ଭୁବନେଶ୍ବର: ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ ପକ୍ଷରୁ ଭାରତୀୟ ବିଦ୍ୟାଭବନ ପରିସରରେ ୧୭୭ତମ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କୁ ନେଇ ଲେଖାଯାଇଥିବା ଗଳ୍ପ ସଂକଳନର ବଙ୍ଗଳା ଅନୁବାଦ ପୁସ୍ତକ ‘ଶ୍ରୀଜଗନ୍ନାଥ କଥା ବିଚିତ୍ରା’ ଲୋକାର୍ପିତ ହୋଇଥିଲା। ଏଥିସହ ‘କଥା କଥାରେ ଶ୍ରୀ ଜଗନ୍ନାଥ’ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିତିଦିନ ସଂପାଦକ ମନୋଜ କୁମାର ମହାପାତ୍ର ଯୋଗ ଦେଇ କହିଲେ, ଯଦି ଆମେ ଭକ୍ତିରେ ଜଗନ୍ନାଥଙ୍କୁ ଧ୍ୟାନ କରିବା ତେବେ ସେ ଆମକୁ ଦେଖା ଦେବେ ନଚେତ୍ ତାଙ୍କୁ ପାଇବା ବହୁତ କଷ୍ଟକର। ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ଅସ୍ତିତ୍ବ ନାହିଁ। କଥା କଥାରେ ସାହିତ୍ୟ ସୃଷ୍ଟି ହେବ, ଗବେଷଣା ସୃଷ୍ଟି ହେବ ବହୁ ପ୍ରକାରର ଚିନ୍ତନ ସୃଷ୍ଟି ହେବ କିନ୍ତୁ ଜଗନ୍ନାଥଙ୍କୁ ଚାହିଁଲେ ଭାବ ସମ୍ବରଣ ସୃଷ୍ଟି ହୁଏ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସମୟର ସଂପାଦକ ସାତକଡ଼ି ହୋତାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ନାଇଜର କୁଳସଚିବ ଡ. ଅଭୟ କୁମାର ନାୟକ ଯୋଗ ଦେଇ କହିଛନ୍ତି, ମହାପ୍ରଭୁଙ୍କୁ ଆମେ ଧ୍ୟାନ କରୁଛେ ତାଙ୍କର ପ୍ରଚାର ପ୍ରସାର କରୁଛେ। ତାଙ୍କ ଆଚରଣକୁ ମଧ୍ୟ ଅନୁସରଣ କରିବା ଦରକାର। ସମ୍ମାନିତ ଅତିଥି ଭାବେ କୁଚିଣ୍ଡା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଦୀପ କୁମାର ରାୟ କହିଲେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ବଙ୍ଗଳାରେ ବହୁ ଗଳ୍ପ ଓ କବିତା ଲେଖାଯାଇଛି। ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ମୁକ୍ତ ଚିନ୍ତନ ମଞ୍ଚର ସଂପାଦକ ପୀତବାସ ରାଉତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ। ଅମିତାପ୍ରଭା ସ୍ବାଇଁ, ନୃସିଂହ ପ୍ରସାଦ ଦାଶଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା।