ଭୁବନେଶ୍ୱର: କ୍ୟାପିଟାଲ୍‌ ଥାନା। କମିସନରେଟ୍‌ ପୁଲିସର ଅନ୍ୟତମ ପ୍ରମୁଖ ଥାନା ଭାବେ ପରିଗଣିତ। ଥାନାରେ ତିନି ତିନି ଜଣ ଇନ୍ସପେକ୍ଟର। ୫ ଜଣ ଯୁବ ଏସ୍‌ଆଇ, ୧୫୦ରୁ ଅଧିକ କନ୍‌ଷ୍ଟେବଲ୍‌। ହେଲେ ଥାନା ପଛପଟେ ଚାଲିଛି ବେଧଡ଼କ ମଦ ବେପାର। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଛି। ଗ୍ରାହକମାନେ ବେଶ ଆରାମରେ ଯାଇ ମଦ କିଣି ଫେରୁଛନ୍ତି। ଖାଲି ମଦ ଦୋକାନ କାହିଁକି ଚାଖଣା, ପାଣି ବୋତଲ ଓ ଗ୍ଲାସ୍‌ ମଧ୍ୟ ଉପଲବ୍ଧ ହେଉଛି। ୟୁନିଟ-୧ ହାଟରେ ଥିବା ଏକ ସ୍ୱତନ୍ତ୍ର ଦୋକାନରେ ଏଭଳି ଚୋରା ମଦ କାରବାର ହେଉଛି। ଗତ କିଛି ଦିନ ତଳେ କ୍ୟୁଏଟି ଲୋକଙ୍କଠାରୁ ଖବର ପାଇ ଉକ୍ତ ମଦ ଭଣ୍ଡାର ଉପରେ ଚଢ଼ଉ କରିଥିଲା। ସେତେବେଳେ ସେଠାରୁ ୫ ଶହ ବୋତଲ ବିଦେଶୀ ମଦ, ବସ୍ତାବସ୍ତା ବିୟର୍‌ ବୋତଲ ଓ ନଗଦ ଟଙ୍କ ଜବତ ହୋଇଥିଲା। ମଦ ଚୋରା କାରବାର ଅଭିଯୋଗରେ ୩ ଜଣ ଗିରଫ ମଧ୍ୟ ହୋଇଥିଲେ। ତେବେ ସେମାନେ ପୁଣି ଥରେ ଏବେ ଜାମିନରେ ଆସି ଏହି ବେପାର ଚଳାଇଛନ୍ତି। କ୍ୟାପିଟାଲ ଥାନା ପଛପଟ ୟୁନିଟ-୧ ମାର୍କେଟ ଭିତରେ ମଦ ମିଳିବା କିଛି ନୂଆ କଥା ନୁହେଁ। ଦୀର୍ଘ ବର୍ଷ ଧରି ଏହା ଭିତରେ ବେଆଇନ ଭାବେ ମଦ ବିକ୍ରି ହୋଇଥାଏ। କିନ୍ତୁ କ୍ୟାପିଟାଲ୍‌ ଥାନା ପୁଲିସ ଗତ ୫ ବର୍ଷ ମଧ୍ୟରେ କେବେ ବି ସେଠାରେ ଚଢ଼ଉ କରି ନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ହାଟ ଭିତରେ ହୋଟେଲଠାରୁ ଆରମ୍ଭ କରି ପାନ ଦୋକାନ ଖୋଲା ରହୁଛି। ଏହାରି ଆଳରେ ବିଦେଶୀ ମଦର ଭଣ୍ଡାର ଖୋଲିଛି।

Advertisment

ବଡ଼ ଆଶ୍ଚର୍ଯ୍ୟର ବିଷୟରେ ହେଉଛି ୟୁନିଟ-୧ ମାର୍କେଟ ଭଳି ଏକ ପ୍ରମୁଖ ମାର୍କେଟ ଭିତରେ ତିନି/ତିନି ଜଣ ମଦ ବେପାରୀ ଚୋରା ମଦ କାରବାର କରିବା ଏବଂ ପୁଲିସ ତାହା ଜାଣି ନ ପାରିବା ଘଟଣାକୁ ଅନେକ ବିଶ୍ୱାସ କରି ପାରୁନାହାନ୍ତି। କ୍ୟାପିଟାଲ ଥାନା ପୁଲିସର କେତେକ ବରିଷ୍ଠ ଅଫିସରଙ୍କ ଜାଣତରେ ଥାନା ପଛପଟେ ଏଭଳି କାରବାର ହେଉଥିବା ଜଣାପଡ଼ିଛି। ଏ ନେଇ ୟୁନିଟ-୧ ମାର୍କେଟ୍‌ର କେତେକ ବ୍ୟବସାୟୀ ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଗତ କିଛି ଦିନ ତଳେ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ ଥାନା ପଛପଟେ ଚୋରା ମଦ ବ୍ୟବସାୟ ହେଉଥିବା କଥା ଜାଣିବା ପରେ ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ କ୍ଷୁବ୍ଧ ହୋଇଛନ୍ତି। କେଉଁ ପୁଲିସ ଅଫିସରଙ୍କ ଜାଣତରେ ଏଭଳି ଚୋରା କାରବାର ହେଉଥିଲା ତାହା ତୁରନ୍ତ ଜଣାଇବାକୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। କେବଳ ୟୁନିଟ-୧ ହାଟ କାହିଁକି କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ଫାଳିକିଆ ବସ୍ତି, ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ମଧ୍ୟ ଦେଶୀ, ବିଦେଶୀ ମଦର ଭଣ୍ଡାର ଖୋଲିଛି।