ଭୁବନେଶ୍ୱର: କାଳଜୟୀ ଜଣାଣ ‘ସବୁଥିରୁ ବଞ୍ଚିତ କରି...’ ଯେତିକି ଭାବରସରେ ଭିଜାଇଲା, ପ୍ରେମରସସିକ୍ତ ଗୀତ ‘ନ ଯା ରାଧିକା...’ ଶ୍ରୋତାଙ୍କ ଭିତରେ ସେତିକି ରୋମାଞ୍ଚ ଭରିଦେଇଥିଲା। ସେହିଭଳି ସୁଷମା ଗୋ..., କେତକୀ ଗୋ ଖୋଲ ଆଖି... ଭଳି ଶାସ୍ତ୍ରୀୟ ରାଗଭରା ଗୀତ ଶ୍ରୋତାମାନଙ୍କୁ ସଂଗୀତ ସନ୍ଧ୍ୟାର ଶେଷ ପର୍ଯ୍ୟନ୍ତ ବାନ୍ଧିରଖିଥିଲା। ଆଜି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ନମାମି ସୁରମଣି’ର ଏଭଳି ଭାବପୂର୍ଣ୍ଣ ପରିବେଶ ଥିଲା ବେଶ୍ ଉପଭୋଗ୍ୟ। ସଂଗୀତଜ୍ଞ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୩ତମ ଜୟନ୍ତୀରେ ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ତାଙ୍କ ଗୀତ ସବୁକୁ ଗାନକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ଅଶୋକ ତ୍ରିପାଠୀ, ମନୋରଞ୍ଜନ ପାଣିଗ୍ରାହୀ, ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ଓ ଅନୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଶାସ୍ତ୍ରୀୟ ସଙ୍ଗୀତଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଓ ବେତାର ସଙ୍ଗୀତ ଯାଏଁ ସବୁଥିରେ ସୃଜନୀର ପରିସରକୁ ବିବିଧବର୍ଣ୍ଣା କରିଥିବା ସଙ୍ଗୀତ ସାଧକ ହେଉଛନ୍ତି ପଣ୍ଡିତ ରଘୁନାଥ ପାଣିଗ୍ରାହୀ। ସେ ଥିଲେ ସଂସ୍କୃତିର ରାଷ୍ଟ୍ରଦୂତ ବୋଲି ଅତିଥିମାନେ ତାଙ୍କ ସ୍ମୃତିଚାରଣ କରି କହିଥିଲେ। ଏହି ଅବସରରେ ବାବୁ ପାଣିଗ୍ରାହୀ, ଆଦ୍ୟାଶା ଦାସ, ମିତାଲି ଚିନାରା, ଦେବାଶିଷ ମହାପାତ୍ର, ମୀରା ପଣ୍ଡା, ନାଜିଆ ଆଲାମ୍‌, ରଣଦୀପ ପାଲିତ୍‌, ବନ୍ଦୀଶ୍‌ ପାଲିତ, ନିହାରିକା ମେହେର, ରୂପକ ପରିଡ଼ା, ତନୁଶ୍ରୀ ଜେନା, ସାନୟ ସୁନୟନା ପ୍ରମୁଖ ଗାଇଥ‌ିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।