ଭୁବନେଶ୍ୱର : ଜମି ଆସିଲାଣି ଶୀତ। ପାରଦସ୍ତର କ୍ରମଶଃ ଖସିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ୧୪ ତଳକୁ ଖସିଗଲାଣି। ତେଣୁ ଶୀତ ସହିତ ତାଳ ଦେଇ ରାଜଧାନୀରେ ଶୀତବସ୍ତ୍ର ବେପାର ମଧ୍ୟ ଜମିଲାଣି। ପାରମ୍ପରିକ ଶୀତ ବସ୍ତ୍ର ସାଙ୍ଗକୁ ଏବେ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳୁଛି ଷ୍ଟାଇଲିସ୍ ଗରମ ପୋଷାକର ସମ୍ଭାର। ମଲ୍ ଓ ବଡ଼ ବଡ଼ ଡ୍ରେସ୍ ଷ୍ଟୋର୍ଗୁଡ଼ିକ ମଧ୍ୟରେ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରକାର ଶୀତବସ୍ତ୍ରର ପ୍ରତିଯୋଗିତା।
ଗଳିକନ୍ଦିରେ କମ୍ବଳ ଓ ଶାଲ୍ ବଜାର
ଏବେ ରାଜଧାନୀର କିଛି ପ୍ରମୁଖ ଗଳିକନ୍ଦି ଓ ଛକରେ ବସିଛି କମ୍ବଳ ଓ ଶାଲ୍ ହାଟ। ୟୁନିଟ୍-୧ ମାର୍କେଟ୍, ମାର୍କେଟ୍ ବିଲ୍ଡିଂ, ସହିଦ ନଗର ଆଦି ଅଞ୍ଚଳରେ ଶୀତ ପୋଷାକର ସ୍ୱତନ୍ତ୍ର ବଜାର ବସିଛି। ସେହିଭଳି ବରମୁଣ୍ଡା, ନୟାପଲ୍ଲୀ ଛକ, ବାଣୀବିହାର ଓଭରବ୍ରିଜ୍, ଜନପଥ ଓ ରାଜମହଲ ଛକରେ ରଙ୍ଗବେରଙ୍ଗର କମ୍ବଳ ମେଳା ଲାଗିଛି। ଲୁଧିଆନା, ପାନିପତ୍ ଆଦି ଅଞ୍ଚଳରୁ ବିଭିନ୍ନ ପ୍ରକାରର କମ୍ବଳ ଆଣି ରାଜଧାନୀବାସୀଙ୍କୁ ଯୋଗାଉଛନ୍ତି ବ୍ୟବସାୟୀମାନେ। ଏଥିରେ ରହିଛି ଡଲ୍ପିନ୍, କୋରିଆ ଗୋଲ୍ଡ, ଆଲାସ୍କା ଡାଇମଣ୍ଡ ଓ ହରିୟାଣା କମ୍ବଳ। ପିଲାମାନଙ୍କ ପାଇଁ ରହିଛି ବେବି ବ୍ଲାଙ୍କେଟ୍। ଏଗୁଡ଼ିକ ଅତ୍ୟନ୍ତ କୋମଳ ଓ ହାଲୁକା ହୋଇଥିବା ବେଳେ ଶୀତରୁ ରକ୍ଷା ପାଇଁ ବେଶ୍ ଉପଯୋଗୀ। ସହିଦ ନଗର ଶୀତବସ୍ତ୍ର ବଜାରର ଅତିରୁଲ୍ ଇସ୍ଲାମି କୁହନ୍ତି, ଏଠାରେ ସବୁ ବର୍ଗର ଗ୍ରାହକ ନିଜ ପସନ୍ଦ ମୁତାବକ କମ୍ବଳ ପାଇପାରିବେ। ତାଙ୍କ ପାଖରେ ୪୦୦ରୁ ଆରମ୍ଭ କରି ୪ ହଜାର ଟଙ୍କା ପର୍ଯ୍ୟନ୍ତ କମ୍ବଳ ଉପଲବ୍ଧ। ସେହିପରି ଶାଲ୍ରେ ରହିଛି କାଶ୍ମୀର ଶାଲ୍, ରାଜସ୍ଥାନୀ, ଜୟପୁରୀ ଓ ଫ୍ୟାନ୍ସି ଶାଲ୍। ଫ୍ୟାନ୍ସି ଶାଲ୍ ବହୁତ୍ ହାଲୁକା, ରଙ୍ଗିନ୍ ଓ ଫ୍ୟାସନେବ୍ଲ। ବିବାହ ଋତୁ ଚାଲି ଥିବାରୁ ମହିଳାମାନେ ଫ୍ୟାସନ୍ ଭାବେ ଏହି ଶାଲ୍କୁ ଦେହରେ ପକାଇ ଯାଉଛନ୍ତି। ଏହାର ଦାମ୍ ୩୦୦ ଟଙ୍କାରୁ ଆରମ୍ଭ ହେଉଛି। ତେବେ କାଶ୍ମୀର ଶାଲ୍ର ଚାହିଦା ସବୁବେଳେ ଅଧିକ ରହୁଥିବା ଅତିରୁଲ୍ କହିଛନ୍ତି।
ସବୁ ବର୍ଗଙ୍କ ପାଇଁ ଫ୍ୟାସନେବ୍ଲ ସ୍ବେଟ୍ ସାର୍ଟ
ରଙ୍ଗବେରଙ୍ଗ ଉଲ୍, ଗଞ୍ଜି, କଟନ୍ ଓ ଫ୍ୟାସନ୍ର ସ୍ବେଟର୍, ଜ୍ୟାକେଟ୍, ସ୍ରଗ୍ ଆଦିରେ ଭରପୂର ରହିଛି ଶୀତ ବଜାର। ମହିଳାମାନଙ୍କ ପାଇଁ ରଙ୍ଗିନ୍ ଫ୍ଲୋରାଲ୍ ପ୍ରିଣ୍ଟ୍, ପ୍ରିଣ୍ଟେଡ୍, ଏମ୍ବ୍ରୋଡୋରି ସ୍ବେଟର୍ ଓ ଜ୍ୟାକେଟ୍ ମିଳୁଛି। ତେବେ ଅତ୍ୟାଧୁନିକ ମହିଳା, କର୍ମଜୀବୀ ମହିଳା ଓ ଯୁବତୀମାନେ କାଲ୍ର୍ ସ୍ବେଟର, ହାଇନେକ୍ ଜ୍ୟାକେଟ୍, ଚେନ୍ ଜ୍ୟାକେଟ୍, ପୁଲ୍ଓଭର୍, ଲଙ୍ଗ୍ କାର୍ଡିଗନ୍, ବେଲ୍ଟ ଜ୍ୟାକେଟ୍, ହାଫ୍ ଜ୍ୟାକେଟ୍କୁ ବେଶି ପସନ୍ଦ କରୁଛନ୍ତି। ଚଳିତ ବର୍ଷ ‘ଉଲେନ୍ ଲେଡିଜ୍ ପଞ୍ଚୋ’ ଓ ‘ଉଲେନ୍ ଲଙ୍ଗ୍ ବେଲ୍ଟ୍ କୋଟ୍’ର ଚାହିଦା ଅଧିକ ରହିଛି ବୋଲି ସହିଦନଗର ଦୁର୍ଗା ମଣ୍ଡପ ଶୀତବସ୍ତ୍ର ବଜାରରେ ଦୋକାନ ଖୋଲିଥିବା କିଷନ୍ ଅଗ୍ରୱାଲ କହିଛନ୍ତି। ପଞ୍ଚୋର ଦାମ୍ ୭୦୦ଟଙ୍କା ଥିବା ବେଳେ ଲଙ୍ଗ୍ ବ୍ଲେଜର୍ ଦାମ୍ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଉଭୟ ପୁରୁଷ ମହିଳାମାନେ ଫ୍ୟାସନ୍ ଓ ଫିଦର୍ ଉଲ୍ ଜ୍ୟାକେଟ୍ ଅଧିକ ପସନ୍ଦ କରୁଥିବା ବେଳେ ଛୋଟ ଛୁଆମାନଙ୍କ ମଧ୍ୟରେ ଫ୍ୟାସନ୍ ପଞ୍ଚୋ ଅଧିକ ଚାହିଦାରେ ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
ଚାହିଦାରେ ବିନି କ୍ୟାପ୍
ଶୀତଦିନିଆ ଷ୍ଟାଇଲିସ୍ ଲୁକ୍ ପାଇଁ ମହିଳା, ପୁରୁଷ ଓ ଛୋଟ ଛୁଆମାନେ ଟୋପି ପ୍ରତି ଆଗ୍ରହ ଦେଖାଇଥାନ୍ତି। ତେଣୁ ଏବେ ‘ବିନି କ୍ୟାପ୍’ ଉପରେ ସମସ୍ତଙ୍କ ନଜର। ଏହାର ଉପର ଭାଗରେ ବିଭିନ୍ନ ପ୍ରକାର କାର୍ଟୁନ୍, ଫୁଲ ବା ଭିନ୍ନ ଭିନ୍ନ ଡିଜାଇନ୍ର କଣ୍ଢେଇ, ଷ୍ଟୋନ୍ ଓ କୁନ୍ଦନ, ମାଳି ଖଚିତ କାମ ହୋଇଛି। ଏହା ବହୁତ କୋମଳ ହୋଇଥିବା ବେଳେ ମୁଣ୍ଡକୁ ଆରାମ୍ ଦେଉଛି। ସେହିଭଳି ରୁମାଲ୍ ଟୋପି ଓ ପିଲାଙ୍କ କାର୍ଟୁନ୍ ଟୋପିର ଚାହିଦା ମଧ୍ୟ ରହିଛି।