ମଦ ବିରୋଧରେ ‘ମଦମୁକ୍ତି ଅଭିଯାତ୍ରା’ ଶୁଭାରମ୍ଭ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ଓଡିଶାରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି ନେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ଏବଂ ମଦମୁକ୍ତି ଯୁବ ବାହିନୀ ପକ୍ଷରୁ ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କ ନିକଟରୁ ‘ମଦମୁକ୍ତି ଅଭିଯାତ୍ରା’ର ଶୁଭାରମ୍ଭ କରାଯାଇଛି । ଉକ୍ତ ଅଭିଯାତ୍ରାର ଶୁଭାରମ୍ଭ ଅବସରରେ ପୂର୍ବତନ ଭାରତ ରାଷ୍ଟ୍ରଦୂତ ଅବସର ବେଉରିଆ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପ୍ରଫେସର ରାଧା ମୋହନ, ଜଗଦାନନ୍ଦ, ପୂର୍ବତନ ସୂଚନା କମିଶନର, ପ୍ରହଲ୍ଲାଦ ସିଂ, ବିଶିଷ୍ଟ ଗାନ୍ଧିବାଦୀ ନେତା, ସୁମିତ୍ରା ଜେନା, ଓଡ଼ିଶା ପ୍ରଦେଶ କଂଗ୍ରେସ୍‌ ମହିଳା ମୋର୍ଚ୍ଚା ସଦସ୍ୟ, ପୃଥ୍ଵୀରାଜ୍‌ ହରିଚନ୍ଦନ, ବିଜେପି ଓଡ଼ିଶା ସଦସ୍ୟ ପ୍ରମୂଖ ଅତିଥି ରୂପେ ଯୋଗଦେଇଛନ୍ତି ।

ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଯାତ୍ରା ମାଧ୍ୟମରେ ମଦମୁକ୍ତି କାର୍ଯ୍ୟକର୍ତ୍ତାମାନେ ୧୧ଟି ଜିଲ୍ଲାର ବିଭିନ୍ନ ଗାଁ ଏବଂ ବ୍ଲକ ଆଦି ଭ୍ରମଣ କରି ର୍ନିବାଚନ ପୂର୍ବରୁ ‘ମଦ ଛାଡ ନଚେତ ଗାଦି ଛାଡ’ ନିର୍ବାଚନୀ ରଣଧ୍ୱନୀ ଦେବେ । ଏହି ଯାତ୍ରା ପୁରୀ, ଡ଼େଲାଙ୍ଗ, କଣାସ, ପୁରୀ ଟାଉନ୍‌, ବାଲି ଘାଇ ଆଦି ସ୍ଥାନକୁ ଭ୍ରମଣକରି ଏହାର ‘ରୋଡ଼ ସୋ’ କରିଛି । ଏହି ପ୍ରଥମ ଦଫା ଯାତ୍ରାଟି ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ ହୋଇ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭ, କେନ୍ଦୁଝର, ଢେଙ୍କାନାଳ, କଟକ ଏବଂ ଖୋର୍ଦ୍ଦା ଜିଲ୍ଲା ପରିକ୍ରମା କରିବ ।

ଏ ସଂପର୍କରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ କହିଛନ୍ତି ‘ମଦ ଦ୍ୱାରା ରାଜ୍ୟର ହଜାର ହଜାର ପରିବାର ନଷ୍ଟ ହୋଇଯାଉଛି । ଏହାର ବ୍ୟାପକ ପ୍ରସାର ଯୋଗୁଁ କୃଷକ ଓ ଶ୍ରମିକମାନେ ଯାହା ରୋଜଗାର କରୁଛନ୍ତିି ତାହାର ବେଶ କିଛି ଅଂଶ ମଦରେ ଖର୍ଚ୍ଚ ହେଉଛି । ସରକାରଙ୍କ ଦାବି ଯେ ମଦରୁ ରାଜସ୍ୱ ଆସୁଛି ସମ୍ପୂର୍ଣ୍ଣ ମିଥ୍ୟା ଯେବେକି ଅନେକ ଅଧ୍ୟୟନରୁ ଜଣାପଡିଛି ମଦ ଦ୍ୱାରା ରାଜ୍ୟ ଅନେକ ଗୁଣରେ କ୍ଷତି ସହୁଛି । ସେ କହିଛନ୍ତି, ‘ମଦର ଭୟାଭୟତା ଏପରି ଯେ, ରାଜ୍ୟର ଲକ୍ଷ ଲକ୍ଷ ଲୋକ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ମଦ ସମସ୍ୟା ଦ୍ୱାରା ଆକ୍ରାନ୍ତ । ତେଣୁ ଏହି ମଦମୁକ୍ତି ଅଭିଯାତ୍ରା ମାଧ୍ୟମରେ ଆମେ ଗାଁ ଗାଁକୁ ଯାଇ ମଦ ବିରୋଧରେ ଲୋକଙ୍କୁ ଏକଜୁଟ କରାଇବୁ ।

ସମ୍ବନ୍ଧିତ ଖବର