ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଶୀତର ପ୍ରକୋପ। ଆଉ ଶୀତଲହରିକୁ ନଜରରେ ରଖି ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲିଲାଣି ଶୀତବସ୍ତ୍ର ବଜାର। କୋଲକାତା, ରାଜସ୍ଥାନ, ଗୁଜରାଟର ବ୍ୟବସାୟୀମାନେ ସହରରେ ମେଲାଇଛନ୍ତି ଭିନ୍ନ ଭିନ୍ନ ଡିଜାଇନ୍‌ର ଶୀତବସ୍ତ୍ର ପସରା। ପିଲାଠାରୁ ବୁଢ଼ା, ଧନୀଠାରୁ ଗରିବ ସମସ୍ତ ରାଜଧାନୀବାସୀଙ୍କୁ ନୂଆ ନୂଆ ଷ୍ଟାଇଲର ଶୀତବସ୍ତ୍ର ଯୋଗାଇବା ପାଇଁ ଏହି ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ଜୋର ଧରିଲାଣି। ବିଶେଷ କରି ରସୁଲଗଡ଼, ୟୁନିଟ-୧ ମାର୍କେଟରେ ଏହି ବସ୍ତ୍ର କିଣିବାକୁ ଭିଡ଼ ଜମୁଛି। 

Advertisment

ୟୁନିଟ୍-୧ ମାର୍କେଟରେ ଲୁଧିଆନା, ଜୟପୁର ଆଦି ଅଞ୍ଚଳରୁ ବିଭିନ୍ନ ପ୍ରକାର କମ୍ବଳ ଆଣି ରାଜଧାନୀବାସୀଙ୍କୁ ଯୋଗାଉଛନ୍ତି ବ୍ୟବସାୟୀମାନେ। ଏଥିରେ ରହିଛି ଡଲଫିନ୍‌, କୋରିଆ ଗୋଲ୍‌ଡ, ଆଲାସ୍କା ଡାଇମଣ୍ଡ ଓ ହରିୟାଣା କମ୍ବଳ ଭଳି ବିଭିନ୍ନ ପ୍ରକାର। ପୁଣି ପିଲାମାନଙ୍କ ପାଇଁ ମଧ୍ୟ ରହିଛି ବେବି ବ୍ଲାଙ୍କେଟ୍‌। ବ୍ୟବସାୟୀ ଶ୍ୟାମଲାଲ କୁହନ୍ତି, ଏଠାକୁ ଆସିଲେ ଗ୍ରାହକ ନିଜ ପସନ୍ଦ ମୁତାବକ ପକେଟକୁ ସୁହାଇଲା ଭଳି କମ୍ବଳ ପାଇପାରିବେ। ତାଙ୍କ ପାଖରେ ୪୦୦ରୁ ଆରମ୍ଭ କରି ୪ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ୍‌ରେ କମ୍ବଳ ଉପଲବ୍ଧ ହେଉଛି।

ସେହିପରି ରସୁଲଗଡ଼ ଶୀତବସ୍ତ୍ର ବଜାରରେ ପ୍ରମୁଖ ଆକର୍ଷଣ ପାଲଟିଛି ରାଜସ୍ଥାନର ପାରମ୍ପରିକ ଚିତ୍ର, ଫୁଲ ଡିଜାଇନ୍ ଥିବା ଶାଲ୍‌। ବିବାହ ଋତୁ ଆସୁଥିବାରୁ ମହିଳାମାନେ ଏହି ଡିଜାଇନ୍ ଥିବା ଶାଲ୍‌କୁ ବେଶୀ ପସନ୍ଦ କରୁଛନ୍ତି। ଏହାର ମୂଲ୍ୟ ୩୦୦ରୁ ଆରମ୍ଭ ହୋଇ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାସହ ରୁମାଲ ଟୋପି ଓ ପିଲାଙ୍କ କାର୍ଟୁନ ଟୋପି ବେଶ ଚାହିଦାରେ ରହିଛି। ପୁଣି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ରହିଛି ଉଲେନ୍‌ ଫର୍‌ ମୋଜା ଓ ଜୋତା। ଯାହାକି ସହରିଆଙ୍କ ପସନ୍ଦର ସର୍ବାଗ୍ରେ ରହିଛି ବୋଲି ବ୍ୟବସାୟୀ ବାହାଦୁର ସିଂହ ବଞ୍ଜରା କହିଛନ୍ତି।