ଭୁବନେଶ୍ବର: କିଛିଦିନ ହେବ ହାଡ଼ଭଙ୍ଗା ଶୀତ ଲହର ଜାରି ରହିଛି। ସକାଳେ ଓ ରାତିରେ ଘରୁ ବାହାରିବାକୁ ମନ ଲାଗୁନି। ଏଭଳି ସ୍ଥିତିରେ ଥିଲା ବାଲା ତ ଘରେ ଆରାମରେ ଶୋଉଛନ୍ତି, କିନ୍ତୁ ଯେଉଁମାନେ ନିରାଶ୍ରିତ ସେମାନଙ୍କ ପାଇଁ ରାସ୍ତାକଡ଼, ଗଛମୂଳ ଆଶ୍ରା ସାଜିଛି। ଶୀତ, କାକରରେ ବହୁ କଷ୍ଟରେ ଏମାନେ ରାତି କାଟୁଛନ୍ତି। ଦୁଃଖ ତଥା ଦୁର୍ଭାଗ୍ୟର କଥା ହେଉଛି, ଶୀତରୁ ଦେହକୁ ଢାଙ୍କିବା ପାଇଁ ଏମାନଙ୍କ ପାଖରେ ଭଲ ଚାଦର ଖଣ୍ଡେ ନାହିଁ। ଶୀତ ଦାଉରୁ ରକ୍ଷା ପାଇଁ ଛିଣ୍ଡା ଅଖା, ଛିଣ୍ଡା କପଡ଼ାକୁ ଏମାନେଆଶ୍ରା କରିଛନ୍ତି। ଯେନତେନ ପ୍ରକାରେ ଏହା ଘୋଡ଼ାଇ ହୋଇ ରାତି କାଟୁଛନ୍ତି। ମାଷ୍ଟରକ୍ୟାଣ୍ଟିନ୍, ରାଜମହଲ, ଅଶୋକନଗର, ରାମମନ୍ଦିର, ୟୁନିଟ୍-୨ ଅଞ୍ଚଳ ଏହାର ଜ୍ବଳନ୍ତ ଉଦାହରଣ। ରାତି ହେଲେ, ବହୁ ନିରାଶ୍ରିତ ଏଠାରେ ଖୋଲା ଆକାଶ ତଳେ ମଶା ଡାଉଁଶରେ ଶୋଉଛନ୍ତି। ରାଜ୍ୟ ସରକାର ଏଭଳି ନିରାଶ୍ରିତଙ୍କ ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିଥିଲେ ବି ଏହା କେଉଁଠି ଅଛି କେହି ଜାଣି ପାରୁନାହାନ୍ତି। ଯାହା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା), ଭୁବନେଶ୍ବର ମହାନଗର ନିଗମର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି।
ଆଶ୍ରା ସାଜିଛି ଛିଣ୍ଡା ଅଖା, କପଡ଼ା
ମାନୁନାହାନ୍ତି ରାଜ୍ୟସ୍ତରୀୟ ଆଶ୍ରୟସ୍ଥଳୀ କମିଟି ନିଷ୍ପତ୍ତି
ଉଲ୍ଲେଖ ହେଉନି ଆଶ୍ରୟସ୍ଥଳୀ ହେଲ୍ପଲାଇନ୍ ନମ୍ବର
/filters:format(webp)/sambad/media/media_files/2025/11/17/dagadgdazvv-2025-11-17-01-25-36.jpg)
ରାଜ୍ୟ ସରକାର ସହରାଞ୍ଚଳ ନିରାଶ୍ରିତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିରାଶ୍ରିତଙ୍କ ସୁରକ୍ଷିତ ଆଶ୍ରୟ ପାଇଁ ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଏହାର ସ୍ଥିତି ସମୀକ୍ଷା ପାଇଁ ରାଜ୍ୟସ୍ତରୀୟ ଆଶ୍ରୟସ୍ଥଳୀ ମନିଟିରିଂ କମିଟି(ଏସ୍ଏଲ୍ଏସ୍ଏମ୍ସି) ରହିଛି। କିନ୍ତୁ ସବୁକିଛି ସ୍ଥାଣୁ ପାଲଟିଛି। ଚଳିତବର୍ଷ ଜାନୁଆରିରେ ୧୩ତମ ରାଜ୍ୟସ୍ତରୀୟ ଆଶ୍ରୟସ୍ଥଳୀ ମନିଟରିଂ କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତିକ୍ରମେ ଆଶ୍ରୟସ୍ଥଳୀ ସଂପର୍କରେ ନିରାଶ୍ରିତମାନେ ସହଜରେ ଜାଣିବା ପାଇଁ ଅବା ନିରାଶ୍ରିତଙ୍କ ଆଶ୍ରୟସ୍ଥଳୀକୁ ଜରୁରୀକାଳୀନ ପରିସ୍ଥିତିରେ ପଠାଇବା ପାଇଁ ହେଲ୍ପଲାଇନ୍ ମୋବାଇଲ୍ ନମ୍ବର ୯୭୭୭୬୬୮୦୭୧ ଜାରି କରାଯାଇଥିଲା। ରେଳଷ୍ଟେସନ୍, ବସ୍ଷ୍ଟାଣ୍ଡ୍, ଅଟୋଷ୍ଟାଣ୍ଡ୍, ଡାକ୍ତରଖାନା, ମନ୍ଦିର ଆଦି ପ୍ରମୁଖ ସ୍ଥାନରେ ଏହି ନମ୍ବର ବଡ଼ ବଡ଼ ଅକ୍ଷରରେ ଲେଖିବାକୁ ଭୁବନେଶ୍ବର ମହାନଗର ନିଗମ ସହ ଅନ୍ୟ ସହରାଞ୍ଚଳକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।
ଉଭୟ ଓଡ଼ିଆ ଓ ଇଂରାଜୀରେ ନମ୍ବର ଉଲ୍ଲେଖ କରିବାକୁ କୁହାଯାଇଥିଲା। କେବଳ ଏହି ହେଲ୍ପଲାଇନ୍ ନମ୍ବର ନୁହେଁ, ଯେଉଁ ଏଜେନ୍ସିମାନେ ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ବ ନେଇଛନ୍ତି, ସେମାନେ ନିୟୋଜିତ କରିଥିବା ଆଶ୍ରୟସ୍ଥଳୀ ମ୍ୟାନେଜରଙ୍କ ନମ୍ବର ଓ ଏଜେନ୍ସିର ଅଧିକାରୀଙ୍କ ନମ୍ବର ସୂଚନା ଫଳକରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁଡା ଏହି ନିର୍ଦ୍ଦେଶନାମା ଜାରି କରିଥିଲା। କିନ୍ତୁ ଏହା କେବଳ ନିର୍ଦ୍ଦେଶରେ ସୀମିତ ରହିଛି। ଏଣୁ ଆଶ୍ରୟସ୍ଥଳୀ ନିରାଶ୍ରିତଙ୍କ ବଦଳରେ ଅନ୍ୟମାନଙ୍କ ସେବାରେ ଲାଗୁଛି। ଅନେକ ସମୟରେ ଏହା ଖାଲି ପଡ଼ୁଥିବା ବି ଅଭିଯୋଗ ହେଉଛି। ଯେହେତୁ ଆଗକୁ ଶୀତ ପ୍ରକୋପ ବଢ଼ିବ, ଏଣୁ ଏ ଦିଗରେ ସରକାର ନଜର ଦେବା ସହ ନିରାଶ୍ରିତଙ୍କୁ ଆଶ୍ରୟସ୍ଥଳୀରେ ଆଶ୍ରୟ ଦେବା ଉପରେ କଡ଼ା ନିର୍ଦ୍ଦେଶନାମା ଜାରି କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/17/dadgdgazcvv-2025-11-17-01-25-25.jpg)