହୋଇ ପଡ଼ିଛି। ବର୍ଷ ବର୍ଷ ଧରି ଏଠାରେ ଗର୍ଭ ପରୀକ୍ଷା ସମ୍ଭବ ହେଉ ନାହିଁ। ଏବେ ବିଶେଷଜ୍ଞ ନିଯୁକ୍ତି ପାଇବାକୁ ଯାଉଥି‌‌ଲେ ମଧ୍ୟ ଗର୍ଭବତୀ ଘରୋଇ ପାଥୋଲ୍ୟାବ୍‌ରେ ପରୀକ୍ଷା କରି ଖର୍ଚ୍ଚାନ୍ତ ହେବା ଥୟ ହୋଇଛି।

Advertisment

ନିଯୁକ୍ତି ପାଇବେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ
ଏଣେ ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ ଅଚଳ
ବେଦାନ୍ତ ପଇସା ଦେଇଛି, କିଣା ହୋଇପାରୁନି

ଏଠାରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଏବଂ ଟେକ୍ନିସିଆନଙ୍କ ପାଇଁ ଏଠାରେ ଗର୍ଭବତୀଙ୍କ ଭିଡ଼ ଲାଗୁଥିଲା। କିନ୍ତୁ ଦୀର୍ଘ ଦିନ ଧରି ବିଶେଷଜ୍ଞ ପଦ ଖାଲି ପଡ଼ିବାରୁ ବିଏମ୍‌ସି ହସ୍‌ପିଟାଲ୍‌କୁ ଆଉ ଗର୍ଭବତୀ ଗଲେ ନାହିଁ। ବିଭିନ୍ନ ସ୍ତରରେ ହୋ ହଲ୍ଲା ହେବା ପରେ ବିଏମ୍‌ସି ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ନିଯୁକ୍ତି ଦେବାକୁ ଯାଉଛି। କିନ୍ତୁ ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ ନାହିଁ। ବାସ୍ତବରେ ଡାକ୍ତର ପଦ ଓ ଟେକ୍ନିସିଆନ୍‌ ପଦ ଖାଲି ରହିବାରୁ ଅଲ୍‌ଟ୍ରାସାଉଣ୍ଡ ହେଲା ନାହିଁ। ଫଳରେ ମେସିନ୍‌ ପଡ଼ି ପଡ଼ି ଖରାପ ହୋଇଗଲା। ବିଏମ୍‌ସି ମେସିନ୍‌ କିଣିଲା ନାହିଁ। ଶେଷ‌ରେ ବେଦାନ୍ତ ଏହି ମେସିନ୍‌ ପାଇଁ ବିଏମ୍‌ସିକୁ ଅର୍ଥ ପ୍ରଦାନ କରିଥିଲା। ଗତ ବର୍ଷ ଫେବ୍ରୁଆରି ମାସରେ ବିଏମ୍‌ସି ଏହି ମେସିନ୍‌ ଯୋଗାଇବା ପାଇଁ ଠିକା ସଂସ୍ଥା ଚୟନ କରିବାକୁ ଟେଣ୍ଡର ଡାକିଥିଲା। ୨୧ ଇଞ୍ଚର ଏଲ୍‌ଇଡି ଡିସ୍‌ପ୍ଲେ ସହ ଟଚ୍‌ ସ୍କ୍ରିନ୍‌ କଣ୍ଟ୍ରୋଲ୍‌ ପ୍ୟାନେଲ୍‌ ଭଳି ଅତ୍ୟାଧୁନିକ ସୁବିଧା ସହ ୫ ବର୍ଷ ପର୍ଯ୍ୟନ୍ତ ଠିକା ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବାକୁ ସର୍ତ୍ତ ରହିଥିଲା। ୨୦୨୩ ଏପ୍ରିଲ୍‌ ସୁଦ୍ଧା ଏହି ମେସିନ୍‌ ଲାଗିଯିବା କଥା। ହେଲେ ବର୍ଷେ ପୂରିଲାଣି ମେସିନ୍‌ କିଣାଯାଇ ପାରୁନି। 
ଏଣେ ଯାହା ଦରକାର ତାହା ନ କରି ବିଏମ୍‌ସି ଏଠାରେ ଭିତ୍ତିଭୂମି ଉନ୍ନତି ନାଁରେ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା କରିଛି। ମେଡିକାଲ୍‌ ବାହାରେ ରୋଗୀ ଓ ତାଙ୍କ ପରିଜନମାନେ ଖରା ବର୍ଷାରେ ଧାଡ଼ିବାନ୍ଧି ଛିଡ଼ା ହେଉଥିବାରୁ ଏଠାରେ ଏକ ସେଡ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ହସ୍‌ପିଟାଲ୍‌କୁ ଅଗ୍ନିକାଣ୍ଡରୁ ରକ୍ଷା କରିବାକୁ ଏଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ତା ସହିତ ଅସ୍ତ୍ରୋପଚାରରେ ବ୍ୟବହାର ହେଉଥିବା ଯନ୍ତ୍ରପାତିଗୁଡ଼ିକୁ ବିଶୋଧିତ କରିବାକୁ ଏକ ଅଟୋ ଷ୍ଟେରିଲାଇଜେସନ ମେସିନ୍‌ ମଧ୍ୟ ବିଏମ୍‌ସି କିଣିବାକୁ କହିଛି। ବିଜ୍ଞପ୍ତି ମୁତାବକ, ଆସନ୍ତା ୨୦ ତାରିଖରେ ବିଶେଷଜ୍ଞ ନିଯୁକ୍ତି ପାଇଁ ବିଏମ୍‌ସି ୱାକ୍‌-ଇନ୍‌-ଇଣ୍ଟରଭ୍ୟୁ ଡାକିଛି। ମେଡିକାଲ୍‌ ଅଫିସର ଓ ଦାନ୍ତ ଡାକ୍ତରଙ୍କ ପାଇଁ ୬୦ ହଜାର ଦରମା ରହିଥିବା ବେଳେ ତିନି ବିଶେଷଜ୍ଞଙ୍କ ପାଇଁ ୮୫ ହଜାର ଦରମା ରହିଛି। ବି‌ଶେଷଜ୍ଞଙ୍କ ସେବା ଦେବାକୁ ଓପିଡି ସକାଳେ ୪ ଘଣ୍ଟା ଓ ଅପରାହ୍ନରେ ୨ ଘଣ୍ଟା ଏଭଳି ପ୍ରତି ସପ୍ତାହରେ ଥରେ ଖୋଲିବ।