ଜାଡ଼ ରେକର୍ଡ

ଭୁବନେଶ୍ବର: ଥଣ୍ଡାରେ ଅସ୍ତବ୍ୟସ୍ତ ହେଲେଣି ରାଜଧାନୀବାସୀ। ନିୟମିତ ଭାବେ ପାରଦ ଖସୁଛି। ଗତ ୪୮ ଘଣ୍ଟା ମଧ୍ୟରେ ରାତିର ପାରଦ ୭ ଡିଗ୍ରି କମିଛି। ୨୮ ତାରିଖ ସକା‌ଳେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ଥିବା ବେଳେ ଆଜି ସକାଳୁ ୮.୨ ଡିଗ୍ରିକୁ ଖସି ଆସିଛି। ଆଉ ଦୁଇ ଦିନ ଏଭଳି ଅସ୍ତବ୍ୟସ୍ତ କରିବ ବୋଲି ଆକଳନ କରାଯାଇଛି। ଥଣ୍ଡା ଯୋଗୁଁ ସହରର ବସ୍ତି ଓ ଖୋଲା ସ୍ଥାନରେ ରାତି କାଟୁଥିବା ଲୋକଙ୍କ ସ୍ଥିତି ସଙ୍ଗିନ ହୋଇଯାଇଛି। ଶୋଇବା ପାଇଁ ନାକେଦମ ହେବାକୁ ପଡ଼ୁଛି। ଦୁଇରୁ ତିନୋଟି ଚାଦର ଘୋଡ଼ାଇ ହୋଇ ରାସ୍ତା ପାର୍ଶ୍ବରେ ରାତି କାଟୁଛନ୍ତି। ସନ୍ଧ୍ୟା ହେବା କ୍ଷଣି ରାସ୍ତାପାର୍ଶ୍ବରେ ନିଆଁ ଜାଳି ବସୁଛନ୍ତି। ଭୋର୍‌ ସମୟରେ ବି ସମାନ ସ୍ଥିତି ଦେଖିବାକୁ ମିଳୁଛି। ପିଲାଙ୍କୁ ସାଙ୍ଗରେ ଧରି ବାପା, ମା’ ମାନେ ନିଆଁ ମୁହଁରେ ବସି ରହୁଛନ୍ତି।

ପୂର୍ବରୁ ୧୯୯୨ ମସିହା ଡିସେମ୍ବର ମାସରେ ରାଜଧାନୀର ସର୍ବନିମ୍ନ ତାପାମତ୍ରା ୮.୪ ଡିଗ୍ରି ରହିଥିଲା। ଏହାପରେ ଆଉ କୌଣସି ବି ବର୍ଷ ପାରଦ ୯ ଡିଗ୍ରି ତଳକୁ ଖସିବାର ନଜିର ନାହିଁ। ଏଭଳି ତାପମାତ୍ରା ଖସିବା ଭୁବନେଶ୍ବର ଇତିହାସରେ ଏକ ବିରଳ ଘଟଣା ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ଯେ ଡିସେମ୍ବରରେ ଭୁବନେଶ୍ବରର ପାରଦ ‌କେବେ ବି ଏମିତି ହ୍ରାସ ପାଇ ନ ଥିଲା। ରବିବାର ରାତିଠାରୁ ସର୍ବନିମ୍ନ ତାପମାତ୍ରା ଦୁଇରୁ ତିନି ଡିଗ୍ରି ବୃଦ୍ଧି ପାଇବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ରଙ୍କ କହିବାନୁଯାୟୀ ୨୨ ବର୍ଷ ତଳେ ଅର୍ଥାତ୍‌ ୧୯୯୬ ମସିହା ଡିସେମ୍ବର ୧୨ରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରି ରହିଥିଲା। ସେବେଠାରୁ ଆଉ କୌଣସି ବର୍ଷ ଡିସେମ୍ବରରେ ଏଭଳି ସ୍ଥିତି ହେବାର ନଜରି ନାହିଁ। ଗତ ୧୪ ବର୍ଷରେ ଡିସେମ୍ବର ମାସରେ ୧୦ ଡିଗ୍ରି ତଳକୁ ତାପମାତ୍ରା ଖସି ନଥିଲା। ଏବେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ପବନ ‌ହେଉଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଆଉ ଦୁଇରୁ ତିନି ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ଏପାଖସେପାଖ ରହିବ।

ସମ୍ବନ୍ଧିତ ଖବର