ଭୁବନେଶ୍ବର: ଦିନେ ସେମାନେ ଥିଲେ ପ୍ରେମପତ୍ରର ବାହକ। ଶତ୍ରୁଠୁ ଲୁଚାଇ ଗୁପ୍ତଚର ସାଜି ସେମାନେ ପହଞ୍ଚାଉଥିଲେ ଗୋପନୀୟ ସନ୍ଦେଶ। ସେଥିପାଇଁ ତ ଭାରତୀୟ ସଂସ୍କୃତିରେ ପାରାମାନଙ୍କ ଗୁରୁତ୍ବ ଅନେକ। ହେଲେ ଆଜି ଏହି ପାରାକୁ ଜନଜୀବନ ପ୍ରତି ବିପଦ ସାଜିଛି। ଦିନେ ପ୍ରେମପତ୍ର ବାହକ ସାଜିଥିବା ପାରା ଆଜି ପାଲଟି ଯାଇଛନ୍ତି, ପରିବେଶ ପାଇଁ ବିପଦ। ରୋଗବାହକ ଏହି ପାରାଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମଣିଷ ପାଇଁ ହୋଇଛନ୍ତି କାଳ। ଏଣୁ ‘ପାରା’ ସଂଖ୍ୟା କମାଇବାକୁ  ବିଶ୍ବସ୍ତରରେ ଆରମ୍ଭ ହୋଇଛି ପ୍ରୟାସ। କାରଣ ପାରାମାନେ ଏବେ ଫୁସ୍‌ଫୁସ୍‌ ସଂକ୍ରମଣର କାରଣ ହୋଇଛନ୍ତି।

Advertisment

ରାଜଧାନୀର ପ୍ରାୟ ଜନଗହଳି ସ୍ଥାନ ଓ ମାର୍କେଟ ଅଞ୍ଚଳରେ ଏବେ ପାରାଙ୍କ ମେଳି ଦେଖିବାକୁ ମିଳୁଛି। ରାଜମହଲ ଛକ, ଭୁବନେଶ୍ବର କ୍ଲବ୍‌ ସମ୍ମୁଖ, ଏକ ନମ୍ବର ହାଟ, ଆଇଡ଼ି ମାର୍କେଟ ହେଉ ବା ଯେକୌଣସି ଜନଗହଳି ସ୍ଥାନ ବା ଆବାସିକ ଅଞ୍ଚଳ ପ୍ରତିଦିନ ଶହଶହ ସଂଖ୍ୟାରେ ପାରା ଆସି ସକାଳୁ, ସଞ୍ଜ ଏକାଠି ହୁଅନ୍ତି। ରାଜଧାନୀବାସୀ ବି ଭାରି ଆଦରରେ ଏମାନଙ୍କୁ ଦାନା ଦେଇଥାଆନ୍ତି। ଆମ ପରମ୍ପରାରେ ପାରାକୁ ଦାନା ଦେବା ଶୁଭ ବୋଲି ବିଶ୍ବାସ କରାଯାଏ। ଏଣୁ ସକାଳୁ ଉଠି ଅନେକ ଲୋକ ପାରାକୁ ନିଜ ଘର ଛାତରେ ବା ଅଗଣାରେ ଧାନ, ମୁଗ, ସୋରିଷ ବା ଖୁଦ ଆଦି ଖାଇବାକୁ ଦେଇଥା’ନ୍ତି। କିନ୍ତୁ ବିଜ୍ଞାନ ମତରେ, ପାରାଙ୍କଠାରୁ ଦୂରେଇ ରହିବା ମଣିଷ ତଥା ପରିବେଶ ପାଇଁ ଶୁଭଙ୍କର। ଏପରିକି ସିଙ୍ଗାପୁରରେ ପାରାଙ୍କୁ ଦାନା ପକାଇଲେ ୫୦୦ ଡଲାର୍‌ର ଜରିମାନା ଭରିବାକୁ ପଡ଼ିଥାଏ। ଆମେରିକା ଓ ୟୁରୋପରେ ପାରା ଓ ଗୁଣ୍ଡୁଚିମୂଷାଙ୍କୁ ଗର୍ଭନିରୋଧକ ଔଷଧ ପ୍ରଦାନ କରାଯାଉଥିବା ବେଳେ ଭାରତ ଓ ଓଡ଼ିଶାରେ ମଧ୍ୟ ଏହାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ମାନେ ମତ ଦେଲେଣି। ଶୀତ ଦିନ ଆସିଯାଇଥିବାରୁ ପାରାମାନଙ୍କଠାରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଲେଣି। 

ପକ୍ଷୀମାନଙ୍କ ପାଖକୁ ଗଲେ ମାସ୍କ ପିନ୍ଧିବା ଜରୁରି
ପାରାମାନଙ୍କ ସଂସ୍ପର୍ଶରେ ସବୁବେଳେ ଆସିବା ଦ୍ବାରା ‘ହାଇପର୍‌ସେନ୍‌ସିଟିଭିଟି ନ୍ୟୁ‌ମାଟାଇଟିସ୍‌’ ଭଳି ଫୁସ୍‌ଫୁସ୍‌ ସଂକ୍ରମଣଜନିତ ରୋଗ ହୋଇଥାଏ। ଏହା ପାରା ଓ ପକ୍ଷୀମାନଙ୍କ ପାଖରେ ଅଧିକ ରହିଲେ, ଏହା ସାଂଘାତିକ ରୂପ ନେଇ ଫୁସ୍‌ଫୁସ୍‌ରେ ଫାଇବ୍ରୋସିସ୍‌ କରିଥାଏ। ଏହି ରୋଗରେ ଫୁସ୍‌ଫୁସ୍ ସଂକ୍ରମିତ ହେବା ସହ ନିଶ୍ବାସ-ପ୍ରଶ୍ବାସ କ୍ରିୟାରେ କଷ୍ଟ ଅନୁଭୂତ ହୋଇଥାଏ ଓ ଧଇଁସଇଁ ଲାଗିଥାଏ। ଏଣୁ ପାରାମାନଙ୍କ ଜନବସତି ବା ଘର ଆଖପାଖରେ ବଢ଼ିବାକୁ ନ ଦେବା ଭଲ। ଶ୍ବାସ ସମସ୍ୟା ଥିବା ରୋଗୀମାନେ ପାରାଙ୍କଠାରୁ ଯେତେ ଦୂରେଇ ରହିବେ ସେତେ ଭଲ। ପାରା ଅଧିକ ଥିବା ଅଞ୍ଚଳରେ ଓ ପକ୍ଷୀ ବ୍ୟବସାୟୀମାନେ ସବୁବେଳେ ମାସ୍କ ପିନ୍ଧିବା ଜରୁରି। ତେବେ ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ପାରାଙ୍କ ସଂସ୍ପର୍ଶରେ ଆସିଲେ ହିଁ  ଏହି ରୋଗ ବ୍ୟାପିଥାଏ।
ଡାକ୍ତର ସୁଦାମ ଚନ୍ଦ୍ର ସାହୁ
ଶ୍ବାସ ଓ ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ, କ୍ୟାପିଟାଲ୍‌ ହସ୍‌ପିଟାଲ୍‌