ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ ଛାମୁଣ୍ଡିଆ କାମ ଆରମ୍ଭ ହୋଇଛି। ମନ୍ଦିର ରାସ୍ତା ଓ ମନ୍ଦିର ପାଚେରି ରଙ୍ଗିନ ଆଲୋକମାଳାରେ ଝଲସିବ। ସେପଟେ ମହାପ୍ରଭୁଙ୍କ ଶ୍ବଶୁରାଳୟ କେଦାରଗୌରୀ ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ ପ୍ରସ୍ତୁତି ମଧ୍ୟ ସରିଲାଣି। ମାତ୍ର ଚଳିତବର୍ଷ ଠାକୁରଙ୍କ ଶୋଭାଯାତ୍ରାରେ ଡିଜେକୁ ବାରଣ କରାଯାଇଥିବା ବେଳେ ବାଣ ମଧ୍ୟ ଫୁଟିବ ନାହିଁ। ଆସନ୍ତା ୧୦ତାରିଖ ସୋମବାର ଶିବ ବିବାହ ଓ ଜୁନ୍ ୧୧ ତାରିଖ ମଙ୍ଗଳବାର ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ। ବିବାହ ପାଇଁ ମନ୍ଦିରରୁ ଠାକୁର ରାତି ୧୧ଟାରୁ ୧୨ଟା ମଧ୍ୟରେ ବରାନୁଗମନ କରିବେ। ରାତି ୧୨ଟାରୁ ୪ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ। ସେହିପରି ୧୧ତାରିଖ ରାତି ସାଢ଼େ ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ପାଇଁ କେଦାରଗୌରୀ ମନ୍ଦିରରୁ ନବଦମ୍ପତି ବାହାରିବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗକୁ ଚିଠି କରାଯାଇଛି। ଯାତ୍ରା ପାଇଁ ପିଇବା ପାଣି, ବିଦ୍ୟୁତ୍ ଯୋଗାଣ, କେଦାରଗୌରୀ ମନ୍ଦିରକୁ ସଫା କରିବା ଓ ବଡ଼ଦାଣ୍ଡ ଶୀତଳଷଷ୍ଠୀ ରାସ୍ତାରେ ଡ୍ରେନରେ ସ୍ଲାବ୍‌ ପକାଇବା, ଠାକୁରଙ୍କ ଯିବା ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବାକୁ ବିଏମ୍‌ସିକୁ ଚିଠି ଲେଖାଯାଇଛି। ଶୀତଳଷଷ୍ଠୀ ଦିନ ବଡ଼ଦାଣ୍ଡରେ ୱାଟ୍‌କୋ ପକ୍ଷରୁ ଚାରୋଟି ଛକରେ ପାଣି ଟାଙ୍କି ରଖିବା ସହ ସେହି ଦୁଇ ଦିନ ବିଦ୍ୟୁତ୍ ନକାଟିବାକୁ ଟାଟା ପାୱାର ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଯାତ୍ରାକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ସମ୍ପୃକ୍ତ ସେବାୟତମାନଙ୍କୁ ମନ୍ଦିର ପ୍ରଶାସନ ନିବେଦନ କରିଛି। ଆଇନଶୃଙ୍ଖଳା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସକୁ ମଧ୍ୟ ଚିଠି ଲେଖାଯାଇଛି ବୋଲି ମନ୍ଦିର କାର୍ଯ୍ୟନିର୍ବହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ମହାନ୍ତି କହିଛନ୍ତି।

Advertisment

ଆଜି ମଙ୍ଗନ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶିବ ବିବାହ ପାଇଁ ଆସନ୍ତାକାଲି (ରବିବାର) ମଙ୍ଗନ ନୀତି ସମ୍ପନ୍ନ ହେବ। ରାତି ପ୍ରାୟ ସାଢ଼େ ୮ଟାରେ ସନ୍ଧ୍ୟା ଧୂପ ପରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ ପାଇଁ ସେବାୟତଗଣ ବାହାରିବେ। ଏକାମ୍ର କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଥିବା ଅଷ୍ଟଦେବୀ ଯଥା ମଠ କପାଳୀ, ମହନୀ, ଆଖଡ଼ା ଚଣ୍ଡୀ, ରାମାୟଣୀ, ଉତ୍ତରାୟଣୀ, ଗୌରୀ, ଅମ୍ୱିକେ ଓ ଦ୍ୱାରବାସିନୀ ଠାକୁରାଣୀଙ୍କୁ ବିବାହରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯିବ। ସେବାୟତମାନେ ଫୁଲ, ଚନ୍ଦନ, ବେଲପତ୍ର ଓ ଠାକୁରଙ୍କ ମହାପ୍ରସାଦ ସମର୍ପଣ କରି ନିମନ୍ତ୍ରଣ କରିବେ।
ଭଜନ, ନାଗା ନାଚ ଓ ପଂକ୍ତିଭୋଜନ
ଚଳିତ ବର୍ଷ ବିଭିନ୍ନ ସେବାୟତଙ୍କୁ ନେଇ ଶିବ ବିବାହକୁ ଆକର୍ଷଣୀୟ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି। ଶିବ ବିବାହ ଦିନ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭକ୍ତମାନଙ୍କ ପାଇଁ ପଂକ୍ତିଭୋଜନ କରାଯିବ। ସେହିପରି ଉକ୍ତ ଦିନ ଭଜନ ସମାରୋହ କରାଯିବା ସହ ପୁରୀ ନାଗାନୃତ୍ୟ ପରିବେଷଣ କରାଯିବ। ମହାପ୍ରଭୁଙ୍କ ବରଯାତ୍ରୀ ଦଳରେ ଏହି ନାଗାନୃତ୍ୟ ପରିବେଷଣ କରାଯିବ।
ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ
ଶୀତଳଷଷ୍ଠୀ କମିଟି ପକ୍ଷରୁ ମହାପ୍ରଭୁଙ୍କ ବିବାହ ଯାତ୍ରାରେ ପାରମ୍ପରିକ ବାଦ୍ୟ ବଜାଇ ରୋଶଣି କରାଯିବ। ଘଣ୍ଟ, ଢୋଲ, ସମ୍ବଲପୁରୀ ନୃତ୍ୟ ସମେତ ବ୍ୟାଣ୍ଡ୍‌ ପାର୍ଟି ଆଦିରେ ରୋଶଣି କରାଯିବ। ବିଭିନ୍ନ ନିଯୋଗ ମୁଖ୍ୟଙ୍କ ଉପସ୍ଥିତିରେ ମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମଦ୍ୟପାନ କରି କେହି ଯାତ୍ରାରେ ସାମିଲ ହୋଇପାରିବେ ନାହିଁ ସେଥିପାଇଁ ସଜାଗ ଦୃଷ୍ଟି ରଖିବାକୁ ପୁଲିସ ପ୍ରଶାସନକୁ ଜଣାଇ ଦିଆଯାଇଛି।