ଭୁବନେଶ୍ବର: ସମସ୍ତଙ୍କ ଧାରଣା ରାଜଧାନୀରେ ପାଠୁଆ ତଥା ଉଚ୍ଚଶିକ୍ଷିତ ଭୋଟର ରୁହନ୍ତି। କିଏ ଘରୋଇ କମ୍ପାନିରେ ତ ଆଉ କିଏ ସରକାରୀ କାର୍ଯ୍ୟାଳୟରେ କାମ କରୁଛନ୍ତି। ଦେଶ ବିଦେଶ ବୁଲୁଛନ୍ତି। ବିଶିଷ୍ଟ ଲୋକଙ୍କ ସହ ମିଶୁଛନ୍ତି। ବଡ଼ ବଡ଼ କଥା କହୁଛନ୍ତି। ଇଏ ସରକାର ଅମୁକ କଲାନି। ସେ ସରକାର ଆସିଥିଲେ ଭଲ ହୋଇଥାନ୍ତା। ଏମିତି ଅନେକ କିଛି। ମାତ୍ର ମତଦାନ ଅଧିକାର ସାବ୍ୟସ୍ତ କରିବା ସମୟରେ ଏମାନଙ୍କୁ ଦେଖିବାକୁ ମିଳି ନ ଥାଏ। ଧାଡ଼ିରେ ଛିଡ଼ା ହେଲେ ସମୟ ବରବାଦ ହେବ। ତେଣୁ ମତଦାନ ଅଧିକାରରୁ ଦୂରେଇ ରହିବାକୁ ଉଚିତ୍ ମଣନ୍ତି। ଯେଉଁଥିପାଇଁ ପ୍ରତି ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର ସବୁଠାରୁ କମ୍ ରୁହେ। ମହାନଗର ନିର୍ବାଚନ ହେଉ ଅଥବା ସାଧାରଣ ନିର୍ବାଚନ। ଗତ ଦୁଇ ଦଶନ୍ଧି ହେଲା ସବୁବେଳେ ସମାନ ଅବସ୍ଥା ଦେଖିବାକୁ ମିଳୁଛି।
ମତଦାନରେ ରାଜଧାନୀର ଅଲୋଡ଼ା ରେକର୍ଡ
ଶିକ୍ଷିତଙ୍କ ସଂଖ୍ୟା ଅଧିକ, ମତଦାନ ପ୍ରତି ବୀତସ୍ପୃହ
ମତଦାନ ହାର କେବେ ବି ଟପିନି ୫୦%
/sambad/media/post_attachments/wp-content/uploads/2022/01/vote-final-fff-300x163.jpg)
୮ ବର୍ଷ ପରେ ଭୁବନେଶ୍ବର ମହାନଗର ନିଗମ ପାଇଁ ନିର୍ବାଚନ ହେଉଥିବାରୁ ଏଥର ମତଦାନ ହାର ବଢ଼ିବ କି? ସଚେତନ ତଥା ଉଚ୍ଚଶିକ୍ଷିତ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବାକୁ ବାହାରକୁ ପାଦ କାଢ଼ିବେ ତ? ନା ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ମତାଧିକାର ସାବ୍ୟସ୍ତରୁ ଦୂରେଇ ରହିବେ? ଗୁରୁବାର ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହେଉଥିବାରୁ ଏବେ ପ୍ରାର୍ଥୀଙ୍କ ନଜର ପାଠୁଆ ଭୋଟରଙ୍କ ଉପରେ ରହିଛି।
ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅଧୀନ ୱାର୍ଡଗୁଡ଼ିକରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୧୦ ପୁରୁଷ ଓ ୩ ଲକ୍ଷ ୩୦ ହଜାର ୮୧୫ ମହିଳା ଓ ୪୪୦ ଜଣ ଅନ୍ୟାନ୍ୟ ବର୍ଗର ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ଅଢ଼େଇ ଲକ୍ଷ ଭୋଟର କେବଳ ବସ୍ତି ଅଞ୍ଚଳରେ ରହୁଛନ୍ତି। ଏମିତିରେ ଭୁବନେଶ୍ବରରେ ମତଦାନ ହାର ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ କମ୍। ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର ମାତ୍ର ୪୫% ରହିଥିଲା।
ସେଥିମଧ୍ୟରୁ ଅଧିକାଂଶ ଭୋଟର ବସ୍ତି ଅଞ୍ଚଳର ଥିଲା। ୨୦୧୪ ପୌର ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର ୪୩.୩୦% ଥିବାବେଳେ ୨୦୦୮ରେ ଏହା ୩୮.୨୯%, ୨୦୦୩ରେ ୪୮.୮% ରହିଥିଲା। ରାଜଧାନୀରେ ବହୁ ଶିକ୍ଷିତ ଭୋଟର ମତଦାନଠାରୁ ଦୂରେଇ ରହୁଥିବାରୁ ପ୍ରାର୍ଥୀଙ୍କ ଭରସା ବସ୍ତିବାସିନ୍ଦାଙ୍କ ଉପରେ ବଢ଼ିବାରେ ଲାଗିଛି। କାରଣ ବସ୍ତି ଭୋଟରଙ୍କ ମତଦାନ ହାର ୮୦%ରୁ ଅଧିକ ରହୁଛି। ତେଣୁ ପ୍ରାର୍ଥୀମାନେ ବସ୍ତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଯଦି ଦେଖାଯାଏ ୨୦୦୩ ବିଏମ୍ସି ନିର୍ବାଚନରେ ମତଦାନ ହାର ୪୮.୮% ରହିଥିଲା। ୪୭ ୱାର୍ଡରେ ଥିବା ୫ ଲକ୍ଷ ୨ ହଜାର ୩୮୪ ଭୋଟରଙ୍କ ମଧ୍ୟରୁ ୨ ଲକ୍ଷ ୪୫ ହଜାର ୨୩ ଜଣ ମତଦାନ ସାବ୍ୟସ୍ତ କରିଥିଲେ।
ସେଥିମଧ୍ୟରୁ ବିଜେଡି ପ୍ରାର୍ଥୀମାନେ ସର୍ବାଧିକ ୭୬ ହଜାର ୭୭୬ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୫୯ ହଜାର ୯୮୦, କଂଗ୍ରେସ ପ୍ରାର୍ଥୀ ୪୫ ହଜାର ୬୨୨ ଖଣ୍ଡ ଭୋଟ ହାତେଇଥିଲେ। ସ୍ବାଧୀନ ପାର୍ଥୀଙ୍କ ଝୁଲାକୁ ୫୨ ହଜାର ୮୯୬ ଖଣ୍ଡ ଭୋଟ ଯାଇଥିଲା। ୨୭୧୧ ଭୋଟ ବାତିଲ୍ ହୋଇଥିଲା। ୪୭ଟି ୱାର୍ଡ ମଧ୍ୟରୁ ବିଜେଡି ସର୍ବାଧିକ ୧୮ଟି, ବିଜେପି ୧୩, କଂଗ୍ରେସ ୧୦ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ୬ଟି ୱାର୍ଡରେ ବିଜୟ ହାସଲ କରିଥିଲେ।
୨୦୦୮ରେ ମତଦାନ ହାର ୩୮.୨୯ ପ୍ରତିଶତ ଥିଲା। ୬୦ଟି ୱାର୍ଡର ୬ ଲକ୍ଷ ୪୨ ହଜାର ୩୯୩ ଭୋଟରଙ୍କ ମଧ୍ୟରୁ ୨ ଲକ୍ଷ ୪୬ ହଜାର ୩ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ସେଥିମଧ୍ୟରୁ ସର୍ବାଧିକ ଭୋଟ ବିଜେଡି ଝୁଲାକୁ ଯାଇଥିଲା। ବିଜେଡି ପ୍ରାର୍ଥୀମାନେ ୧ ଲକ୍ଷ ୧ ହଜାର ୪୧୭ ଭୋଟ, ବିଜେପି ପ୍ରାର୍ଥୀ ୫୮ ହଜାର ୧୨୬, କଂଗ୍ରେସ ପ୍ରାର୍ଥୀ ୩୦ ହଜାର ୬୧୫ ଭୋଟରେ ସନ୍ତୁଷ୍ଟ ହୋଇଥିଲେ। ମାତ୍ର ସ୍ବାଧୀନ ପ୍ରାର୍ଥୀମାନେ ୪୪ ହଜାର ୧୫୧ ଖଣ୍ଡ ଭୋଟ ପାଇଥିଲେ। ୬୦ଟି ୱାର୍ଡ ମଧ୍ୟରୁ ବିଜେଡି ୪୦ଟିରେ ବିଜୟ ହୋଇଥିବା ବେଳେ ବିଜେପି ୯ ଓ କଂଗ୍ରେସ ୪ଟିରେ ସନ୍ତୁଷ୍ଟ ରହିଥିଲେ। ୬ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀଙ୍କ ପତିଆରା ଦେଖିବାକୁ ମିଳିଥିଲା।
୨୦୧୪ରେ ଭୁବନେଶ୍ବରରେ ମତଦାନ ହାର ୪୩.୩୦ ପ୍ରତିଶତ ଥିଲା। ୨୦୦୮ ତୁଳନାରେ ୱାର୍ଡ ସଂଖ୍ୟା ବଢ଼ିଥିଲା। ୬୭ଟି ୱାର୍ଡର ୬ ଲକ୍ଷ ୪୨ ହଜାର ୩୯୩ ଭୋଟରଙ୍କ ମଧ୍ୟରୁ ୨ ଲକ୍ଷ ୯୮ ହଜାର ୮୫୩ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ୧ ଲକ୍ଷ ୪୫ ହଜାର ୮୮୦ ଭୋଟ ମିଳିଥିଲା। ବିଜେପି ପ୍ରାର୍ଥୀଙ୍କୁ ୪୫ ହଜାର ୨୫୧, କଂଗ୍ରେସକୁ ୩୦ ହଜାର ୩୦୧ ଭୋଟ ଯାଇଥିଲା। ମାତ୍ର ସ୍ବାଧୀନ ପ୍ରାର୍ଥୀମାନେ ରେକର୍ଡ ସଂଖ୍ୟକ ଭୋଟ ପାଇବା ସହ ଇତିହାସ ସୃଷ୍ଟି କରିଥିଲେ। ସ୍ବାଧୀନ ପ୍ରାର୍ଥୀଙ୍କୁ ୭୫ ହଜାର ୬୨୫ଟି ଭୋଟ ଯାଇଥିଲା ଏବଂ ୧୨ ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟ ହୋଇଥିଲେ। ପୂର୍ବରୁ କେବେ ବି ସ୍ବାଧୀନ ପ୍ରାର୍ଥୀ ଏଭଳି ଭୋଟ ହାତେଇ ନ ଥିଲେ। ୬୭ଟି ୱାର୍ଡ ମଧ୍ୟରୁ ବିଜେଡି ୪୯, ବିଜେପି ୪ ଓ କଂଗ୍ରେସ ୨ରେ ସୀମିତ ରହିଥିଲେ। ସ୍ବାଧୀନ ପ୍ରାର୍ଥୀ ୧୨ଟି ୱାର୍ଡରେ ଦମଦାର ପ୍ରଦର୍ଶନ କରିଥିଲେ।