ଭୁବନେଶ୍ବର/ଚନ୍ଦ୍ରଶେଖରପୁର: କାଳୀକ୍ଷମା ପୋଲ ନିକଟ ଗଙ୍ଗୁଆ କେନାଲରୁ ଆଜି ଜଣେ ଯୁବକଙ୍କ ମୁଣ୍ଡ ବିହୀନ ଶବ ଜବତ ହୋଇଛି। ମୃତ ଯୁବକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ। ତାଙ୍କ ଡାହାଣ ହାତ ବାହୁ ନିକଟରୁ ଛିଣ୍ଡି ଯାଇଛି। ଶବଟି ୪/୫ ଦିନ ହେବ କେନାଲରେ ଲାଗିଥିଲା। ଶବଟି ପଚି ଯାଇଥିବାରୁ ଚିହ୍ନଟ କରାଯାଇ ପାରୁନାହିଁ। ତେବେ ତାଙ୍କୁ କେହି ହତ୍ୟା କରି କେନାଲରେ ଫିଙ୍ଗି ଦେଇଛି ନା ଟ୍ରେନରୁ ଖସି ପଡ଼ି ତାଙ୍କର ମୃତ୍ୟୁ ଘଟିଛି, ତାହା ଏବେ ସନ୍ଦେହ ଘେରରେ ରହିଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏ ନେଇ ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ମିଳିଥିବା ସୂଚନା ମୁତାବକ, ଆଜି ଜଣେ ଗାଈ ଚରାଳି ରାଜଧାନୀ ଇଂଜିନିୟରିଂ କଲେଜ୍ ପଡ଼ିଆ ନିକଟରେ ଗାଈ ଚରାଉଥିବା ବେଳେ କେନାଲ୍ରେ ଶବଟି ଭାସୁଥିବା ଦେଖିଥିଲେ। ଏନେଇ ସେ କିଛି ସ୍ଥାନୀୟ ଯୁବକଙ୍କୁ ଘଟଣା କହିବା ପରେ ଘଟଣା ପ୍ରଘଟ ହୋଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଚନ୍ଦ୍ରଶେଖରପୁର ଦମକଳ ବାହିନୀ କର୍ମଚାରୀଙ୍କ ସହଯୋଗରେ ଗଙ୍ଗୁଆରୁ ଶବଟିକୁ ଜବତ କରିଥିଲା। କାଳୀକ୍ଷମା ପୋଲ ନିକଟରେ ବିଭିନ୍ନ ସମୟରେ ଡକାୟତି ହୋଇଥାଏ। କେହି ଦୁର୍ବୃତ୍ତ ଯୁବକଜଣଙ୍କୁ ଲୁଟ୍ କରିବା ପରେ ମୁଣ୍ଡ କାଟି କେନାଲ୍ରେ ଭସାଇ ଦେଇଥିବା ମଧ୍ୟ ଅନୁମାନ କରଯାଉଛି। କାରଣ ଯୁବକଙ୍କ ପାଖରୁ ପୁଲିସ କୌଣସି ଜିନିଷପତ୍ର ଜବତ କରି ପାରିନାହିଁ। ନା ପକେଟରେ ମୋବାଇଲ ଥିଲା, ନା ପର୍ସ କିମ୍ବା କୌଣସି ପରିଚୟପତ୍ର। ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।
ମଞ୍ଚେଶ୍ବର ଇନ୍ସପେକ୍ଟର ଯତୀନ୍ଦ୍ର ସେଠୀ କହିଛନ୍ତି, ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି ଏବଂ ପ୍ରାଥମିକ ସ୍ତରରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସେହିପରି ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁ କୁହନ୍ତି, ଯଦି ଟ୍ରେନ ଲାଇନରେ ସେ କଟିଥିବେ, ତାଙ୍କ ମୁଣ୍ଡ ନିଶ୍ଚୟ ରେଳଧାରଣା ଉପରେ ପଡ଼ିଥିବ। କିନ୍ତୁ ରେଳବାଇ ପୁଲିସ ଏଯାଏ ମୁଣ୍ଡ ଜବତ କରି ପାରିନାହିଁ। ପୁଲିସ ଆଖପାଖ ଅଞ୍ଚଳରେ ବୁଲାବୁଲି କରି ମୃତ ଯୁବକଙ୍କ କଟା ମୁଣ୍ଡ ଖୋଜୁଛି।