ତାଲାବନ୍ଦରେ ବି ମଦ ବେପାର ଜୋର୍‌, କଳାବଜାରରେ ଯାହାକୁ ଯେତେ

ଭୁବନେଶ୍ବର: ସରକାରଙ୍କ ତାଲା ବନ୍ଦ ମଦ କାରବାରକୁ ବନ୍ଦ କରିବାକୁ ସକ୍ଷମ ହୋଇନାହିଁ। ଉପରକୁ ଖୋଲାରେ ବେପାର ବନ୍ଦ ହୋଇଛି ସିନା, କିନ୍ତୁ ପଛ ଦରଜା ଦେଇ ଚାଲିଛି କଳ‌ାବଜାର କାରବାର। କଳାବଜାରରେ ଯଥେଷ୍ଟ ପରିମଣାର ମଦ ମିଳୁଛି। ଚଢ଼ା ଦର ହେଲେ ବି ଲୋକେ କିଣୁଛନ୍ତି। ଯେଉଁ ମଦ ବୋତଲର ଦାମ୍ ୧୫୦ ଟଙ୍କା, ତାହା ଏବେ କଳାବଜାରରେ ୨୦୦ ଟଙ୍କାରେ ମିଳୁଛି। ଯେଉଁ ବୋତଲ ୬୦୦ ଟଙ୍କାରେ ବିକ୍ରି ହେଉଥିଲା, ତାହା କଳାବଜାରରେ ୭୫୦/୮୦୦ ଟଙ୍କା। ତେଣୁ ବୋତଲ୍‌ ସାଇଜ୍‌ ଓ ମଦ ବ୍ରାଣ୍ଡକୁ ନେଇ କଳାବଜାର ଦର ଧାର୍ଯ୍ୟ ହୋଇଛି। ମୂଳ ପୁଞ୍ଜି ବିନିଯୋଗ ଓ କଳା କାରବାରର ରିସ୍କ୍‌କୁ ନେଇ ଦର ନିର୍ଦ୍ଧାରଣ ହୋଇଛି। ତେବେ ଚାହିଦା ଓ ପୁଞ୍ଜି ବିନିଯୋଗ କମ୍ କାରଣରୁ ନିମ୍ନମାନର ମଦ ବଜାରକୁ ଅଧିକ ପରିମାଣରେ ଆସିଛି। ଲାଇସେନ୍‌ସ ଦୋକାନମାନଙ୍କରୁ ଏହି ସବୁ ମଦ କଳାବଜାରକୁ ପଶି ଆସିଛି ବୋଲି କୁହାଯାଉଛି। ସରକାର ତାଲା ବନ୍ଦ ନିଷ୍ପତ୍ତି ନେବା ପୂର୍ବରୁ ଲାଇସେନ୍‌ସଧାରୀମାନେ ଗୋଦାମରୁ ବିପୁଳ ମାଲ୍ ଉଠାଇଥିଲେ। ପ୍ରାକ୍‌ ସୂଚନା ପାଇ ବେପାରୀମାନେ ଅଧିକ ମାଲ୍ ଉଠାଇଥିଲେ। ଏବେ ତାଲାବନ୍ଦ ହେଲେ ବି ସେମାନେ ଏହି ମାଲ୍‌କୁ ପଛ କବାଟ ବାଟ ଦେଇ କଳାବଜାରକୁ ଛାଡ଼ି ଦେଉଛନ୍ତି। ପୂର୍ବରୁ କଳାବଜାର କରୁଥିବା କିଛି ‌କୁଚିଆ ବେପାରୀ ତ ଥିଲେ, ଏବେ କିଛି କାଉଣ୍ଟର୍‌ ମାଲିକ ମଧ୍ୟ ନୂଆ କୁଚିଆ ମାଧ୍ୟମରେ ଏଭଳି କଳା କାରବାର ଚଳାଇଛନ୍ତି। ହୋଟେଲ, ଢାବା ଆଦି ସ୍ଥାନ ବନ୍ଦ ଥିଲେ ମଧ୍ୟ କୁଚିଆମାନେ ଧାର୍ଯ୍ୟ ସ୍ଥାନରେ ମା‌ଲ୍‌ ରଖି ଗ୍ରାହକମାନଙ୍କୁ ଯୋଗାଇ ଦେଉଛନ୍ତି। ତେଣୁ ଏବେ ଖଣ୍ଡଗିରି, ଭରତପୁର, ଡୁମୁଡୁମା ରଘୁନାଥନଗର, ଗଣ୍ଡମୁଣ୍ଡା, ବରମୁଣ୍ଡା, ତମାଣ୍ଡୋ, ଯାଁଳା ଆଦି ବିଭିନ୍ନ ସ୍ଥାନରେ ଚୋରା ମିନି କାଉଣ୍ଟର୍‌ ଦେଖିବାକୁ ମିଳୁଛି।

ଜଣେ ଅବକାରୀ ବିଭାଗ ଅଧିକାରୀଙ୍କ କହିବା କଥା, ଏହି କଳାବଜାର ମାତ୍ର ଗୋଟେ ଦୁଇଟା ଦିନରେ ସରିଯିବ। ତାଲା ବନ୍ଦ ଯୋଗୁଁ ଲାଇସେନ୍‌ସଧାରୀମାନେ ମଦ ନିଗମ ଗୋଦାମରୁ ମାଲ୍‌ ଉଠାଇବା ସମ୍ଭବ ହେବ ନାହିଁ। ଫଳରେ ଗଚ୍ଛିତ ମାଲ୍ ସରିଗଲେ, ସ୍ବତଃ କଳାବଜାର ଠପ୍‌ ହୋଇଯିବ। ତେବେ ଏହା ପରେ ଯେଉଁ କଳାବଜାର ମାଲ୍‌ ମିଳିବ, ତାହା ନକଲି ଓ ବିଷାକ୍ତ ମଦ। ତେଣୁ ଉକ୍ତ ନକଲି ଓ ବିଷାକ୍ତ ମଦ କାରବାରକୁ ରୋକିବା ଉପରେ ବିଭାଗୀୟ ଅଧିକାରୀମାନେ ଅଧିକ ଗୁରୁତ୍ବ ଦେବେ।

ସମ୍ବନ୍ଧିତ ଖବର