ଭୁବନେଶ୍ବର: ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୟଦେବ ଭବନରେ ସମ୍ବର୍ଧନା ଦିଆଯାଇଥିଲା। ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନର କର୍ମକର୍ତା ତାଙ୍କୁ ଫୁଲତୋଡ଼ା ଦେଇ ଦ୍ବିତୀୟଥର କେନ୍ଦ୍ରମନ୍ତ୍ରୀ ହେବା ନେଇ ଶୁଭେଚ୍ଛା ଜଣାଇଥିଲେ। କଳିଙ୍ଗ ପାଇକ ସଂଗଠନର ପ୍ରତିଷ୍ଠାତା ଭଟ୍ଟ ମଙ୍ଗରାଜଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ, ଓଡ଼ିଶାକୁ ଏକ ମାନୁଫ୍ୟାକ୍ଚରିଂ ହବ୍ରେ ପରିଣତ କରିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ଚୀନ୍ ପରେ ବିଶ୍ବରେ ଦ୍ବିତୀୟ ସର୍ବାଧିକ ଇସ୍ପାତ ପ୍ରସ୍ତୁତକାରୀ ଦେଶ ହେଉଛି ଭାରତ। ଦେଶରେ ୨ଶହ ମିଲିଅନ୍ ଟନ୍ ଲୁହାପଥର ଉତ୍ତୋଳନ ହେଉଥିବା ବେଳେ ଏଥିରୁ ଅଧା ହେଉଛି ଓଡ଼ିଶାରୁ। ୨୦୩୦ ସୁଦ୍ଧା ଦେଶରେ ୨୫୦ ମିଲିଅନ ମେଟ୍ରିକ୍ ଟନ୍ ଲୁହାର ଆବଶ୍ୟକତା ପଡ଼ିବ। ଏଥିପାଇଁ ୩ଶହ ମିଲିଅନ୍ ମେଟ୍ରିକ୍ ଟନ୍ର କାରଖାନା ସ୍ଥାପନା କରିବାକୁ ହେବ। ଏଥିରୁ ୧୦୦ ମିଲିଅନ୍ ମେଟ୍ରିକ୍ ଟନ୍ କାରଖାନା ଓଡ଼ିଶାରେ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ। ଓଡ଼ିଶାର ବିନା ନେତୃତ୍ବରେ ପୂର୍ବ ଭାରତ ସମୃଦ୍ଧଶାଳୀ ହେବାର କଳ୍ପନା କରାଯାଇ ପାରିବ ନାହିଁ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ ଯେ ଚଳିତ ନିର୍ବାଚନର ବଳିଦାନ ୨ଶହ ବର୍ଷ ପୂର୍ବେ ହୋଇଥିଲା। ଆଜି ଏହାର ଫଳ ଆମେ ପାଇପାରୁଛି। ବ୍ରିଟିସ୍ମାନଙ୍କ ବିରୋଧରେ ପାଇକ ଜାତି ଲଢ଼େଇ କରିଥିଲା। ଦେଶର ବିଭିନ୍ନ ବର୍ଗର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ୫୧ ପ୍ରତିଶତ ଭୋଟ୍ ଦେଇ ପୁଣିଥରେ ପ୍ରଧାନମନ୍ତ୍ରୀ କରିଛନ୍ତି। ରାଜ୍ୟର ଏକ ତୃତୀୟାଂଶ ଲୋକ ମୋଦିଙ୍କୁ ଭୋଟ ଦେଇ ଦେଶର ଦାୟିତ୍ବ ନେବାର ଆଶୀର୍ବାଦ ଦେଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୫ଲକ୍ଷ ଘର ଥିବା ବେଳେ ଗତ ୫ବର୍ଷରେ ଏହି ଯୋଜନାରେ ୨ କୋଟି ୨୫ଲକ୍ଷ ଘର ନିର୍ମାଣ ହୋଇଛି। ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ଅଧାରୁ ଅଧିକ ଘରେ ବିଦ୍ୟୁତ ସଂଯୋଗ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବଙ୍କୁ ମାଗଣା ସିଲିଣ୍ଡର ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ। ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ କହିଲେ, ଓଡ଼ିଶାରେ ଏକ ସାଂସ୍କୃତିକ ବିପ୍ଲବର ଆବଶ୍ୟକତା ରହିଛି। ସାଂସ୍କୃତିକ ବିପ୍ଲବ ଜରିଆରେ ଗୋଟିଏ ଜାତିକୁ ଜାଗ୍ରତ କରିବା ସମ୍ଭବ ହୋଇପାରିବ। ଓଡ଼ିଶାର ପୁରୁଣା ଇତିହାସ ଓ ଅତୀତକୁ ଜାଣିବାକୁ ହେବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୂର୍ଯ୍ୟ ମିଶ୍ର, ଅଧ୍ୟାପକ ବିଶ୍ବରଂଜନ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସବୁ ପାଇକ ସଂଗଠନମାନଙ୍କୁ ନେଇ ଏକ ପାଇକ ଫେଡେରେସନ୍ ଗଠନ ନେଇ ଆଲୋଚନା କରାଯିବ ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।