‘ଭାଷା ବିନା ଗଣମାଧ୍ୟମ କଥା ଚିନ୍ତା କରାଯାଇ ନପାରେ’

ଚନ୍ଦ୍ରଶେଖରପୁର: ଭାଷା ଓ ଗଣମାଧ୍ୟମର ସମ୍ପର୍କ ଅତ୍ୟନ୍ତ ନିବିଡ଼। ଭାଷା ବିନା ଗଣମାଧ୍ୟମ କଥା ଚିନ୍ତା କରାଯାଇନପାରେ। ବର୍ତ୍ତମାନ ଯେପରି ସୋସିଆଲ୍‌ ମଡିଆରେ ଭାଷାର ପ୍ରୟୋଗ ହେଉଛି ତାହା ବେଶ୍‌ ଚିନ୍ତାଜନକ। ଭାଷାକୁ ଆଗକୁ ନେବାକୁ ଗଣମାଧ୍ୟମ ନିକଟରେ ଯଥେଷ୍ଟ ସୁଯୋଗ ରହିଛି। ବିଶେଷକରି ମୁଦ୍ରିତ ଗଣମାଧ୍ୟମ ନିକଟରେ ଭାଷା ପାଇଁ ଏକ ଦାୟିତ୍ୱ ଓ ସୁଯୋଗ ରହିଛି। ଗଣମାଧ୍ୟମ ନୂଆ ନୂଆ ଶବ୍ଦର ପ୍ରୟୋଗ ଓ ଉପଯୋଗ କରେ ଯାହାକି ପରବର୍ତ୍ତୀ ସମୟରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ଗଣମାଧ୍ୟମ ଚାହିଁଲେ ଭାଷାକୁ ସଂସ୍କାରିତ କରିପାରିବ। ମାତ୍ର ସୋସିଆଲ ମିଡିଆରେ ଯେପରି ଭାଷାର ପ୍ରୟୋଗ ହେଉଛି ତାହା ଚିନ୍ତାଜନକ। ଆଜି ଅନୁଷ୍ଠିତ ପ୍ରଥମ ଭାଷା ଉତ୍ସବ ଅବସରରେ ‘ଗଣମାଧ୍ୟମର ଭାଷା’ ଶୀର୍ଷକ ଏକ ଆଲୋଚନା ଅଧିବେଶନରେ ଅଧ୍ୟକ୍ଷତା କରିବା ଅବସରରେ ଏପରି ମତ ଦେଇଛନ୍ତି‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ସାଧାରଣ ଲୋକଙ୍କ ବୋଧଗମ୍ୟ ହେବାଭଳି ଭାଷା ଗଣମାଧ୍ୟମ ବ୍ୟବହାର କରିବା ଆବଶ୍ୟକ। ଗଣମାଧ୍ୟମ କ୍ଷେତ୍ରରେ ସାହିତ୍ୟିକ ସାମ୍ବାଦିକ ହେଲେ ଭାଷା ମାର୍ଜିତ ହେବ ଏବଂ ସାମ୍ବାଦିକ ସାହିତ୍ୟିକ ହେଲେ ସାଧାରଣ ଲୋକ ଉପକୃତ ହେବା ନେଇ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ସଂଚାଳନ କରିଥିବା ଏହି ସଂପାନରେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ଗୋପାଳକୃଷ୍ଣ ମହାପାତ୍ର, ଦିଲ୍ଲୀପ ଶତପଥୀ ଓ ଅରୁଣ ପଣ୍ଡା ପ୍ରମୁଖ ଯୋଗଦେଇ ଗଣମାଧ୍ୟମରେ ଭାଷା ବ୍ୟବହାରର ଉଭୟ ପ୍ରଶଂସନୀୟ ଓ ମାରତ୍ମକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର