ମଣ୍ଡପକୁ ମା’ ଆସିବେ?

ପ୍ରଶାସନ ନିଷ୍ପତ୍ତିକୁ ଅପେକ୍ଷା, ଦଶହରା ପାଇଁ ଚିନ୍ତାରେ ପୂଜା କମିଟି

ଭୁବନେଶ୍ୱର: ପାର୍ବଣ ମୁଖର ଆସର ନେଇ ଆସିଛି ଭାଦ୍ରବ। ମାତ୍ର ସବୁ ଆଡ଼ମ୍ବର ଓ ଉତ୍ସାହକୁ ପାଣିଚିଆ କରିଦେଇଛି କରୋନା। ସୁଦୃଶ୍ୟ ତୋରଣର ପ୍ରତିଯୋଗିତା ହେବନାହିଁ କି ଭସାଣିରେ ପଟୁଆର ଜମିବ ନାହିଁ। ଏବେ ସବୁଠୁ ବଡ଼ ପ୍ରଶ୍ନ; ମା’ ଏଥର ମଣ୍ଡପକୁ ଆସିବେ ତ? ଗଣେଶ ପୂଜା ଭଳି ୭ଦିନ ସମୟ ଥାଇ ପ୍ରଶାସନ ନିୟମ ଲାଦିବ ନାହିଁ ତ? ଏ ପ୍ରଶ୍ନ ଏବେ ପ୍ରତିଟି ପୂଜା କମିଟି ସଦସ୍ୟଙ୍କର। ଯେନତେନ ଦୁର୍ଗାପୂଜା ହେଲେ ମଧ୍ୟ କାଳେ ଶ୍ରଦ୍ଧାଳୁ ଭିଡ଼ ଜମେଇବେ; ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି। ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନ କୌଣସି ନିର୍ଦେଶନାମା ଜାରି କରୁନାହିଁ। ରାଜଧାନୀରେ ୧୭୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହୁଏ। ମା’ ଦୁର୍ଗାଙ୍କ ବ୍ୟତୀତ କିଛି ପୂଜା ମଣ୍ଡପରେ ଶିବ ପାର୍ବତୀ ଓ ମହାବୀର ମଧ୍ୟ ପୂଜା ପାଆନ୍ତି। ୨ମାସ ଆଗରୁ ସାଜସଜ୍ଜା ଆରମ୍ଭ ହୋଇଯାଏ। କିଛି ସ୍ଥାନରେ ଦେବୀଙ୍କ ମୃଣ୍ମୟ ମୂର୍ତି ତିଆରି ମଧ୍ୟ ଆରମ୍ଭ ହୋଇଯାଏ। ମାତ୍ର ପ୍ରଶାସନର ନିର୍ଦେଶ କି ଗାଇଡଲାଇନ ଜାରି ହୋଇନଥିବାରୁ ଦ୍ଵନ୍ଦ୍ୱରେ ପଡ଼ିଛନ୍ତି ପୂଜା କମିଟି। ଏ ନେଇ ସହିଦନଗର ଦୁର୍ଗାପୂଜା କମିଟିର ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି, ଆଗରୁ ଭାବୁଥିଲୁ ସାଜସଜ୍ଜା ହେଉ କି ନହେଉ ମା’ଙ୍କ ପୂଜା ଅଟକିବ ନାହିଁ। କିନ୍ତୁ ଏବେ ଭୁବନେଶ୍ୱରରେ ଯେଉଁ ହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ପ୍ରଶାସନ ଅନୁମତି ଦେବ କି ନାହିଁ ଜାଣି ହେଉନି। ଯଦି ପ୍ରଶାସନ ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରନ୍ତା ତେବେ ଆମେ ସେଇ ଅନୁସାରେ ପ୍ରସ୍ତୁତ ହୁଅନ୍ତୁ। ସମ୍ପ୍ରତି ସ୍ଥିତି ଯାହା, ଆଡ଼ମ୍ବରର ପ୍ରଶ୍ନ ଉଠୁନାହିଁ। ତଥାପି ଦ୍ୱନ୍ଦ୍ୱ ଦୂର ହୋଇଯିବା ଦରକାର ବୋଲି ସେ କହିଛନ୍ତି।

ରାଜଧାନୀ ଶାନ୍ତି କମିଟିର ସଭାପତି ମଧୁମାଧବ ଜେନା ଓ ସମ୍ପାଦକ ନବକିଶୋର ବେହେରା କହିଛନ୍ତି, ସରକାର ଓ ପ୍ରଶାସନ ଯାହା ବି ନିଷ୍ପତ୍ତି ନେବେ ତାହା ସମୂହ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନେବେ। ତେଣୁ ପ୍ରଶାସନର ସମସ୍ତ ନିର୍ଦେଶନାମା ପୂଜା କମିଟିମାନେ ପାଳନ କରିବା ନିତାନ୍ତ ଆବଶ୍ୟକ। ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରଶାସନର ନିଷ୍ପତ୍ତିକୁ ଅନୁସରଣ କରିବାକୁ ରାଜଧାନୀ ଶାନ୍ତି କମିଟି ନିବେଦନ କରିଛି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ସରକାର ଏହି ୨-୩ଦିନ ମଧ୍ୟରେ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଜାରି କରିବେ। ତାହା କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ; ତାକୁ ଦୃଷ୍ଟିରେ ରଖି ପୂଜା ବେଳେ କ’ଣ ଗାଇଡ୍‌ଲାଇନ ରହିବ ସେ ସଂକ୍ରାନ୍ତରେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ।


Sambad English

ପୁରୁଣା ଭୁବନେଶ୍ବର: ପ୍ରସିଦ୍ଧ ପର୍ବ ଦଶହରା ଉପରେ ମାହାମାରୀ କରୋନାର ସମ୍ଭାବ୍ୟ ପ୍ରଭାବକୁ ନେଇ ପୁରୁଣା ଭୁବନେଶ୍ବର ଅଞ୍ଚଳର ସମସ୍ତ ପୂଜା କମିଟି ଚିନ୍ତାରେ ରହିଛି। ଜିଲ୍ଲା ଓ ବିଏମ୍‌ସି ପ୍ରଶାସନ ମଣ୍ଡପ ପୂଜା ପାଇଁ ଅନୁମତି ଦେବ କି ନା ସ୍ପଷ୍ଟ ହୋଇନଥିବାରୁ କମିଟିର କର୍ମକର୍ତ୍ତାମାନେ ଦ୍ବନ୍ଦ୍ବରେ ଅଛନ୍ତି। ସେହିଭଳି ପୁରୁଣା ଭୁବନେଶ୍ବରର ଏହି ପ୍ରାଚୀନ ପରମ୍ପରା ଚଳିତ ବର୍ଷ କିଭଳି ପାଳିତ ହେବ, ତାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ରାଜଧାନୀରେ ଦଶହରା କହିଲେ ପୁରୁଣା ଭୁବନେଶ୍ବରର ପ୍ରାଚୀନ ପ୍ରଥାକୁ ବୁଝାପଡ଼େ। ଏବେ ରାଜଧାନୀର ବହୁ ମଣ୍ଡପରେ ମହା ଧୂମ୍‌ଧାମରେ ଏହି ପୂଜା ଅନୁଷ୍ଠିତ ହେଉଥିଲେ ହେଁ ପୁରୁଣା ଭୁବନେଶ୍ବର କୌଣସି ବିଭାଗରେ ପଛରେ ପଡ଼ିନାହିଁ। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ କ’ଣ ହେବ, ତାହା ଅସ୍ପଷ୍ଟ ରହିଛି। ଭୁବନେଶ୍ବରରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବାରୁ ମା’ଙ୍କ ପୂଜା ପାଇଁ ପ୍ରଶାସନ ଅନୁମତି ଦେବ କି ନା, ଜଣାପଡ଼ୁନାହିଁ। ତେଣୁ ମା’ଙ୍କ ମୃଣ୍ମୟୀ ମୂର୍ତି(ବଡ଼ ପ୍ରତିମା) ଗଢ଼ା ଆରମ୍ଭ ହୋଇ ପାରୁନାହିଁ। ଆଶା ଆଶଙ୍କାରେ ଥିବାରୁ ବିଭିନ୍ନ ପୂଜା କମିଟି ଓ କାରଗରମାନେ କୌଣସି ସିନ୍ଧାନ୍ତ କରିପାରୁନାହାନ୍ତି। ତେବେ ଦୀର୍ଘ ବର୍ଷର ଏହି ପରମ୍ପରାକୁ କଟକଣାରେ ରହି ପାଳନ କରିବାକୁ ବହୁ ପୂଜା କମିଟି ମନ ବଳାଇଛନ୍ତି। ଜିଲ୍ଲାପାଳ, ଭୁବନେଶ୍ବର କମିସନରେଟ୍‌ ପୁଲିସ ଓ ଭୁବନେଶ୍ବର ମହାନଗର ନିଗମ ପୂଜା ପାଇଁ ଅନୁମତି ଦେଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି। ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ବଡ଼ୁ ନିଯୋଗ ସମ୍ପାଦକ କମଳା ବଡ଼ୁ, ଜମେଶ୍ବର ପାଟଣାସାହି ପୂଜା କମିଟି ସଂଯୋଜକ ପ୍ରଫୁଲ୍ଲ କୁମାର ସାହୁ, ବଣିଆ ସାହି ପୂଜା କମିଟି କର୍ମକର୍ତ୍ତାଙ୍କ କହିବା କଥା ପୁରୁଣା ଭୁବନେଶ୍ବରରେ ଦଶହରା ପୂଜା ବହୁ ପୁରାତନ। ଅନୁମତି ମିଳିଲେ କୋଭିଡ୍‌ ନିୟମ ମାନି ପୂଜା କରାଯିବ। ତେଣୁ ସବୁ ପୂଜା କମିଟିକୁ ଡାକି ଆଲୋଚନା ହେବା ଉଚିତ୍‌। ତେବେ ପ୍ରଶାସନ ଯାହା ନିଷ୍ପତ୍ତି ନେବ, ତାକୁ ସ୍ବାଗତ କରାଯିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର