ଅନ୍‌ଲାଇନ୍‌ରେ ମଦ: ଭୁବନେଶ୍ବରରେ ଆଜିଠୁ ମିଳିବ

ଦୋକାନୀଙ୍କ ମୋବାଇଲ ନମ୍ବର ଜାରି କଲା ଓଏସ୍‌ବିସି, ସୁରକ୍ଷା ଲୋଡ଼ିଲେ ବ୍ୟବସାୟୀ

ଭୁବନେଶ୍ବର: ଭୁବନେଶ୍ୱରରେ ଆସନ୍ତାକାଲି (‌ସୋମବାର)ଠାରୁ ଅନ୍‌ଲାଇନ୍‌ରେ ମଦ ମିଳିବ। ହୋମ୍‌ ଡେଲିଭରି ଜରିଆରେ ମଦ ବିକ୍ରି କରିବା ପାଇଁ ସରକାର ଗତକାଲି ବିଜ୍ଞପ୍ତି ପ୍ରକାଶ କରିଥିଲେ ହେଁ ଭୁବନେଶ୍ବରର ମଦ ବ୍ୟବସାୟୀମାନେ ଏଥିପାଇଁ ଅମଙ୍ଗ ହୋଇଥିଲେ। ଅନ୍‌ଲାଇନ୍‌ରେ ମଦ ବିକିବାରେ ଅନେକ ସମସ୍ୟା ଥିବା ସେମାନେ ଯୁକ୍ତି ବାଢ଼ିଥିଲେ। ତେଣୁ ଆଜି ରାଜଧାନୀରେ ମଦ ବିକ୍ରି ହୋଇନଥିଲା। ତେବେ ଅବକାରୀ ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିବାରୁ ଆସନ୍ତାକାଲିଠାରୁ ରାଜଧାନୀରେ ଅନ୍‌ଲାଇନ୍‌ରେ ମଦ ମିଳିବ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ସ୍ବିଗି ଓ ଜମାଟୋକୁ ନେଇ ନୂଆ ଅଡ଼ୁଆ ସୃଷ୍ଟି ହେବାରୁ ବେପାରୀମା‌ନେ ଏହି ଦୁଇ ହୋମ୍‌ ଡେଲିଭରି ସଂସ୍ଥାକୁ ପ୍ରତ୍ୟାଖାନ କରିଛନ୍ତି। ଦୋକାନୀମାନେ ନିଜ ଡେଲିଭରି ବଏ ଜରିଆରେ ଗ୍ରାହକଙ୍କୁ ମଦ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ କହିବା କଥା ହେଲା, ଏହି ଅନ୍‌ଲାଇନ୍‌ ହୋମ୍‌ ଡେଲିଭରି ସଂସ୍ଥାଦ୍ବୟ ଦୋକାନରୁ ମଦ ନେଇ ଗ୍ରାହକଙ୍କୁ ଦେବାର ୭ଦିନ ପରେ ଦୋକାନୀଙ୍କୁ ଟଙ୍କା ଦେବେ। ତେଣୁ ଏପରି ବ୍ୟବସ୍ଥାକୁ ଅଧିକାଂଶ ଦୋକାନୀ ଦୃଢ଼ ବିରୋଧ କରିଛନ୍ତି।

ପ୍ରତିଶ୍ରୁତି ପରେ ରାଜି ହେଲା ସଂଘ
ମଦ ଡେଲିଭରି ପାଇଁ ଦୋକାନ ଖୋଲିବାକୁ ପଡ଼ିବ। ତେଣୁ ଦୋକାନ ନିକଟ‌ରେ ଅସାମାଜିକ ଓ ମଦ୍ୟପଙ୍କ ଭିଡ଼ ଜମିବ। କିନ୍ତୁ କାଉଣ୍ଟର୍‌ରେ ମଦ ବିକିବାର ବ୍ୟବସ୍ଥା ନଥିବାରୁ ସେମାନେ ବିଶୃଙ୍ଖଳା ସୃଷ୍ଟି କରିବେ। ବ୍ୟବସାୟୀମାନେ ଆକ୍ରୋଶର ଶିକାର ହେବେ। ଏହି ସମସ୍ୟା ନେଇ ଆଜି ଇନ୍‌ଫୋସିଟି ଅଞ୍ଚଳରେ ଥିବା ହୋଟେଲ ‘୭ ସାତ୍‌’‌ରେ ମଦ ବ୍ୟବସାୟୀ ସଂଘ ପକ୍ଷରୁ ଦୀର୍ଘ ୪ ଘଣ୍ଟା ଧରି ବୈଠକ ହୋଇଥିଲା। ପରେ ସଂଘ ଅବକାରୀ ଅଧୀକ୍ଷକଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇଥିଲା। ଅଧୀକ୍ଷକ ଅବକାରୀ ସଚିବ ଓ ପୁଲିସ କମିସନରଙ୍କ ସହ ଆଲୋଚନା କରିଥିଲେ। ଦୋକାନ ନିକଟରେ ଯଥାସମ୍ଭବ ପୁଲିସ ସୁରକ୍ଷା ଦେବା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସଂଘ ଅନ୍‌ଲାଇନ୍‌ରେ ମଦ ବିକିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି। ଓଏସ୍‌ବିସି (ଓଡ଼ିଶା ରାଜ୍ୟ ପାନୀୟ ନିଗମ) ଲିମିଟେଡ୍‌ ୱେବ୍‌ସାଇଟ୍‌ରେ ରାଜ୍ୟର ୧୦୭୮ ମଦ ବେପାରୀଙ୍କର ନାମ, ମୋବାଇଲ ନମ୍ବର ଓ ଇମେଲ୍‌ ଠିକଣା ପ୍ରକାଶ ପାଇଛି। ଏହି ନମ୍ବରକୁ ବ୍ୟବହାର କରି ଲୋକମାନେ ମଦ ଅର୍ଡର୍‌ କରିପାରିବେ ବୋଲି ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଅଧା ଖୋଲିବ, ଅଧା ଖୋଲିବନି
ସରକାରଙ୍କ କଡ଼ା‌ ନିର୍ଦ୍ଦେଶ ପରେ ସଂଘ ବ୍ୟବସାୟ ଆରମ୍ଭ କରିବାକୁ ରାଜି ହୋଇଛି। ହେଲେ ଅଧା ଦୋକାନରେ ମଦ ନାହିଁ। ଏଣୁ ସେମାନେ ଦୋକାନ ଖୋଲି କ’ଣ ବିକିବେ, ଚିନ୍ତାରେ ପଡ଼ିଛନ୍ତି। ଆସନ୍ତାକାଲି ଯେଉଁମାନଙ୍କ ଦୋକାନରେ ମଦ ଅଛି, ସେମାନେ ଅନ୍‌ଲାଇନ୍‌ରେ ବେପାର କରିବେ। ଆଉ ଅଧା ‌ବେପାର କରିବେ ନାହିଁ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଓଏସ୍‌ବିସି ୱେବ୍‌ସାଇଟ୍‌ରେ ବ୍ୟବସାୟୀଙ୍କ ତାଲିକା ପ୍ରକାଶ ପାଇଥିବାରୁ ଆଜି ଜଣେ ଜଣେ ବ୍ୟବସାୟୀଙ୍କୁ ଶହ ଶହ ଫୋନ୍‌ କଲ୍‌ ଆସିଛି। ଏଥିରୁ ମଦର ଚାହିଦାକୁ ଅନୁମାନ ଲଗାଇ ବ୍ୟବସାୟୀଙ୍କ ମୁଣ୍ଡ ଘୂରାଇଛି। କେତେକ ବ୍ୟବସାୟୀ ମୋବାଇଲ ଅଫ୍‌ କରିଦେଇଥିବା ବେଳେ କେତେକ ଫୋନ୍‌ ଉଠାଇନାହାନ୍ତି। ଆସନ୍ତାକାଲି ପ୍ରକୃତ ପରୀକ୍ଷାର ବେଳ ବୋଲି କ‌େତେକ ବ୍ୟବସାୟୀ ମତ ଦେଇଛନ୍ତି।

ବୁଲୁଛି ନକଲି ତାଲିକା
ମଦ ଦରକୁ ନେଇ ବିଭିନ୍ନ ପ୍ରକାରର ନକଲି ତାଲିକା ସୋସିଆଲ ମିଡିଆରେ ଘୂରି ବୁଲୁଛି। ବ୍ରାଣ୍ଡ୍‌ ନାମ ସହ ଦର ଲେଖା ହୋଇଛି। ଏ ସବୁ ନକଲି ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ଆଚାର୍ଯ୍ୟ। ମଦର ଅସଲି ଦର ତାଲିକା ଓଏସ୍‌ବିସି ୱେବ୍‌ସାଇଟ୍‌ରେ ରହିଛି। ଏଥିରେ ପାଖାପାଖି ୩୭୦ ପ୍ରକାର ବ୍ରାଣ୍ଡ୍‌ ମଦର କୋଭିଡ୍‌ ଟିକସ ସହ ଦର ଉଲ୍ଲେଖ ରହିଛି। ଗ୍ରାହକଙ୍କୁ କେବଳ ଡେଲିଭରି ଚାର୍ଜ ଯୋଗ କରିବାକୁ ପଡ଼ିବ। ଏଣୁ ନକଲି ତାଲିକାକୁ ବିଚାରକୁ ନ ନେବାକୁ ସେ ସ୍ପଷ୍ଟ କରିଛନ୍ତି।

ବିକ୍ରି ଦେଖାଇବାକୁ ଖାତା କାମ!
ଗଚ୍ଛିତ ଷ୍ଟକ୍‌କୁ ନେଇ ବାସ୍ତବରେ ସମସ୍ୟା ରହିଛି। ଯେତିକି ମଦ ଷ୍ଟକ୍‌ ଅଛି ସେହି ସବୁ ଷ୍ଟକ୍‌ ଉପରେ ସରକାର ୫୦ ପ୍ରତିଶତ ଅତିରିକ୍ତ କୋଭିଡ୍‌ କର ନେବେ ବୋଲି ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଦୋକାନ ବନ୍ଦ ଥିଲେ ମଧ୍ୟ ଗଳା ବାଟ ଦେଇ ଅର୍ଦ୍ଧାଧିକ ଦୋକାନରୁ ମଦ ବିକ୍ରି ହୋଇଯାଇଛି। ସରକାରୀଙ୍କ ଖାତାରେ ମଦ ଅଛି ବୋଲି ଦର୍ଶାଉଛି। ଯେଉଁ ମଦ ଅଛି ତାହା ଉପରେ ୫୦ ପ୍ରତିଶତ ଟିକସ ନେବାକୁ ସରକାର ଘୋଷଣା କରିବା ପରେ ଦୋକାନୀଙ୍କ ଅକଲ ଗୁଡ଼ୁମ୍‌ ହୋଇଛି। ୫୦ ପ୍ରତିଶତ ଟିକସ ବାବଦକୁ ଅର୍ଥ କେଉଁଠୁ ଆଣିବେ? ସେଥିପାଇଁ ବେଆଇନ ଭାବରେ ବିକ୍ରି ହୋଇଥିବା ମଦକୁ ଆଇନ ସମ୍ମତ କରିବା ପାଇଁ ଅବକାରୀ ଅଧିକାରୀଙ୍କର ସହଯୋଗରେ ରାତି ଅଧିଆ ଖାତା କାମ ଚାଲିଛି ବୋଲି ଅଭିଯୋଗ ହୋଇଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ।

ସମସ୍ୟାକୁ ଆଳ କରୁଛନ୍ତି ବେପାରୀ
ମଦ ଦୋକାନ ଖୋଲି ଅନ୍‌ଲାଇନ୍‌ ବିକ୍ରି ଆରମ୍ଭ କଲେ ମଦ୍ୟପ ଅରାଜକତା ସୃଷ୍ଟି କରିବେ। ଡେଲିଭରି ବଏକୁ ଆକ୍ରମଣ କରି ମଦ ନେଇଯିବା ସମ୍ଭାବନା ରହିଛି। ଦୋକାନ ଖୋଲା ହୋଇ ବିକ୍ରି ହେଲେ ଯେତିକି ମଦ ବିକ୍ରି ହେବ ଏଭଳି ଅନ୍‌ଲାଇନ୍‌ରେ ସେହି ମାତ୍ରାରେ ବିକ୍ରି ହେବ ନାହିଁ। ହ୍ବାଟ୍‌ସ୍‌ଆପ୍‌, ଅନ୍‌ଲାଇନ୍‌ ପେମେଣ୍ଟ ବାବଦରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକ ଅବଗତ ନାହାନ୍ତି। ଏଭଳି ଗ୍ରାହକ ୭୦ ପ୍ରତିଶତ ଅଛନ୍ତି ଯେଉଁମାନେ ଅନ୍‌ଲାଇନ୍‌ରେ ମଦ କିଣିବାରୁ ବଞ୍ଚିତ ହେ‌ବେ। ଏଣୁ ସରକାରଙ୍କ ଧାର୍ଯ୍ୟ ଏମ୍‌ଜିକ୍ୟୁ(ମିନିମମ୍‌ ଗ୍ୟାରେଣ୍ଟେଡ୍‌ କୋଟା) ପୂର୍ଣ୍ଣ ହେବ ନାହିଁ। ନିୟମ ମୁତାବକ ଧାର୍ଯ୍ୟ ଏମ୍‌ଜିକ୍ୟୁରୁ ଯାହା ବଳିଯିବ ସରକାର ସେହି ମଦ ଉପରେ ଅବକାରୀ ଡ୍ୟୁଟି କଷିବେ। ସେହିଭଳି ଗୋଟିଏ ଗ୍ରାହକ ପାଇଁ ଏବେ ତିନୋଟି ବିଲ୍‌ ପ୍ରିଣ୍ଟ ହେବ। ଦୁଇଜଣ କମ୍ପ୍ୟୁଟର ଚଳାଇବା ପାଇଁ କାମ କରିବେ। ଯାହା ବ୍ୟବସାୟୀକୁ ଖର୍ଚ୍ଚାନ୍ତ କରିବ। ଏ ସବୁ ସମସ୍ୟା ବାବଦରେ ସଂଘ ସରକାରଙ୍କୁ ଅବଗତ କରାଇବା ସହ ତୁରନ୍ତ ସମାଧାନ ଦାବି କରିଥିବା ସୂଚନା ଦେଇଛନ୍ତି ସଂଘର ରମାକାନ୍ତ ପ୍ରଧାନ। ପୂର୍ବରୁ ଏମ୍‌ଆରପି(ସର୍ବାଧିକ ଖାଉଟି ମୂଲ୍ୟ) ଠାରୁ ଅଧିକ ଦରରେ ଦୋକାନୀ ମଦ ବିକ୍ରି କରୁଥିଲେ। ଏବେ ଅନ୍‌ଲାଇନ୍‌ ହୋଇଯିବା ପରେ ଏହା ସମ୍ଭବ ହେବ ନାହିଁ। ପୂର୍ବରୁ ସରକାରଙ୍କ ପାଖରେ ହିସାବ ରହୁନଥିଲା, ଦୋକାନୀ ଯାହା ହିସାବ ଦେଖାଉଥିଲା ତାହା ସରକାର ଦେଖୁଥିଲେ। ଏବେ ଅନ୍‌ଲାଇନ୍‌ ହେବାରୁ ସବୁ ସ୍ପଷ୍ଟ ହୋଇଯିବ। ଦୋକାନୀ ଠକି ପାରିବ ନାହିଁ। ଏଣୁ ସମସ୍ୟାକୁ ଆଳ କରଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର