ନନ୍ଦନକାନନର ଶୀତୁଆ ସକାଳ : ବୁଲିଲେଣି ୯୦ ହଜାର ପର୍ଯ୍ୟଟକ

ରୋକିପାରିନି କରୋନା କଟକଣା, ନଭେମ୍ବରରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

ଭୁବନେଶ୍ୱର/ବାରଙ୍ଗ : ପାଦ ଥାପିଛି ଶୀତ। ପହିଲି ଶୀତର ଛୁଆଁ ସମଗ୍ର ଜୀବଜଗତକୁ ଆମୋଦିତ କରୁଛି। କୁହୁଡ଼ିଆ ସକାଳର ଆକାଶ ଭିତରୁ କଅଁଳ ଖରା ଲମ୍ବି ଆସୁଛି। ସାମାନ୍ୟ ଶୀତଳ ପବନ ସାଙ୍ଗକୁ ଖରାର ସ୍ପର୍ଶ ଦେହରେ ଶିହରଣ ଖେଳାଇ ଦେଉଛି। ଏମିତି ସୁନ୍ଦର ପାଗକୁ ମନ ଭରି ଉପଭୋଗ କରୁଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟନର ଜୀବଜନ୍ତୁ। ବାଘଠାରୁ ଆରମ୍ଭ କରି ଭାଲୁ, ମାଙ୍କଡ଼, ପକ୍ଷୀମାନେ ବେଶି ଖୁସି ରହୁଛନ୍ତି। କେଉଁଠି ବନ୍ୟପ୍ରାଣୀ ଡାଳରୁ ଡାଳକୁ ଡେଇଁ ମଜା ନେଉଛନ୍ତି ତ ଆଉ କେଉଁଠି ପରସ୍ପର ଉପରେ ହାମୁଡେଇ ଶୋଇ ରହୁଛନ୍ତି। ଆଉ ଏଭଳି ଦୃଶ୍ୟର ଭରପୂର ମଜା ଉଠାଉଛନ୍ତି ପର୍ଯ୍ୟଟକ। କରୋନା କଟକଣା ମଧ୍ୟରେ ବି ଗତ ଦୁଇ ମାସ ହେଲା ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କର ନାହିଁ ନ ଥିବା ଆଗ୍ରହ ଦେଖିବାକୁ ମିଳୁଛି। ଏମିତିକି ଦିନେ ଦିନେ ୪ ହଜାରରୁ ଅଧିକ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲୁଛନ୍ତି। ଅକ୍ଟୋବର ୪ରୁ ଡିସେମ୍ବର ୩ ମଧ୍ୟରେ ୮୩ ହଜାର ୮୦୮ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନରେ ବୁଲିଛନ୍ତି। ଏହାବ୍ୟତୀତ ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ପାଖାପାଖି ସାଢ଼େ ୬ହଜାରରୁ ଊର୍ଧ୍ବ ପର୍ଯ୍ୟଟକ ବୁଲିବାକୁ ଆସିଥିବା ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସବୁଠାରୁ ବଡ଼ କଥା ହେଲା କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ୨୦୨୦ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପ୍ରାୟ ୨୪୦ ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଅକ୍ଟୋବର ୪ରୁ ପୁଣିଥରେ ପ୍ରାଣୀ ଉଦ୍ୟାନ ଖୋଲିଥିଲା। ପ୍ରଥମ ଦିନରେ ୩୦୬ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିଥିବା ବେଳେ ଏହା ସଂଲଗ୍ନ ବଟାନିକାଲ ଗାର୍ଡେନକୁ ୩୯ ଜଣ ଭ୍ରମଣ କରିବାକୁ ଆସିଥିଲେ। ଏହାପରଠାରୁ ଆଉ ପର୍ଯ୍ୟଟକଙ୍କ ସଂଖ୍ୟା କମିନି। ବରଂ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଚାଲିଛି। ଅକ୍ଟୋବର ୬ରେ ୬୧୧, ୧୦ ତାରିଖରେ ୯୩୮ ଓ ୧୧ ତାରିଖରେ ୧୭୨୬ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିଥିଲେ। ଅକ୍ଟୋବର ୨୫ରେ ରେକର୍ଡ ସଂଖ୍ୟକ ୩୮୧୬ ଜଣ ପର୍ଯ୍ୟଟକ ନନ୍ଦନକାନନ ଭ୍ରମଣ କରିଥିଲେ। ନଭେମ୍ବର ୨୨ରେ ଆଉ ଏକ ରେକର୍ଡ ସୃଷ୍ଟି ହୋଇଥିଲା। ଏହି ଦିନ ୪୦୧୫ ଜଣ ପ୍ରାଣୀ ଉଦ୍ୟନ ଓ ୬୦୨ ଜଣ ବଟାନିକାଲ ଗାର୍ଡେନ୍‌ ବୁଲିଥିବା ବେଳେ ୨୯ ତାରିଖରେ କରୋନା ପରେ ପ୍ରଥମ ଥର ଲାଗି ସବୁଠାରୁ ଅଧିକ ୪୧୪୯ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିଛନ୍ତି। ରବିବାର ୪ ହଜାର ୫ଜଣ ପର୍ଯ୍ୟଟକ ନନ୍ଦନକାନରର ମଜା ନେଇଥିବା ସୂଚନା ଦେଇଛନ୍ତି। ଅକ୍ଟୋବର ମାସ ତୁଳନାରେ ନଭେମ୍ବରରେ ଅଧିକ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି। ଶୀତ ଯେତିକି ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ସେହି ଅନୁଯାୟୀ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଛୋଟ ଛୋଟ ପିଲାମାନେ ନନ୍ଦନକାନନରେ ଦିନ ବିତାଇବାକୁ ପସନ୍ଦ କରୁଛନ୍ତି।

ଖରା ପୁଉଁଛନ୍ତି ବାଘ, ଡେଉଁଛନ୍ତି ଭାଲୁ
ଶୀତୁଆ ସକାଳେ ପ୍ରାଣୀ ଉଦ୍ୟାନର ବାଘଗୁଡ଼ିକ ଖରା ପୁଇଁବାର ଦୃଶ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବାଘଗୁଡ଼ିକ ଚାରି ଗୋଡ଼କୁ ଲମ୍ବାଇ କଅଁଳ ଖରାକୁ ପିଠି କରି ଶୋଇ ରହୁଛନ୍ତି। ଏତେ ନିଘୋଡ଼ ନିଦରେ ଶୋଉଛନ୍ତି ଯେ ପର୍ଯ୍ୟଟକଙ୍କ କୋଳାହଳ ସେମାନଙ୍କୁ ବିବ୍ରତ କରୁନାହିଁ। ବରଂ ଆରାମ ଦେଉଛି। ତେବେ ଭାଲୁ ପାଇଁ ଶୀତୁଆ ସକାଳ ଖେଳ ମଉଜର ସମୟ ପାଲଟିଛି। କଅଁଳିଆ ଖରାରେ ସେମାନେ ଡିଆଁ ଡେଇଁ କରି ଖେଳୁଛନ୍ତି। ପରସ୍ପର ମଧ୍ୟରେ କୋଳାକୋଳି, କାମୁଡ଼ାକାମୁଡ଼ି ଓ ଗଡ଼ାପଡ଼ା ହେଉଛନ୍ତି। ଗୁଣ୍ଡୁଚି ମାଙ୍କଡ଼ଙ୍କ ଡେଉଁଥିବାର ଦୃଶ୍ୟ ବେଶ୍ ଆକର୍ଷଣୀୟ ହେଉଛି। କେବଳ ଗୁଣ୍ଡୁଚି ମାଙ୍କଡ଼ ନୁହନ୍ତି, ଅନ୍ୟ ପ୍ରଜାତିର ମାଙ୍କଡ଼ମାନେ ମଧ୍ୟ କଅଁଳ ଖରାରେ ଡେଇଁ ଡେଇଁ ପର୍ଯ୍ୟଟକଙ୍କ ମନ ଜିଣୁଛନ୍ତି।

ଉଦ୍ଭିଦ ଉଦ୍ୟାନରେ ସକାଳ
ଉଦ୍ଭିଦ ଉଦ୍ୟାନ ତଥା ବଟାନିକାଲ ଗାର୍ଡେନ୍‌ରେ କେବେ ଭୋଜିଭାତ କରିବାକୁ ଅନୁମତି ମିଳିବ ତାହା ଜଣାନାହିଁ। ତେ‌ବେ ଶୀତୁଆ ସକାଳରେ ଏହି ଉଦ୍ୟାନରେ ବୁଲିବାର ମଜା ନେଉଛନ୍ତି ପର୍ଯ୍ୟଟକ। ଲେକ୍‌ ଭ୍ୟୁ ସାଙ୍ଗକୁ ପ୍ରଜାପତିଙ୍କ ଗହଣରେ ଦିନ କାଟିବା‌କୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଧାଇଁ ଆସୁଛନ୍ତି। ଫୁଲ ଉଦ୍ୟାନ ବି ଏବେ ରଙ୍ଗବେରଙ୍ଗର ପୁଷ୍ପରେ ଫୁଟି ଉଠୁଛି। କେଉଁଠି ଗୋଲାପ ଶୋଭା ବଢ଼ାଉଛି ତ ଆଉ କେଉଁଠି ଗେଣ୍ଡୁ। ଯୁଆଡ଼େ ଚାହିଁଲେ କେବଳ ସବୁଜ ପରିବେଶ ମନକୁ ଆମୋଦିତ କରୁଛି।

ସମ୍ବନ୍ଧିତ ଖବର