ମଦ ପାଇଁ କୋଭିଡ୍ କଟକଣାକୁ ଫୁଃ: ମଦ ଦୋକାନ ‘ମଧୁମତୀ’ ସିଲ୍‌, ୨୦ ହଜାର ଜରିମାନା

ଭୁବନେଶ୍ବର : ମଦ ପାଇଁ ଦୋକାନ ଆଗରେ ହାଉଜାଉ ହେଉଥିଲେ ଗ୍ରାହକ। କୋଭିଡ୍‌ କଟକଣାକୁ ଫୁଃ କରି ଲମ୍ବାଧାଡ଼ି ଲଗାଇଥିଲେ। ଏଭଳି ଗହଳି ଦେଖି ଆଜି କ୍ୟାପିଟାଲ ଥାନା ପୁଲିସ ଅଶୋକନଗରରେ ଥିବା ଏକ ମଦ ଦୋକାନ(ମଧୁମତୀ)କୁ ସିଲ୍‌ କରିଛି। ଏହାଛଡ଼ା ମଦ ଦୋକାନର ମାଲିକ ବସନ୍ତ ବେହେରାଙ୍କୁ ୨୦ହଜାର ଟଙ୍କା ଜରିମାନା କରାଯାଇଛି। କୋଭିଡ୍‌ କଟକଣା ଉଲ୍ଲଂଘନକୁ ନେଇ କଠୋର ହୋଇଛି କମିସନରେଟ୍‌ ପୁଲିସ। ଗତକାଲି ଥାନାକୁ ଥାନା ବୁଲି ପୁଲିସ କମିସନର ତାଗିଦ୍‌ କରିବା ପରେ ଆଜି ବିଭିନ୍ନ ଜାଗାରେ ବ୍ୟାପକ ଚଢ଼ଉ ହୋଇଛି। କେବଳ ହୋମ୍‌ ଡେଲିଭରି ଦେବା ପାଇଁ ମଦ ଦୋକାନୀଙ୍କୁ ସ୍ବୀକୃତି ମିଳିଥିବା ବେଳେ ଆଜି ‘ମଧୁମତୀ’ ମଦ ଦୋକାନ ସମ୍ପୂର୍ଣ୍ଣ ଖୋଲାଯାଇ ବେପାର ଚାଲିଥିଲା। ପାଖାପାଖି ୩୫ ଜଣ ଲୋକ ଦୋକାନ ସମ୍ମୁଖରେ ଜମା ହୋଇଥିଲେ। କୋଭିଡ କଟକଣା ଉଲ୍ଲଂଘନ କରି ଖୁଲମଖୋଲା ବିକ୍ରି ଚାଲିଥିଲା। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଚଢ଼ଉ କରିଥିଲା।

ତେବେ ଏହି ଚଢ଼ଉ ପଛରେ ଆଉ କିଛି ରହସ୍ୟ ଥିବା ନେଇ ଚର୍ଚ୍ଚା ହେଉଛି। ମଦ ଦୋକାନ ସବୁଠି ଖୋଲା ରହୁଛି। ମଦ୍ୟପ ଦୋକାନରୁ ହିଁ ମଦ କିଣୁଛନ୍ତି। ହୋମ୍‌ ଡେଲିଭରି ସହିତ ଏଭଳି ବେପାର ସବୁଠି ଚାଲିଛି। ତେବେ ଏଥିପାଇଁ ହାତଗୁଞ୍ଜା ମଧ୍ୟ ଦେବାକୁ ପଡ଼ୁଛି। ହାତଗୁଞ୍ଜା ପରିମାଣ କମିଲେ ପୁଲିସ ଆକ୍ରୋଶମୂଳକ ଭାବରେ ଚଢ଼ଉ ହେଉଛି। ଆଜି ମଧ୍ୟ ସହର ସାରା ସମସ୍ତ ଦୋକାନ ଏଭଳି ବିକ୍ରି କରିଛନ୍ତି ବୋଲି ଅଭିଯୋଗ ହୋଇଛି।

ଜଣେ ବେପାରୀଙ୍କ କହିବା କଥା ହେଉଛି ମାସକୁ ନିର୍ଦ୍ଦିଷ୍ଟ ପରିମାଣ(ଏମ୍‌ଜିକ୍ୟୁ)ର ମଦ ବିକ୍ରି କରିବା ପାଇଁ ସରକାର ଧାର୍ଯ୍ୟ କରିଛନ୍ତି। ଏଥିରୁ କମିଲେ ସରକାରଙ୍କ ପାଖରେ ଅବକାରୀ ଶୁଳ୍କ ବାବଦକୁ ମୋଟା ଅଙ୍କର ଅର୍ଥ ପୈଠ କରିବାକୁ ବ୍ୟବସ୍ଥା ରହିଛି। ଲକ୍‌ଡାଉନ୍‌ରେ ଅନ୍‌ଲାଇନ୍‌ ବେପାର ହେଉନାହିଁ। ସରକାର ବି ଶୁଳ୍କ ଛାଡ଼ିବେନି। ଏଣୁ ଯେନତେନ ପ୍ରକାରେଣ ଏହି ଧାର୍ଯ୍ୟ ଏମ୍‌ଜିକ୍ୟୁ ବିକ୍ରି କରିବାକୁ ଆମେ ବାଧ୍ୟ ହେଉଛୁ।

ସମ୍ବନ୍ଧିତ ଖବର