ରାଜଧାନୀରେ ଘନ କୁହୁଡ଼ି, ସବୁ ବିମାନ ବିଳମ୍ବରେ ଉଡ଼ିଲା

ଭିଜିବିଲିଟି ୫୦ମିଟରକୁ ଖସିଲା, ୯ଟା ୩୦ ପରେ ବିମାନ ଉଡ଼ାଣ କଲା

ଭୁବନେଶ୍ବର: ଆଜି ରାଜଧାନୀରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ପୂରା ଭୁବନେଶ୍ବର ଘନ କୁହୁଡ଼ିରେ ଢାଙ୍କି ହୋଇଯାଇଥିଲା। କୁହୁଡ଼ି ଯୋଗୁଁ ଭିଜିବିଲିଟି ୫୦ମିଟରକୁ ଖସି ଆସିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଭୁବନେଶ୍ବରକୁ ଆସୁଥିବା ଏବଂ ଯାଉଥିବା ସବୁ ‌ବିମାନ ଓ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। ରାତି ୨ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କୌଣସି ବିମାନ ଉଡ଼ାଣ କି ଅବତରଣ କରିନଥିଲା। ଏପରିକି ଆଜି ଦିନତମାମ ସମସ୍ତ ବିମାନର ଉଡ଼ାଣ ବିଳମ୍ବିତ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ରରୁ ମିଳିଥିବା‌ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ୨ଟାରୁ ଭିଜିବିଲିଟି କମି କମି ଯାଇଥିଲା। ଏପରିକି ବିମାନବନ୍ଦର ଅଞ୍ଚଳରେ ରାତି ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଭିଜିବିଲିଟି ୫୦ମିଟରକୁ ଖସି ଯାଇଥିଲା। ଫଳରେ ବିମାନ ଉଡ଼ାଣ ଓ ଅବତରଣ ପାଇଁ ଅନୁମତି ଦିଆଯାଇନଥିଲା। ଏହାପରେ ସକାଳ ୭ଟା ପର୍ଯ୍ୟନ୍ତ ଭିଜିବିଲିଟି ୫୦ରୁ ୧୦୦ ମିଟର ମଧ୍ୟରେ ଥିଲା। ଏହାପରେ ଭିଜିବିଲିଟି ବଢ଼ିଥିଲେ ହେଁ ୩୫୦ ମିଟର ପର୍ଯ୍ୟନ୍ତ ଥିଲା। ପୂର୍ବାହ୍ନ ୯ଟାରେ ଭିଜିବିଲିଟି ୬୦୦ମିଟର ହେବା ପରେ ବିମାନ ଉଡ଼ାଣ ପାଇଁ ପାଗ ଅନୁକୂଳ ହୋଇଥିଲା। ଏହାପରେ ଏଟିସିକୁ ସବୁଜ ସଂକେତ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ଭିଜିବିଲିଟି ୫୦୦ମିଟର ଛୁଇଁନଥିବାରୁ କୌଣସି ବିମାନ ଅବତରଣ ନକରିବାକୁ ଆମେ ଏଟିସିକୁ କହିଥିଲୁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କର୍ତ୍ତୃପକ୍ଷ କହିଛନ୍ତି। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ହେଁ କିଛି ଉତ୍ତର ମିଳିନି।

ଅପରପକ୍ଷେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି ଯେ ଇଣ୍ଡିଗୋ ବିମାନ ୬ଇ୨୨୧୪ ନୂଆଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ଭିଜିବିଲିଟି କମ୍‌ ଥିବାରୁ ଏହା କୋଲକାତାକୁ ଡାଇଭର୍ଟ ହୋଇଯାଇଥିଲା। ଆଉ କୋଲକତାରେ ଭୋର୍‌ ୪ଟା ୩୭ରେ ଅବତରଣ କରିଥିଲା। ଏହାପରେ କୋଲକାତାରୁ ସକାଳ ୮ଟାରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ବରରେ ସକାଳ ୯ଟା ୧୦ରେ ଅବତରଣ କରିଥିଲା। ସେହିପରି ଏୟାର ଏସିଆ ବିମାନ ନଂ ୫୩୫ କୋଲକାତାରୁ ରାତି ୩ଟା ୧୫ରେ ଆସିବାର ଥିଲେ ହେଁ ଭିଜିବିଲିଟ୍ କମ୍‌ ଥିବାରୁ ଉଡ଼ାଣ ବିଳମ୍ବ ହୋଇଥିଲା। ବିମାନଟି ସକାଳ ୮ଟା ୪୫ରେ ଉଡ଼ାଣ କରି ପୂର୍ବାହ୍ନ ୧୧ଟା ୧୯ରେ ଭୁବନେଶ୍ବରରେ ଅବତରଣ କରିଥିଲା। ଭୁବନେଶ୍ବର ବିମାନବନ୍ଦରରୁ ସମସ୍ତ ବିମାନ ବିଳମ୍ବରେ ଉଡ଼ାଣ କରିଥିବା ବେଳେ ଦେଶର ଅନ୍ୟ ବିମାନବନ୍ଦରଗୁଡ଼ିକରେ କୁହୁଡ଼ି ଯୋଗୁଁ ଭୁବନେଶ୍ବରକୁ ଆସିବାକୁ ଥିବା ସମସ୍ତ ବିମାନର ଉଡ଼ାଣ ପ୍ରଭାବିତ ହୋଇଥିଲା। ଯେଉଁଥିପାଇଁ ଆଜି ସମସ୍ତ ବିମାନ ପ୍ରାୟ ଘଣ୍ଟାଏରୁ ୫ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ଏଠାରେ ଅବତରଣ କରିଥିଲା। ସେହିପରି ଭୁବନେଶ୍ବର ଷ୍ଟେସନ ଦେଇ ଯାତାୟାତ କରୁଥିବା ବହୁ ଟ୍ରେନ୍ ଆଜି ବିଳମ୍ବରେ ଆସିଥିଲା। ବିଶେଷକରି ଉତ୍ତର ଭାରତରୁ ଆସୁଥିବା ଟ୍ରେନ୍‌ଗୁଡ଼ିକ ବିଳମ୍ବରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର