ପ୍ରିୟଦର୍ଶୀଙ୍କ ନେତୃତ୍ବରେ ବିକାଶ ହେବ: ଅପରାଜିତା

ଉତ୍ତର ନିର୍ବାଚନମଣ୍ଡଳୀରେ ବିଜେପିର ଧନ୍ୟବାଦ ସଭା

ଚନ୍ଦ୍ରଶେଖରପୁର: ଉତ୍ତର ନିର୍ବାଚନମଣ୍ଡଳୀରେ ବିଜେପିର ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ବରେ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ବାସିନ୍ଦାଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ। ସେ କହିଥିଲେ, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା କରି ଲୋକେ ବହୁସଂଖ୍ୟାରେ ଭୋଟ ଦେଇ ବିଜେପି ସରକାରକୁ ଜିତାଇଛନ୍ତି। ଆପଣମାନଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିବ। ଏବେ ଓଡ଼ିଶାର ବିକାଶ ସହିତ ଉତ୍ତର ନିର୍ବାଚନମଣ୍ଡଳୀର ମଧ୍ୟ ବିକାଶ ହେବ। ରାଜ୍ୟ ସରକାରଙ୍କ ତରଫରୁ ଉତ୍ତର ନିର୍ବାଚନମଣ୍ଡଳୀର ବିକାଶର କର୍ଣ୍ଣଧାର ସାଜିବେ ପ୍ରିୟଦର୍ଶୀ ମିଶ୍ର।

ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ଭୁବନେଶ୍ୱରକୁ ସରସ ସୁନ୍ଦର କରିବାର ପରିକଳ୍ପନା ରହିଛି। ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର କହିଥିଲେ ନିର୍ବାଚନ ପ୍ରକ୍ରିୟାରେ ମୁଁ ହାରିଥିଲେ ମଧ୍ୟ ଆପଣମାନଙ୍କ ପାଖରେ ଜିତିଛି। ଖୁବ୍‌ କମ୍ ଦିନ ହେବ ଦଳକୁ ଆସି ୬୬ ହଜାର ଭୋଟ ପାଇଛି। ଉତ୍ତର ଭୁବନେଶ୍ବରର ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିବି। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ,ସୁନୀତି ମୁଣ୍ଡ, ଅର୍ପିତା ବଡ଼ଜେନା, ଅଭିଳାଷ ପଣ୍ଡା ଓ କର୍ପୋରେଟର ଯଶୋଧାରା ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଡ଼ା, ନଗେନ ବିଶୋଇ, ବିଜୟ ରାଉତ ପ୍ରମୁଖ ଯୋଗଦେଇ ଭାରତୀୟ ଜନତା ପାର୍ଟିର ଏହି ବିଜୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର