ବିନା ପ୍ରାକ୍ଟିକାଲ୍‌ ଶିକ୍ଷାରେ ପରୀକ୍ଷା ଦେବେ: ଚିନ୍ତାରେ ଚାରୁ ଓ କାରୁକଳା ଛାତ୍ରଛାତ୍ରୀ

ଖଣ୍ଡଗିରି: ମହାମାରୀ କରୋନା କାଳରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାଠପଢ଼ା। ସବୁ ବର୍ଗର ତଥା ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରଭାବିତ ହୋଇଛନ୍ତି। ତେଣୁ ଚାରୁ ଓ କାରୁକଳା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। କରୋନା କଟକଣା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ଚାରୁ ଓ କାରୁକଳା ଛାତ୍ରଛାତ୍ରୀମାନେ ମଧ୍ୟ ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରିଛନ୍ତି। କିନ୍ତୁ ଚାରୁକଳା ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ୍‌ ଶିକ୍ଷା ଗ୍ରହଣ କରିବା ସୁବିଧାରୁ ବଞ୍ଚିତ ହୋଇଥିବାରୁ ଚିନ୍ତାରେ ପଡ଼ିଛନ୍ତି। ବିନା ପ୍ରାକ୍ଟିକାଲ୍‌ ଶିକ୍ଷାରେ ସେମାନେ କିଭଳି ପରୀକ୍ଷା ଦେବେ ବୋଲି କହିଛନ୍ତି। ଅନ୍ୟ ପାଠ୍ୟକ୍ରମ ଭଳି ସେମାନଙ୍କୁ ପାସ୍ କରିବା ମଉକା ମିଳିଲେ ବି ସେମାନଙ୍କ ପ୍ରକୃତ ଦକ୍ଷତା ବିକାଶ ହୋଇପାରିନି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କଠାରୁ ମିଳିଥିବା ସୂଚନାନୁସାରେ, ସେମାନଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷ‌ା ପ୍ରଦାନ କରାଯାଇଛି। ସେମାନେ ପୁସ୍ତକଗତ ଶିକ୍ଷା ଲାଭ କରିଛନ୍ତି। ମାତ୍ର ସେମାନଙ୍କ ଅଭ୍ୟାସ ଏକପ୍ରକାର ଶୂନ। କରୋନା ପାଇଁ କଲେଜ ବନ୍ଦ ଥିବାରୁ ସେମାନେ ପ୍ରାକ୍ଟିକାଲ୍‌ ଶିକ୍ଷା ଗ୍ରହଣ କରି ପାରିନାହାନ୍ତି। ଏହି ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଅଭ୍ୟାସଭିତ୍ତିକ ହୋଇଥିବାରୁ ସେମାନେ ଚିନ୍ତାରେ ପଡ଼ିଥିବା‌ କହିଛନ୍ତି। କିଛି ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ସେମାନେ ଛୁଟିରେ ଗାଁରେ ରହିବାକୁ ବାଧ୍ୟ ହେଲେ। ଫଳରେ ଅଭ୍ୟାସ ପାଇଁ ସେମାନଙ୍କୁ ମଉକା ମିଳିଲା ନାହିଁ। ରାଜଧାନୀରେ ମିଳି ପାରୁଥିବା ସାମଗ୍ରୀ ତଥା ସୁବିଧା ଗାଁରେ ମିଳୁ ନଥିବାରୁ ଦୁଇ ବର୍ଷ ହେଲା ସେମାନେ ବିଭିନ୍ନ ଅଭ୍ୟାସ କରିବାରୁ ବଞ୍ଚିତ ହୋଇଛନ୍ତି। ଏହି କଲେଜରେ ଭାସ୍କର୍ଯ୍ୟ କଳା, ମୁଦ୍ରଣ, ଚିତ୍ରକଳା, ଭାରତୀୟ ଚିତ୍ରକଳା, କଳାର ଇତିହାସ ଓ ଆପଲ୍‌ଏଡ୍‌ ଆର୍ଟରେ ଶିକ୍ଷାଦାନ କରାଯାଉଛି। ଭାସ୍କର୍ଯ୍ୟ କଳା ଓ ମୁଦ୍ରଣ କଳା ଶିକ୍ଷା ଗ୍ରହଣ କରୁଥିବ‌ା ଛାତ୍ରଛାତ୍ରୀମାନେ ଅଧିକ ପ୍ରଭ‌ାବିତ ହୋଇଛନ୍ତି। ଏହି ବିଭାଗର ପାଠ୍ୟ ଖସଡ଼ା ସମ୍ପୂର୍ଣ୍ଣ ପ୍ରାକ୍ଟିକାଲ୍‌ ଶିକ୍ଷା ଉପ‌ରେ ନିର୍ଭର କ‌ରେ। ଆଉ ମାତ୍ର ଦୁଇ ମାସ ପରେ ସେମାନେ ସେମିଷ୍ଟର୍‌ ପରୀକ୍ଷା ଦେଇ ତୃତୀୟ ବାର୍ଷିକ ପାଠ୍ୟକ୍ରମକୁ ଉତ୍ତୀର୍ଣ୍ଣ ହେବେ। କିନ୍ତୁ ପରିତାପର କଥା, ସେମାନେ ଗୋଟିଏ ପ୍ରତିଶତ ବି ପ୍ରାକ୍ଟିକାଲ୍‌ ଜ୍ଞାନ ହାସଲ କରିପାରିନାହାନ୍ତି। ମୂର୍ତ୍ତି କଳା ଓ ମଡେଲ ତିଆରି କରିନାହାନ୍ତି। ଏହି ସମୟ ବେଳକୁ ସେମାନେ ପଥର, ଫାଇବର୍‌ ଓ ମାଟିରେ ସୁନ୍ଦର ଚିତ୍ରକଳା ଆଙ୍କିପାରିବା କଥା। ହେଲେ ଏବେ ସେମାନେ କେବଳ ମାଟିରେ ମୂର୍ତ୍ତି ଆକାର ଦେବା ଶିଖୁଛନ୍ତି। ଅନ୍ୟ କଳା କ୍ଷେତ୍ରରେ ସେମାନଙ୍କ ହାତ ଲାଗିନାହିଁ। ସେହିପରି ମୁଦ୍ରଣ କଳାରେ ସେମାନେ ଉଡ୍‌ବ୍ଲକ୍‌ରେ ଦକ୍ଷତା ପ୍ରଦର୍ଶନ କରିବା କଥା, ହେଲେ ଏବେ ସେମାନଙ୍କର ପ୍ରଥମ ପର୍ଯ୍ୟାୟ ଶିକ୍ଷା ସରି ନାହିଁ।

ଭାସ୍କର୍ଯ୍ୟ ବିଭାଗ ଛାତ୍ର କିଶୋର ରଣା‌ଙ୍କ କହିବା କଥା, ଏହି ଦୁଇ ବର୍ଷରେ ସେମାନେ ଆଦୌ ବାହାରକୁ ଯାଇ ଶିକ୍ଷା ଗ୍ରହଣ କରିପାରିନାହାନ୍ତି। ବିଶେଷଜ୍ଞମାନଙ୍କଠାରୁ ନୂଆ କୌଶଳ ଶିଖି ପାରିନାହାନ୍ତି। ତେଣୁ ଆଗାମୀ ଦୁଇ ମାସରେ କିଭଳି ପ୍ରାକ୍ଟିକାଲ୍‌ ଶିକ୍ଷା ଶେଷ କରି ସେମିଷ୍ଟର୍‌ ପରୀକ୍ଷା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଏଥିପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର