ଭୁବନେଶ୍ବର: ନନ୍ଦନକାନନର ବିକାଶ ଲାଗି ୨୦ ବର୍ଷରେ ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ବ୍ୟୟ ଅଟକଳ କରାଯିବା ସହ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ନିକଟକୁ ଅନୁମୋଦନ ଲାଗି ପଠାଯାଇଛି। କାଞ୍ଜିଆ ଓ କିଆକଣି ହ୍ରଦର ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟୀକରଣ କରାଯାଇ ବିଶ୍ବସ୍ତରୀୟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଇତିମଧ୍ୟରେ ଚନ୍ଦକା ଅଭୟାରଣ୍ୟରୁ ୬୦୬.୨୨ ହେକ୍ଟର ଅଞ୍ଚଳକୁ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଛି।
ଫଳରେ ନନ୍ଦନକାନନର ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପାଇଛି। ଯଦି ସବୁ କିଛି ଠିକ୍ ଚାଲେ, ତେବେ ୨୦୪୦ ବେଳକୁ ଏହା ବିଶ୍ବସ୍ତରୀୟ ହେବ। ଏମିତି ବିଶ୍ବ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।
ମାତ୍ର ଏହା ଭିତରେ ଗୋଟିଏ ପରେ ଗୋଟିଏ ଜନ୍ତୁ ମଡ଼କ ରାଜ୍ୟ ସରକାରଙ୍କ ଯୋଜନାର ସଫଳ ରୂପାୟନ ହେବା ନେଇ ଆଶଙ୍କା ସୃଷ୍ଟି କରିଛି। କାରଣ ଗତ ୩ ବର୍ଷ ମଧ୍ୟରେ ନନ୍ଦନକାନନରେ ୨୬୦ଟି ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି। ବାଘ, ହାତୀ ସମେତ ବିରଳ ପ୍ରଜାତିର ବନ୍ୟଜନ୍ତୁଙ୍କ ଜୀବନ ଯାଇଛି। ନିଜ ନିଜ ମଧ୍ୟରେ ଲଢ଼େଇ, ବାର୍ଦ୍ଧକ୍ୟ, ରୋଗ ପାଇଁ ଜନ୍ତୁଙ୍କ ଜୀବନ ଯାଇଛି।
ମାତୃ ଯତ୍ନ ପାଇ ନ ପାରି ବହୁ ଛୁଆଙ୍କର ମୃତ୍ୟୁ ହୋଇଛି। ମାତ୍ର ନନ୍ଦନକାନନ ପ୍ରାଣୀ ଶୂନ୍ୟ ହେବାର କୌଣସି ସତ୍ୟତା ନ ଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି। ମନ୍ତ୍ରୀ ଶ୍ରୀ ଅମାତ ବିଧାନସଭାରେ ଯୁକ୍ତି ବାଢ଼ିଛନ୍ତି ଯେ ୨୬୦ ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଦେଶର ଅନ୍ୟାନ୍ୟ ପ୍ରାଣୀ ଉଦ୍ୟାନରୁ ୬୪ଟି ନୂତନ ବନ୍ୟପ୍ରାଣୀଙ୍କୁ ଏଠାକୁ ଅଣାଯାଇଛି। ଏବେ ପ୍ରାଣୀ ଉଦ୍ୟାନରେ ୧୮୩୮ଟି ସ୍ତନ୍ୟପାୟୀ, ୩୧୭ଟି ଶରୀସୃପ, ୧୮୬୨ ପକ୍ଷୀ ଓ ୨୧ଟି ଉଭୟଚର ପ୍ରାଣୀଙ୍କ ମିଶାଇ ମୋଟ ୪୦୩୮ ବନ୍ୟପ୍ରାଣୀ ରହିଛନ୍ତି।
ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏକାଧିକ ପଦକ୍ଷେପ ନିଆଯାଇଛି। କାଞ୍ଜିଆ ହ୍ରଦ ଉପରେ ନୂଆ ରୋପୱେ ପ୍ରତିଷ୍ଠା ଲାଗି ଇତିମଧ୍ୟରେ ଦାମୋଦର ରୋପୱେ ଆଣ୍ଡ ଇନ୍ଫ୍ରା ଲିମିଟେଡ୍ ସହ ରାଜିନାମା କରିଛନ୍ତି। ୯.୭୦ ଏକର ପରିମିତ ଜମିରେ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିସହ ପ୍ରାଣୀ ଉଦ୍ୟାନରେ ଥିବା ୩ଟି ପୁରାତନ ଖୁଆଡ଼କୁ ପରିବର୍ତନ କରାଯାଇ ମାଙ୍କଡ଼ମାନଙ୍କ ପାଇଁ ଦୁଇଟି ଦ୍ବୀପ ସଦୃଶ ଖୁଆଡ଼ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ସମ୍ମୁଖରେ ବସୁଥିବା ଉଠାଦୋକାନୀଙ୍କ ଥଇଥାନ ଲାଗି ପରିବେଶ ଅନୁକୂଳ ମାର୍କେଟ କମ୍ପ୍ଲେକ୍ସର ମଧ୍ୟ ପରିକଳ୍ପନା କରାଯାଇଛି। ଇତିମଧ୍ୟରେ ୪୩୮ କାର୍ ପାର୍କିଂ ଲାଗି ବିଶ୍ବସ୍ତରୀୟ ବହୁତଳ ବିଶିଷ୍ଟ ଯାନବାହନ ରହଣି ସ୍ଥଳ ହୋଇଛି। ୭୨ ଜଣ ପର୍ଯ୍ୟଟକ ବସିବା ଭଳି କ୍ଷମତା ଥିବା ୫ଟି ବଗି ଥିବା ବ୍ୟାଟେରି ଚାଳିତ ରେଳଗାଡ଼ି ଅକ୍ଟୋବର ମାସରୁ ଆରମ୍ଭ ହୋଇଛି।
ପ୍ରାଣୀ ଉଦ୍ୟାନରେ ପଶୁ, ପକ୍ଷୀମାନଙ୍କ ରୋଗ ନିରୂପଣ ଲାଗି ଅତ୍ୟାଧୁନିକ ପ୍ରାଣୀ ଉଦ୍ୟାନ ପ୍ରୟୋଗଶାଳା ଓ ନିଦାନ କେନ୍ଦ୍ର ସ୍ଥାପନ କରିବାର ଯୋଜନା ରହିଛି। ଜରୁରୀ ଆବଶ୍ୟକ ସ୍ଥଳେ ପଶୁ ପକ୍ଷୀଙ୍କ ଚିକିତ୍ସା ଲାଗି ଓଡ଼ିଶା ପଶୁ ଚିକିତ୍ସା ମହାବିଦ୍ୟାଳୟର ସହଯୋଗ ନିଆଯାଉଛି। ପଶୁପକ୍ଷୀଙ୍କ ଅଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ଲାଗି ଜଣେ ସ୍ବତନ୍ତ୍ର ରେଞ୍ଜ ଅଫିସରଙ୍କ ସହ ବନପାଳ, ବନରକ୍ଷୀ ଓ ସୁରକ୍ଷା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ରାତିରେ ପଶୁପକ୍ଷୀଙ୍କ ସୁରକ୍ଷା ଲାଗି ଚତୁପାର୍ଶ୍ବରେ ପ୍ରାଚୀର ନିର୍ମାଣ ସହ ସିସିଟିଭି ଲଗାଯାଇଛି। ଗାଡ଼ିରେ ପ୍ରହରା ଦିଆଯାଉଥିବା ନେଇ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଅମାତ୍ ଏହା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/24-16.jpg)