ବିନା ଥଇଥାନରେ ଉଚ୍ଛେଦ ହେବନି: ବିଧାୟକ

ଚନ୍ଦ୍ରଶେଖରପୁର: ସାଲିଆସାହିର ବିକାଶ ହେଉଛି। ଏଠାକାର ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନରେ ଏଠାକାର ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ଆସିଛି। ପକ୍କା ରାସ୍ତା, ପିଇବା ପାଣି, ଆଲୋକୀକରଣ ହୋଇଛି। ଗଳିକନ୍ଦିରେ ଯିବା ଆସିବା ଲାଗି ସୁବ୍ୟବସ୍ଥା କରାଯାଇଛି। ପିଲାଙ୍କ ଶିକ୍ଷାଦାନ ପାଇଁ ଅଙ୍ଗନବାଡ଼ି, ସ୍କୁଲ ପ୍ରତିଷ୍ଠା କରାଯାଇଛି। ବିଜେଡି ସରକାର ସମୟରେ ସାଲିଆସାହି ପ୍ରତି କେବେ କି ଅନ୍ୟାୟ ହେବାକୁ ଦିଆଯିବ ନାହିଁ।

ସାଲିଆସାହିବାସୀଙ୍କୁ ବିଜେଡିର ପ୍ରତିଶ୍ରୁତି

ଦୁଇଟି ୱାର୍ଡରେ ନିର୍ବାଚନୀ ସଭା

ବିକାଶର ନକ୍ସା ପ୍ରସ୍ତୁତ ବେଳେ ଆଗେ ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ହେବ। ତା’ ପରେ ଉଚ୍ଛେଦ କଥା ଚିନ୍ତା କରାଯିବ ବୋଲି ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ସାଲିଆସାହିବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସାଲିଆ ସ‌ାହିର ୧୬ ଓ ୨୦ ନମ୍ବର ୱାର୍ଡରେ ଆଜି ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ ଶ୍ରୀ ରାଉତ ଶକ୍ତି ପ୍ରଦର୍ଶନ କରିବା ସହ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା, ଯୁବକ, ଯୁବତୀଙ୍କୁ ଦଳରେ ସାମିଲ କରାଇଥିଲେ। ବିଜେଡି କର୍ପୋରେଟର୍‌ ଓ ମେୟର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ।

୨୦ ନମ୍ବର ୱାର୍ଡର ଶ୍ରୀରାମନଗର ଟ୍ରାକ୍ଟର ପଡ଼ିଆରେ ଅନୁଷ୍ଠିତ ସଭାରେ ବିଜେଡି କର୍ପୋରେଟର୍ ପ୍ରାର୍ଥୀ ପ୍ରେମାନନ୍ଦ ଜେନା ଯୋଗଦେଇ ଲୋକଙ୍କ ସୁଖଦୁଃଖରେ ସବୁବେଳେ ସାମିଲ ରହିବେ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ୧୬ନମ୍ବର ୱାର୍ଡ‌ର ନୀଳଚକ୍ରନଗର ପଡ଼ିଆରେ ଅନୁଷ୍ଠିତ ସଭାରେ ବିଜେଡି କର୍ପୋରେଟର୍‌ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସ୍ବାଇଁ ଯୋଗଦେଇ ସାଲିଆସାହି ବିକାଶ ପାଇଁ ବିଜେଡିକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସାମିଲ ହୋଇ କହିଲେ, ବିକାଶର ଅନ୍ୟନାମ ବିଜେଡି।

ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ହେଲେ ବିଜେଡି କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କୁ ଜିତାଇବାକୁ ପଡ଼ିବ। ଏଥିପାଇଁ ଆପଣମାନଙ୍କ ସହଯୋଗ ଦରକାର। ଉକ୍ତ ଦୁଇଟି ୱାର୍ଡରେ ଅନୁଷ୍ଠିତ ସଭାରେ ବହୁ ସଂଖ୍ୟକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳକୁ ଆହୁରି ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ।

‌ଡ୍ରେନ୍ ପ୍ରସଙ୍ଗ ଧରି ମଇଦାନରେ ନିବେଦିତା : ଲକ୍ଷ୍ମୀସାଗରରେ ବିଜେପି ପ୍ରାର୍ଥିନୀଙ୍କ ପ୍ରଚାର

ଭୁବନେଶ୍ବର: ଲକ୍ଷ୍ମୀସାଗର ଅଞ୍ଚଳର ରାଜଧାନୀର ପ୍ରମୁଖ ଅଞ୍ଚଳ ହୋଇଥିଲେ ବି ଏଠାରେ ଏବେ ସମସ୍ୟା ମାଳମାଳ। ଡ୍ରେନ୍‌ ସମସ୍ୟାଠାରୁ ଆରମ୍ଭ କରି ରାସ୍ତା, ସ୍ବେରେଜ୍ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଗତ କିଛି ବର୍ଷ ମଧ୍ୟ‌େର ଏଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବିଭିନ୍ନ ପ୍ରକଳ୍ପ ହୋଇଥିଲେ ବି ଲୋକ ଏହାକୁ ଅନୁଭବ କରିପାରୁନାହାନ୍ତି। ଡ୍ରେନ୍ ସମସ୍ୟା ଦୀର୍ଘ ବର୍ଷ ଧରି ଜାରି ରହିଥିଲେ ବି ଏହାର ସମାଧାନ ବାହାରି ପାରୁନି। ତେଣୁ ଲକ୍ଷ୍ମୀସାଗର ବାସିନ୍ଦାଙ୍କ ସବୁ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇ ପ୍ରଚାରକୁ ଜୋର୍‌ଦାର କରିଛନ୍ତି ବିଜେପିର କର୍ପୋରେଟର ପ୍ରାର୍ଥୀ ନିବେଦିତା ପ୍ରଧାନ।
ନିବେଦିତା ଲକ୍ଷ୍ମୀସାଗର ଗାଁର ବୋହୂ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଦୁଇଥର କର୍ପୋରେଟର୍‌ ବି କରିଛନ୍ତି। ଯେତେବେଳେ ବିଏମ୍‌ସି ଫୋକସ୍‌ରେ ଡ୍ରେନ୍‌, ରାସ୍ତା ନଥିଲା, ସେତେବେଳେ ନିବେଦିତା ନିଜ ଅଞ୍ଚଳ ପାଇଁ ଲଢ଼େଇ କରି ବହୁ ଉନ୍ନତିମୂଳକ କାମ କରିଥିଲେ। ଏଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ନିବେଦିତା ତାଙ୍କର ଅଧୁରା କାମକୁ ପୂର୍ଣ୍ଣ କରିବା ସହ ଲକ୍ଷ୍ମୀସାଗର ଅଞ୍ଚଳର ଡ୍ରେନ୍‌, ରାସ୍ତା, ସ୍ବେରେଜ୍ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। ଭୁବନେଶ୍ବର (ମଧ୍ୟ)ର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ନିବେଦିତାଙ୍କ ସ୍ବାମୀ ଗଗନ ପ୍ରଧାନ ତାଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି।

ସମ୍ବନ୍ଧିତ ଖବର